ସ୍ବର୍ଗତ ଡ. ଅଟଳବିହାରୀ ପଣ୍ଡାଙ୍କୁ ମରଣୋତ୍ତର ପଦ୍ମଶ୍ରୀ ପ୍ରଦାନ ଦାବି

ସୋନପୁର : ରବିବାର ସନ୍ଧ୍ୟାରେ ରାମଶ୍ବେର ତ୍ରିବେଣୀ ସଙ୍ଗମରେ ସୋନପୁରର ବିଭିନ୍ନ ସାଂସ୍କୃତିକ ଓ ସାମାଜିକ ଅନୁଷ୍ଠାନ ପକ୍ଷରୁ ସ୍ବର୍ଗତ ଡ. ଅଟଳବିହାରୀ ପଣ୍ଡାଙ୍କ ବିୟୋଗରେ ଏକ ଶୋକସଭା ନାଟ୍ୟଚକ୍ରର ନିର୍ଦ୍ଦେଶକ ମନୋଜ ବାରିକଙ୍କ ଆବାହକତ୍ବରେ ଏବଂ ଶ୍ୟାମାଓଁ ପ୍ରସାଦ ମିଶ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା। ଏଥିରେ ସ୍ବର୍ଗତ ପଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯିବା ସହ ତାଙ୍କର ସ୍ମୃତିଚାରଣ କରାଯାଇଥିଲା। ଏହି ସଭାରେ ସ୍ବର୍ଗତ ପଣ୍ଡାଙ୍କୁ ମରୋଣତ୍ତର ପଦ୍ମଶ୍ରୀ ସମ୍ମାନ ପ୍ରଦାନ, ତାଙ୍କ ସ୍ମୃତିରେ ଏକ ଅନୁଷ୍ଠାନ ଗଠନ କରିବା, ତାଙ୍କ ନାମାନୁସାରେ କୌଣସି ରାସ୍ତା କିମ୍ବା କୋଠାର ନାମକରଣ କରିବା ଆଦି ଦାବି କରାଯିବାକୁ ସ୍ଥିର ହୋଇଥିଲା। ସେହିପରି ଡିସେମ୍ବର ୧ ତାରିଖ ଡ. ଅଟଳବିହାରୀ ପଣ୍ଡାଙ୍କ ଜନ୍ମ ଦିନକୁ ଅଟଳ ମହୋତ୍ସବ ଭାବରେ ସାରା ରାଜ୍ୟରେ ପାଳନ କରାଯିବାକୁ ଉଦ୍ୟମ କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା।

ଏହି ଶୋକସଭାରେ ବରିଷ୍ଠ ଆଇନଜୀବୀ ଗୌରୀଶ୍ୟାମ ପଣ୍ଡା, ଶିକ୍ଷାବିତ୍ ଶ୍ରୀଧର ବାଗ୍, ଅଭିନେତା ଡ. ପୁରୁଷୋତ୍ତମ ମିଶ୍ର, ଭୀମ ଭୋଇ କଳା ପରିଷଦର ସଂପାଦକ ଉମେଶ କୁମ୍ଭାର, ପଏଁରୀର ସଂପାଦକ ଚୌଧୁରୀ ବିଭାର, ସାମ୍ବାଦିକ ଦିଲ୍ଲୀପ ପାତ୍ର, ଏକ୍ସନ ଏଡ୍‌ର ଜାତୀୟ ପ୍ରବନ୍ଧକ ଘାସିରାମ ପଣ୍ଡା, ମହାନଦୀ ସାହିତ୍ୟ ସଂସଦର ସଂପାଦକ ଡ. ସୌରଭ ରଞ୍ଜନ ଖମାରୀ, ଦିଲ୍ଲୀ ଜୁହାର ପରିବାରର ସଭାପତି ବାସୁଦେବ ତ୍ରିପାଠୀ, ସାମ୍ବାଦିକ ଧରଣୀଧର ମିଶ୍ର, ଦେଶଫାଲ ମହୋତ୍ସବର ଆବାହକ ବେଣୀମାଧବ ବେଦବାକ, ସାମ୍ବାଦିକ ଗଣପତି ବାଘ, ପଏଁରୀର ସଭାପତି ଲଡୁକିଶୋର ମଲ୍ଲିକ, ସଞ୍ଜୀବ ଥନାପତି, ରମେଶ ମହାନନ୍ଦ, ଗୋବିନ୍ଦ ଡାଙ୍ଗ, ଗୌରୀଶଙ୍କର ଦଣ୍ଡସେନା ପ୍ରମୁଖ ଯୋଗ ଦେଇ ଗଭୀର ଶୋକ ବ୍ୟକ୍ତ କରିଥିଲେ।

ସମ୍ବନ୍ଧିତ ଖବର