ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ସ୍ଥାପନ ଦାବି: ସମ୍ବଲପୁରରେ ନାଗରିକ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଧାରଣା

ସମ୍ବଲପୁର: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଆଜି ସମ୍ବଲପୁରର କଚେରୀ ଛକରେ ନାଗରିକ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଧାରଣା ଦିଆଯାଇଛି। ପ୍ରବଳ ବିରୋଧ ପରେ କଚେରି ଛକରୁ ବିଚାରପତିମାନେ କୋର୍ଟକୁ ନ ଯାଇ ଫେରିଯାଇଥିବାର ଖବର ମିଳିଛି। ସାଧାରଣ ନାଗରିକମାନେ ଏଠାରେ ଏକ ପ୍ରତିବାଦ ସଭା କରିଛନ୍ତି। ପୂର୍ବତନ ସାଂସଦ ଭବାନୀ ହୋତା ଓ ପୂର୍ବତନ କୁଳପତି ଆଦିତ୍ୟ ପ୍ରସାଦ ପାଢ଼ୀ ପ୍ରମୁଖ ଏହାର ନେତୃତ୍ବ ନେଇଛନ୍ତି। ଆଜି ସମ୍ବଲପୁରରେ ସମସ୍ତ ସରକାରୀ କାର୍ଯ୍ୟାଳୟ ଓ କୋର୍ଟ ବନ୍ଦ ରହିଛି। ‌ତେବେ ଦୋକାନ ବଜାର, ବ୍ୟାଙ୍କ ଓ ଶିକ୍ଷାନୁଷ୍ଠାନ ଖୋଲା ରହିଛି।


ସୂଚନାଯୋଗ୍ୟ, ନାଗରିକ କମିଟିର ସଭାପତି ଅରବିନ୍ଦ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ତିନି ଦିନ ତଳେ ଓଡ଼ିଶା ସାଂସ୍କୃତିକ ସମାଜ ଗୃହରେ ଅନୁଷ୍ଠିତ ସଭାରେ ବିଭିନ୍ନ କର୍ମଚାରୀ ସଂଘ, ଶ୍ରମିକ ତଥା ସାମାଜିକ ସଂଗଠନର କର୍ମକର୍ତ୍ତା ଯୋଗଦେଇଥିଲେ। ସମ୍ବଲପୁରରେ ସମସ୍ତ ପ୍ରମୁଖ ସରକାରୀ କାର୍ଯ୍ୟାଳୟକୁ ଅଚଳ କରିବା ଦିଗରେ ନିଜର ସଂଗଠନ ତଥା ସଂଘ ଶକ୍ତିକୁ ବିନିଯୋଗ କରିବାକୁ ଘୋଷଣା କରିଥିଲେ। ବିଚାରପତିମାନଙ୍କୁ ବି ଅଦାଲତକୁ ଯିବାକୁ ନଦେବାକୁ ଯୋଜନା ରହିଥିଲା। ଏଭଳି ସ୍ଥିତିରେ ଅଫିସ-ଅଦାଲତ ପୂରା ଅଚଳ ହେବ ବୋଲି ଯୋଜନା କରାଯାଇଥିଲା। ପଶ୍ଚିମ ଓଡ଼ିଶାର ଅନ୍ୟ ଅଂଚଳରେ ବି ସରକାରୀ କାର୍ଯ୍ୟାଳୟ ବନ୍ଦ ରଖାଯିବା ଯୋଜନା ପ୍ରସ୍ତୁତ ହୋଇଥିଲା।

ଏପଟେ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରସଙ୍ଗରେ ଆଲୋଚନା ପାଇଁ ସମୟ ମାଗିଥିଲା ପଶ୍ଚିମ ଓଡ଼ିଶା ଓକିଲ ସଂଘ ସମୂହର କ୍ରିୟାନୁଷ୍ଠାନ କମିଟି(ସିଏସି)। ବହୁଦିନ ଅତିକ୍ରାନ୍ତ ହେବା ପରେ ବି ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରୁ ସମୟ ମିଳିଲା ନାହିଁ।  ଏଭଳି ସ୍ଥିତିରେ ଆଜି ରାଜଧାନୀରେ ଗର୍ଜିବେ ପଶ୍ଚିମ ଓଡ଼ିଶାର ଓକିଲ। ଏପଟେ ଏଭଳି ଅଣଦେଖାକୁ ନେଇ ଅଞ୍ଚଳବାସୀ ବି ତାତିଲେଣି। ବୁଧବାର ଲୋକେ ଅଫିସ-ଅଦାଲତ ଅଚଳ କରିବେ।
ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର କରିଥିବା ସୁପାରିସ ଉପରେ କେନ୍ଦ୍ର ଆଇନମନ୍ତ୍ରୀ ମୁଖ୍ୟ ବିଚାରପତିଙ୍କ ମତାମତ ନେଇ ଏକ ପୂର୍ଣ୍ଣାଙ୍ଗ ପ୍ରସ୍ତାବ ପଠାଇବା ପାଇଁ ରାଜ୍ୟ ସରକାରଙ୍କୁ ବାରମ୍ବାର ପତ୍ର ଲେଖିଛନ୍ତି। କିନ୍ତୁ, ରାଜ୍ୟ ସରକାର ଏଦିଗରେ ସଂପୂର୍ଣ୍ଣ ନିରବ ରହିଥିବାରୁ ସିଏସି ଉଦ୍ବେଗ ପ୍ରକାଶ କରିଛି।
ନିକଟରେ ସୁନ୍ଦରଗଡ଼ରେ ଅନୁଷ୍ଠିତ ସିଏସିର କୋର୍ କମିଟି ବୈଠକରେ ୨୮ ସେପ୍ଟେମ୍ବର ଦିନ ରାଜଧାନୀ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ନିଷ୍ପତ୍ତି ନିଆଯାଇଥିଲା। ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ସୁଯୋଗ ଦିଆନଗଲେ ଲୋକସେବା ଭବନକୁ ଧସେଇ ପଶିବାର ଯୋଜନା ପ୍ରସ୍ତୁତ କରାଯାଇଥିଲା। କେବଳ ସେତିକି ନୁହେଁ, ପଶ୍ଚିମ ଓଡ଼ିଶା ପ୍ରତି ହେଉଥିବା କ୍ରମାଗତ ଅବହେଳା, ଆଞ୍ଚଳିକ ବୈଷମ୍ୟ ବୃଦ୍ଧି ଯୋଗୁଁ ଉଠିଥିବା ସ୍ବତନ୍ତ୍ର ରାଜ୍ୟ ଗଠନ ଦାବିର ଯଥାର୍ଥତା ଥିବାରୁ ଆଗାମୀ ଦିନରେ ଓକିଲ ସଂଘ ସମୂହ ଏହାର ନେତୃତ୍ବ ନେବାକୁ ସ୍ଥିର କରାଯାଇଥିଲା।

ସମ୍ବନ୍ଧିତ ଖବର