କନ୍ଧମାଳ : ବଢ଼ୁଛି ଟିକି ଗୁଳି ଆଳୁର ଚାହିଦା, କମୁଛି ଉତ୍ପାଦନ

ଘୁ. ଉଦୟ ଗିରି : କନ୍ଧମାଳ ଜିଲ୍ଲାରେ ଟିକି ଗୁଳି ଆଳୁର ଚାହିଦା ଏବେ ବଢ଼ିଛି। ସମ୍ପୂର୍ଣ୍ଣ ଜୈବିକ ପଦ୍ଧତିରେ କୌଣସି ରାସାୟନିକ ସାର ପ୍ରୟୋଗ କରାଯାଉ ନଥିବା କାରଣରୁ ଏହି ଆଳୁର ସ୍ୱାଦ ନିଆରା ଏବଂ ଏହା ବହୁ ଦିନ ସଂରକ୍ଷିତ ରହିପାରେ। ଡିସେମ୍ବର ମାସରେ ଜିଲ୍ଲାର ଘୁ.ଉଦୟଗିରି, ଟିକାବାଲି,ରାଇକିଆ ଓ ଫିରିଙ୍ଗିଆ ବ୍ଲକ ଅଞ୍ଚଳରେ ଏହି ଆଳୁ ଉତ୍ପାଦିତ ହୋଇଥାଏ। ତେବେ ଲୋକଙ୍କ ଚାହିଦା ଅନୁସାରେ ଉତ୍ପାଦନ ହୋଇପାରୁନାହିଁ। କାରଣ ସରକାରୀ ପ୍ରୋତ୍ସାହନ, ସଂରକ୍ଷଣ ଓ ବିକ୍ରି ପାଇଁ ବଜାର ସୁବିଧା ନାହିଁ। ଅନ୍ୟ ଜିଲ୍ଲାକୁ ନେଇ ବିକ୍ରି କରିବା ନିମନ୍ତେ କୌଣସି ସରକାରୀ ସୁବିଧା ବି ନାହିଁ। ବର୍ତ୍ତମାନ ଏହି ଆଳୁର ଦର ସାଧାରଣ ଆଳୁ ଦର ଠାରୁ ଢେର ଅଧିକ ଦର ଥିବା ସତ୍ତ୍ୱେ ଲୋକେ ପସନ୍ଦ କରୁଛନ୍ତି।

ବଜାରରେ ଏହି ଆଳୁ ଦର ୩୦ରୁ ଆରମ୍ଭ କରି ୫୦ଟଙ୍କା ପର୍ଯ୍ୟନ୍ତ ରହିଛି। ଆଳୁର ଆକାରକୁ ନେଇ ଚାଷୀ ଦର ଧାର୍ଯ୍ୟ କରି ବିକ୍ରି କରିଥାଏ। ଏହି ଆଳୁ ଚାଷ କରି ଚାଷୀ ଭଲ ରୋଜଗାର କରିଥାନ୍ତି। କିନ୍ତୁ ସରକାରଙ୍କ କୌଣସି ସହଯୋଗ ମିଳୁନଥିବା ଯୋଗୁଁ ଚାଷୀ ଆଳୁ ଚାଷରୁ ମୁହଁ ମୋଡୁଛନ୍ତି। ପ୍ରଥମେ ଏହି ଚାଷ ପାଇଁ ଆଳୁ ବିହନ ଓ ଜୈବିକ ସାର ସରକାରଙ୍କ ପକ୍ଷରୁ ଚାଷୀଙ୍କୁ ଯୋଗାଇ ଦିଆଯାଉ ନାହିଁ। ଉତ୍ପାଦନ ବୃଦ୍ଧି ପାଇଁ କୌଣସି ବୈଷୟିକ ଜ୍ଞାନ ପ୍ରଦାନ କରାଯାଉ ନଥିବା ଯୋଗୁଁ ଛୋଟ ଗୁଳି ଆଳୁ ଉତ୍ପାଦନ ବୃଦ୍ଧି ପାଉ ନାହିଁ। ବିଗତ ବର୍ଷ ମାନଙ୍କରେ ଶହ ଶହ ଟନ ଆଳୁ ଉତ୍ପାଦନ ହେଉଥିବା ବେଳେ ଏବେ କିଛି ବର୍ଷ ହେଲା ହ୍ରାସ ପାଇଥିବା ଜଣାପଡ଼ିଛି।

କନ୍ଧମାଳ ଛୋଟ ଗୁଳି ଆଳୁ ଉତ୍ପାଦନ ନିମନ୍ତେ ରାଜ୍ୟ ସରକାର ସ୍ବତନ୍ତ୍ର ବ୍ୟବସ୍ଥା କଲେ ଆଳୁ ଉତ୍ପାଦନ ବଢିବା ସହ ଆଳୁ ଚାହିଦା ମେଣ୍ଟି ପାରନ୍ତା। ପଶ୍ଚିମବଙ୍ଗ ଆଳୁ ଅପେକ୍ଷା ବହୁ ଗୁଣରେ ଭଲ କନ୍ଧମାଳ ଛୋଟ ଗୁଳି ଆଳୁ । ଯାହାକି ସ୍ଥାନୀୟ ଅଞ୍ଚଳରେ ଟିକାବାଲି ଆଳୁ ଭାବେ ବେଶ ପରିଚିତ। ଏହି ଆଳୁର ଚାହିଦାକୁ ଆଖି ଆଗରେ ରହି ଜିଲ୍ଲା ପ୍ରଶାସନ ରାଜ୍ୟର ବିଭିନ୍ନ ବଡ଼ ବଡ଼ ସହରରେ ଅନୁଷ୍ଠିତ ପ୍ରଦର୍ଶନୀ ଓ ପଲ୍ଲୀଶ୍ରୀ ମେଳା ମାନଙ୍କରେ ସ୍ଥାନୀୟ ମହିଳା ଚାଷୀଙ୍କୁ ଏହି ଆଳୁ ବିକ୍ରି କରିବା ନିମନ୍ତେ ସୁଯୋଗ ଦେବା ସହ ଚାଷ ପ୍ରତି ଆଗ୍ରହ ସୃଷ୍ଟି କଲେ ସ୍ଥାନୀୟ ଚାଷୀଙ୍କ ଆର୍ଥିକ ମାନଦଣ୍ଡ ସୁଦୃଢ଼ ହୋଇପାରିବ।

ସମ୍ବନ୍ଧିତ ଖବର