ଭୁବନେଶ୍ବର : ବିଧାନସଭାର ପ୍ରଶ୍ନକାଳରେ ରାଜ୍ୟର ବିଭିନ୍ନ ସ୍ଥାନରେ ନୂଆ ଥାନା ଖୋଲିବା ପାଇଁ ଦାବି ଉଠିଥିଲା। ଶାସକ ଦଳ ସଭ୍ୟ ପ୍ରଣବ ବଳବନ୍ତରାୟ ଧର୍ମଶାଳାକୁ ଥାନାକୁ ଭାଙ୍ଗି ନୂଆ ଥାନା ନିର୍ମାଣ ପାଇଁ ସରକାରଙ୍କ ବ୍ୟବସ୍ଥା ଅଛି କି ବୋଲି ମୂଳପ୍ରଶ୍ନ କରିଥିଲେ। ଏମିତି ପ୍ରସ୍ତାବ ନାହିଁ ବୋଲି ଗୃହ ରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା ଉତ୍ତର ଦେଇଥିଲେ। ଏହା ପରେ ଅତିରିକ୍ତ ପ୍ରଶ୍ନ ପଚାରି ଜଣଙ୍କ ପରେ ଜଣେ ବିଧାୟକ ନିଜ ନିଜ ଅଞ୍ଚଳରେ ନୂଆ ଥାନା ନିର୍ମାଣ ପାଇଁ କହିଥିଲେ।
କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଲେ, ନୂଆ ଥାନା ପାଇଁ ବିଧାୟକମାନେ ପ୍ରସ୍ତାବ ଦେବାକୁ ବାଚସ୍ପତି କହିଥିଲେ। ଗୃହ ବିଭାଗ ପକ୍ଷରୁ ମଧ୍ୟ ପ୍ରସ୍ତାବ ମଗାଯାଇଥିଲା। କିନ୍ତୁ ତାହା କାର୍ଯ୍ୟକାରୀ କରାଯାଉ ନାହିଁ। ବଲାଙ୍ଗୀରରେ ଟାଉନ୍ ଥାନା ଦୁଇ ଭାଗ କରି ନୂଆ ଥାନା ପାଇଁ ସରକାର ଘୋଷଣା କଲେ। କିନ୍ତୁ ନୂଆ ଥାନା ଏ ଯାଏ ସ୍ଥାପନ ହେଲା ନାହିଁ। ସୁକାନ୍ତ ନାୟକ, ସତ୍ୟନାରାୟଣ ପ୍ରଧାନ, ଲତିକା ପ୍ରଧାନ ଓ ନାଉରୀ ନାୟକ ପ୍ରମୁଖ ନିଜ ନିଜ ଅଞ୍ଚଳରେ ନୂଆ ଥାନା ସ୍ଥାପନ ସମ୍ପର୍କରେ କହିଥିଲେ। ଉତ୍ତରରେ ମନ୍ତ୍ରୀ କହିଥିଲେ, ରାଜ୍ୟରେ ୬୪୩ ଥାନା ଥିଲା। ବର୍ତ୍ତମାନ ୩୬ଟି ନୂଆ ଥାନା ଖୋଲିଛି। ବିଭିନ୍ନ ସ୍ଥାନରେ ନୂଆ ଥାନା ପାଇଁ ପ୍ରସ୍ତାବ ଆସିଛି। ବିଭାଗ ସେ ନେଇ ବିଚାର କରୁଛି। ନୂଆ ଥାନା ନିର୍ମାଣ ପାଇଁ କିଛି ସର୍ତ୍ତାବଳୀ ରହିଛି। ତାହାକୁ ବିଚାରକୁ ନେଇ ନିଷ୍ପତ୍ତି ନିଆଯିବ।