ବଢ଼ୁଛି ସଂକ୍ରମଣ, ତେଜୁଛି ଅସନ୍ତୋଷ: ଭିସୁଟ୍‌, ସମ୍ବଲପୁର ବିଶ୍ବବିଦ୍ୟାଳୟ ପରେ ଜିଏମ୍‌ୟୁ ଓ ଜିସିପିରେ ଅନ୍‌ଲାଇନ୍‌ ପରୀକ୍ଷା ଦାବି

ସମ୍ବଲପୁର : କରୋନା ସଂକ୍ରମଣ ଜିଲ୍ଲାରେ ହୁ ହୁ ବୋଇ ବଢ଼ୁଛି। ଗୋଟିଏ ପଟେ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଆଗକୁ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଅଫ୍‌ଲାଇନ୍‌ରେ ପରୀକ୍ଷା କରାଯିବା ନେଇ ବିଜ୍ଞପ୍ତ ପ୍ରକାଶ ପାଇଛି। ଯାହାକୁ ନେଇ ଛାତ୍ରଛାତ୍ରୀଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଭିସୁଟ୍‌ ଓ ସମ୍ବଲପୁର ବିଶ୍ବବିଦ୍ୟାଳୟ ପରେ ଏବେ ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟ(ଜିଏମ୍‌ୟୁ) ଏବଂ ଗାୟତ୍ରୀ କଲେଜ୍‌ ଅଫ୍‌ ଫାର୍ମାସି(ଜିସିପି)ରେ ଅନ୍‌ଲାଇନ୍‌ ପରୀକ୍ଷା କରାଇବାକୁ ଦାବି ହୋଇଛି।

ସୋମବାର ଜିଏମ୍‌ୟୁର ଶତାଧିକ ଛାତ୍ରଛାତ୍ରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅଫ୍‌ଲାଇନ୍‌ ପରୀକ୍ଷାକୁ ବାତିଲ କରାଯାଇ ଅନ୍‌ଲାଇନ୍‌ ପରୀକ୍ଷା କରିବା ଦାବିରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଜିଲ୍ଲାରେ କରୋନା ସଂକ୍ରମଣ ଦୃତ ଗତିରେ ବୃଦ୍ଧି ପାଉଥିବା ବେଳେ ବର୍ତ୍ତମାନ ଅଫ୍‌ଲାଇନ୍‌ ପରୀକ୍ଷା କଲେ କରୋନା ହେବାର ଆଶଂକା ରହିଛି। ଆସନ୍ତା ୧୯ ତାରିଖରୁ ପରୀକ୍ଷା କରାଯିବା ନେଇ ବିଶ୍ବବିଦ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଛି। କିଛି ଦିନ ମଧ୍ୟରେ ବିଶ୍ବବିଦ୍ୟାଳୟର ଏକାଧିକ ଛାତ୍ରଛାତ୍ରୀ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ପରୀକ୍ଷା ହେଲେ ସ୍ଥିତି ଆହୁରି ଚିନ୍ତାଜନକ ହେବାର ଆଶଙ୍କା ଅଛି। ଏହାକୁ ଦୃଷ୍ଟିରେ ରଖି ଅଫ୍‌ଲାଇନ ପରୀକ୍ଷା ନକରି ଅନ୍‌ଲାଇନ୍‌ରେ ପରୀକ୍ଷା କରିବା ନେଇ ଛାତ୍ରଛାତ୍ରୀମାନେ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି।

ସୋମବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦିନ ୧୧ଟାରୁ ୧ଟା ଯାଏ ଛାତ୍ରଛାତ୍ରୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପ୍ରଥମେ ସମ୍ବଲପୁର ମହାନଗର ନିଗମ କମିସନର୍‌ ଅନିରୁଦ୍ଧ ପ୍ରଧାନ ଓ ଡେପୁଟି କଲେକ୍‌ଟର ବିନୋଦ ବିହାରୀ ଦାସ ଛାତ୍ରଛାତ୍ରୀଙ୍କୁ ବୁଝାଇବାକୁ ଆସିଥିଲେ। କିନ୍ତୁ ଛାତ୍ରଛାତ୍ରୀମାନେ ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ଜଣାଇବା ସହ ଆଲୋଚନା କରିବୁ ବୋଲି ଅଡ଼ି ବସିଥିଲେ। ଏହାପରେ କିଛି ଛାତ୍ରଙ୍କୁ ଆଲୋଚନା ପାଇଁ ଜିଲ୍ଲାପାଳ ଡାକିଥିଲେ। ଛାତ୍ରଛାତ୍ରୀଙ୍କୁ ସମର୍ଥନ ଜଣାଇବା ସହ ଏ ନେଇ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିବା ସହ ଉଚ୍ଚ ଶିକ୍ଷା ବିଭାଗକୁ ଜଣାଇବେ ବୋଲି ଜିଲ୍ଲାପାଳ କହିଥିବା ଛାତ୍ରଛାତ୍ରୀ ସୂଚନା ଦେଇଥିଲେ।

ଅନ୍ୟପଟେ ସମାନ ଦାବି ନେଇ ଜମାଦାରପାଲିରେ ଥିବା ଗାୟତ୍ରୀ କଲେଜ୍‌ ଅଫ୍‌ ଫାର୍ମାସି(ଜିସିପି)ର ଛାତ୍ରଛାତ୍ରୀ କଲେଜ୍‌ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଧାରଣା ଦେଇଥିଲେ। ଆସନ୍ତା ୨୨ ତାରିଖରୁ ଏମ୍‌ଫାର୍ମ ପ୍ରଥମ ସେମିଷ୍ଟର ପରୀକ୍ଷା ଆରମ୍ଭ ହେବାକୁ ଥିବା ବେଳେ ବଢ଼ୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଅଫ୍‌ଲାଇନ୍‌ ପରୀକ୍ଷା ନକରି ଅନ୍‌ଲାଇନ୍‌ରେ ପରୀକ୍ଷା କରିବା ପାଇଁ ନିବେଦନ କରିଥିଲେ। ଛାତ୍ରଛାତ୍ରୀଙ୍କ ଦାବି ସମ୍ପର୍କରେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଥିବା କଲେଜ୍‌ ପକ୍ଷରୁ କହାଯାଇଛି।

ସମ୍ବନ୍ଧିତ ଖବର