ସମ୍ବଲପୁର: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ୍ ସ୍ଥାପନ ଦାବିରେ ଭୁବନେଶ୍ବରଠାରେ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟିର କର୍ମକର୍ତ୍ତା ନିଜର ସ୍ବରକୁ ଶାଣିତ କରିଛନ୍ତି। ଏପଟେ ସମ୍ବଲପୁରଠାରେ ନାଗରିକମାନେ ବି ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଆନ୍ଦୋଳନ ଯୋଗୁ ଅଫିସ-ଅଦାଲତ ଆଜି ଅଚଳ ହୋଇଯାଇଛି। ବିଚାରପତିମାନଙ୍କୁ ଅଟକାଇବାକୁ ଯାଇ ମହିଳା ଆନ୍ଦୋଳନକାରୀମାନେ ଗୋଡ଼ ତଳେ ପଡ଼ିଯିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି।
ଆନ୍ଦୋଳନକାରୀମାନେ ପିକେଟିଂ କରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପିକେଟିଂ କରିଥିଲେ। ଫଳରେ ଆର୍ଡିସି, ଜିଲ୍ଲାପାଳ, ଉପଜିଲ୍ଲାପାଳ, ତହସିଲ କାର୍ଯ୍ୟାଳୟଠାରୁ ଆରମ୍ଭ କରି କେନ୍ଦ୍ର ସରକାରଙ୍କ ଅଧୀନ ଏଫ୍ସିଆଇ, କେନ୍ଦ୍ରୀୟ ଅବକାରୀ, ଆୟକର ଆଦି ବିଭାଗର କାର୍ଯ୍ୟାଳୟର ଗେଟ୍ରେ ତାଲା ଝୁଲୁଥିବା ଦେଖିବାକୁ ମିଳିଥିଲା। ବିଚାରପତିମାନଙ୍କୁ ବି ଅଦାଲତକୁ ଛାଡ଼ିନଥିଲେ ଆନ୍ଦୋଳନକାରୀ। ନେଲ୍ସନ୍ ମଣ୍ଡେଲା ଛକ(କଚେରି ଛକ)ରେ ମହିଳା ଆନ୍ଦୋଳନକାରୀମାନେ ଗୋଡ଼ ତଳେ ପଡ଼ି ଯାଇ କୋର୍ଟକୁ ଯିବାକୁ ବାରଣ କରିଥିବା ଦେଖିବାକୁ ମିଳିଥିଲା। ଫଳରେ, ବିଚାରପତିଙ୍କ ସହିତ ବିଚାର ବିଭାଗୀୟ କର୍ମଚାରୀମାନେ ବାଧ୍ୟହୋଇ ଫେରିଯାଇଥିଲେ।
ସେଠାରେ ରଘୁନାଥ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ପୂର୍ବତନ ସାଂସଦ ଭବାନୀ ହୋତା, ପ୍ରଫେସର ଆଦିତ୍ୟ ପ୍ରସାଦ ପାଢ଼ୀ, ପ୍ରଫେସର ଶଙ୍କର ପତି, ଜିଲ୍ଲା କଂଗ୍ରେସ ସଭାପତି ଅଶ୍ବିନୀ ଗୁରୁ, ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ଅନ୍ନପୂର୍ଣ୍ଣ ବାରିକ, ବିଜେପି କୃଷକ ମୋର୍ଚ୍ଚା ଜିଲ୍ଲା ସଭାପତି ସମୀର ବାବୁ, ଶ୍ରମିକ ନେତା ଗୋକୁଲ ମେହେର, ଚାଷୀ ନେତା ଅଶୋକ ପ୍ରଧାନ, ନାଗରିକ କମିଟିର ସହ-ଆବାହକ ପ୍ରଫୁଲ୍ଲ ହୋତା, ସରୋଜ ଦାଶ, ଶଶିଭୂଷଣ ତ୍ରିପାଠୀ, ସୌରୀ ପାଣିଗ୍ରାହୀ, ସୁରେଖା ସାହୁ, ବିଜୟଲକ୍ଷ୍ମୀ ବେହେରାଙ୍କ ସମେତ ବହୁ ବ୍ୟକ୍ତି ବକ୍ତବ୍ୟ ରଖିବା ସହି ସରକାରଙ୍କୁ ସମାଲୋଚନା କରିଥିଲେ।
ସୁନ୍ଦରଗଡ଼: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ୍ ପ୍ରତିଷ୍ଠା ଦାବିରେ ସୁନ୍ଦରଗଡ଼ ଜିଲ୍ଲାା ଓକିଲମାନେ କଳା ଦିବସ ପାଳନ ପୂର୍ବକ କୋର୍ଟ କାର୍ଯ୍ୟ ବର୍ଜନ କରିଛନ୍ତି। ନିଜ ଅଞ୍ଚଳର ମୁଖ୍ୟ ପ୍ରଶାସକଙ୍କ ଅଫିସ ଆଗରେ ଧାରଣା ଦେଇଛନ୍ତି। ସୁନ୍ଦରଗଡ଼ ଜିଲ୍ଲା ଓକିଲ ସଂଘ କୋର୍ଟ କାର୍ଯ୍ୟରୁ ନିବୃତ୍ତ ରହି ଧାରଣା ଦେବା ସହ ସଂଘର ବରିଷ୍ଠ ଆଇନଜୀବୀ ନିମାଇଁଚରଣ ନାଏକ, କିଶୋର ନାଏକ, ନୀରଜ ସାମନ୍ତରାୟ, ସ୍ବରାଜ ପଟେଲ, ରବୀନ୍ଦ୍ର ମାଳି ପ୍ରମୁଖ ଜିଲ୍ଲାପାଳଙ୍କୁ ଭେଟି ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ।