ପାରାଦୀପକୁ ପୁଲିସ ଜିଲ୍ଲାର ମାନ୍ୟତା ଦାବି

ଭୁବନେଶ୍ୱର : ପାରାଦୀପକୁ ପୁଲିସ ଜିଲ୍ଲାର ମାନ୍ୟତା ଦେବାକୁ ଦାବି କରିଛି ପାରାଦୀପ ସ୍ୱାଭିମାନ ମଞ୍ଚ। ଯାହାଫଳରେ ସମୃଦ୍ଧ ବନ୍ଦର ସମେତ ଆଇନ ଶୃଙ୍ଖଳା ପରିସ୍ଥିତିରେ ସୁଧାର ଆସିପାରିବ ବୋଲି ମଞ୍ଚ ପକ୍ଷରୁ କୁହାଯାଇଛି।

ଆଜି ଉତ୍କଳ ସାମ୍ବାଦିକ ସଂଘରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସଭାପତି ନୃସିଂହ ନାରାୟଣ ଦାସ କହିଲେ, ୧୯୮୪ ମସିହାରେ ଗୋଷ୍ଠୀ ବିବାଦ କାରଣରୁ ପାରାଦୀପ ଥାନାର ପୂର୍ବତନ ଭାରପ୍ରାପ୍ତ ଅଧିକାରୀଙ୍କ ସମେତ ୬ଜଣ ପୁଲିସ କର୍ମଚାରୀ ପ୍ରାଣ ହରାଇଥିଲେ। ଘଟଣା ପରେ ପାରାଦୀପର ଆଇନ ଶୃଙ୍ଖଳା ପରିସ୍ଥିତି ପାଇଁ ସରକାର ପରିଜା କମିସନ୍‌ ବସାଇଥିଲେ। ମାତ୍ର ପରିଜା କମିସନ ରିପୋର୍ଟ କେତେଦୂର କାର୍ଯ୍ୟକାରୀ ହୋଇଛି ତାହା ଏବେ ବି ଅନୁଧ୍ୟାନ ସାପେକ୍ଷ।

ପାରାଦୀପରେ ଏବେ ପିପିଏଲ, ଇଫ୍‌କୋ, କାର୍ବନ, କାର୍ଗିଲ, ତୈଳ ବିଶୋଧନାଗାର ଓ ଏସ୍‌ଆର ଷ୍ଟିଲ ଉତ୍ପାଦନ ଆରମ୍ଭ କରିଥିବା ବେଳେ ଅନ୍ୟାନ୍ୟ ଆମଦାନୀ/ରପ୍ତାନୀ ଭିତ୍ତିକ ଶିଳ୍ପ କାରଖାନା ନିର୍ମାଣ ଚାଲୁ ରହିଛି। ଗ୍ୟାଙ୍ଗଷ୍ଟର ସଂପୃକ୍ତିକୁ କେନ୍ଦ୍ର କରି ରାଜନୈତିକ ବିବାଦରୁ ପାରାଦୀପରେ ପୁଲିସର ଦକ୍ଷତା ପ୍ରତି ଅଙ୍ଗୁଳି ନିର୍ଦେଶ କରିଛି। ତେଣୁ ପୁଲିସର ଦକ୍ଷତା ବୃଦ୍ଧି ସହ ଅପରାଧ ନିୟନ୍ତ୍ରଣ କରିବାରେ ନିଷ୍କ୍ରିୟତା ଅର୍ଥନୈତିକ ଅପରାଧୀଙ୍କ ପାଇଁ ସୁଯୋଗ ଆଣି ଦେଇଛି। ପାରାଦୀପରେ କେନ୍ଦ୍ରୀୟ ଶିଳ୍ପ ନିରାପତ୍ତା ବାହିନୀ, ତଟରକ୍ଷୀ ବାହିନୀ ଓ କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥାର ଜିଲ୍ଲା କାର୍ଯ୍ୟାଳୟ କାର୍ଯ୍ୟ କରୁଛି। ୪ଟି ଥାନାକୁ ନେଇ ଦେବଗଡ଼, ୮ଟି ଥାନାକୁ ନେଇ ସୋନପୁର, ଭୁବନେଶ୍ୱର, କଟକ, ରାଉରକେଲା ଓ ବ୍ରହ୍ମପୁରକୁ ସ୍ୱତନ୍ତ୍ର ପୁଲିସ ଜିଲ୍ଲାର ମାନ୍ୟତା ପ୍ରଦାନ କରାଯାଇଛି। ତେଣୁ ପାରାଦୀପରେ ଅପରାଧ ନିୟନ୍ତ୍ରଣ ପାଇଁ ଏହାକୁ ଏକ ପୁଲିସ ଜିଲ୍ଲାର ମାନ୍ୟତା ଦିଆଯାଉ। ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ମଞ୍ଚ ପକ୍ଷରୁ ୧୨ ଦଫା ଦାବି ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଥିଲା। ମାତ୍ର ଏହା ଉପରେ କୌଣସି ପଦକ୍ଷେପ ଗ୍ରହଣ କରାଗଲା ନାହିଁ ବୋଲି ଶ୍ରୀ ଦାସ କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ସଂପାଦକ ପ୍ରଶାନ୍ତ ରାଉତ, ଉପସଭାପତି ବାମଦେବ ସାହୁ ଓ ଭରତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର