ସଂସ୍କୃତି ଓ ଇତିହାସକୁ ସମ୍ମାନ ଜଣାନ୍ତୁ ସରକାର: ବିଜୟ ମହାପାତ୍ର

ତୁଳସୀ କ୍ଷେତ୍ରରେ ରଥଯାତ୍ରା ପାଇଁ ଦାବି କଲେ

ଭୁବନେଶ୍ବର : କେନ୍ଦ୍ରାପଡ଼ା ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ରଥଯାତ୍ରା ପାଇଁ ଦାବି ଉଠୁଛି। ଏହି ପ୍ରସଙ୍ଗରେ ଆଜି ନିଜ ମତ ରଖିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର। ସରକାର ସଂସ୍କୃତି ଓ ଇତିହାସକୁ ସମ୍ମାନ ଜଣାନ୍ତୁ। କୋଭିଡ୍‌ କଟକଣା ପାଳନ ସହ ପୁରୀ ବାଦ୍ ତୁଳସୀ କ୍ଷେତ୍ରରେ କିପରି ରଥଯାତ୍ରା ଆୟୋଜନ କରାଯିବ, ତାହାର ବ୍ୟବସ୍ଥା କରିବାକୁ ସେ ଦାବି କରିଛନ୍ତି।

ଗଣମାଧ୍ୟମକୁ ଶ୍ରୀ ମହାପାତ୍ର କହିଛନ୍ତି ଯେ ରଥଯାତ୍ରା ସହ ଓଡ଼ିଶାବାସୀଙ୍କ ଭାବାବେଗ ଜଡ଼ିତ। ସୁପ୍ରିମକୋର୍ଟ ଗତ ବର୍ଷ ବିନା ଭକ୍ତରେ ପୁରୀରେ ରଥଯାତ୍ରା କରିବା ପାଇଁ ଅନୁମତି ଦେଇଥିଲେ। ଚଳିତ ବର୍ଷ ମଧ୍ୟ ସରକାର ସେହି ଅନୁମତି ଆଧାରରେ ପୁରୀରେ ରଥଯାତ୍ରା କରୁଛନ୍ତି। ଏହା ସ୍ୱାଗତଯୋଗ୍ୟ ପଦକ୍ଷେପ। ଓଡ଼ିଶାରେ ଅନ୍ୟାନ୍ୟ ସ୍ଥାନରେ ରଥଯାତ୍ରା ପାଇଁ ଦାବି ଉଠିବା ସ୍ଵାଭାବିକ। ତେବେ କେନ୍ଦ୍ରପଡ଼ାର ବଳଦେବଜୀଉ ମନ୍ଦିର ଓ ପୁରୀ ଶ୍ରୀମନ୍ଦିରର ଇତିହାସ ଅତ୍ୟନ୍ତ ଘନିଷ୍ଠ। ତୁଳସୀ କ୍ଷେତ୍ର ଓ ଶ୍ରୀକ୍ଷେତ୍ରର ସମ୍ପର୍କ ୧୭୦୦ ଖ୍ରୀଷ୍ଟାବ୍ଦ ସମୟର। ଏତେ ବର୍ଷର ସମ୍ପର୍କ ଆଉ କେଉଁଠି ଓଡ଼ିଶାରେ ନାହିଁ। କାର୍ତ୍ତିକ ମାସରେ ବଳଦେବଜୀଉ ମନ୍ଦିରକୁ ପୁରୀ ମନ୍ଦିରରୁ ପାଟବସ୍ତ୍ର ଯାଏ। ଯେତେବେଳେ କଳାପାହାଡ଼ ଆକ୍ରମଣ କଲା ସେତେବେଳେ କେବଳ କେନ୍ଦ୍ରାପଡ଼ାରେ ରଥଯାତ୍ରା ହୋଇଥିଲା ଓ ପୁରୀରେ ରଥଯାତ୍ରା ବନ୍ଦ ହୋଇଯାଇଥିଲା।

ଶ୍ରୀ ମହାପାତ୍ର କହିଛନ୍ତି ଯେ ବଳଦେବଜୀଉ ମନ୍ଦିରରେ ରଥ ଉପରର ନୀତିକାନ୍ତି କେବଳ ରଥ ଉପରେ ହୋଇପାରିବ। ମନ୍ଦିର ଭିତରେ ତାହା ହୋଇପାରିବ ନାହିଁ । ଶ୍ରୀକ୍ଷେତ୍ର ଓ ତୁଳସୀକ୍ଷେତ୍ର ସମେତ ଓଡ଼ିଶାରେ ୫ଟି ବୈଷ୍ଣବ କ୍ଷେତ୍ର ରହିଛି। ତେଣୁ ସରକାର ତୁଳସୀକ୍ଷେତ୍ରରେ ରଥ ନିର୍ମାଣ ପାଇଁ ଅନୁମତି ଦେବା ସହ ମହାପ୍ରଭୁଙ୍କୁ ରଥ ଉପରକୁ ଆଣିବା ପାଇଁ ବ୍ୟବସ୍ଥା କରନ୍ତୁ। କେବଳ ସେବାୟତମାନେ ରଥ ଉପରେ ନୀତିକାନ୍ତି କରିବେ। କୌଣସି ଭକ୍ତ ଯେମିତି ଯିବେ ନାହିଁ, ସେଥି ପାଇଁ ସରକାର ୧୪୪ ଧାରା ମଧ୍ୟ ଲାଗୁ କରିପାରିବେ। ଏହା ଦ୍ବାରା ଭକ୍ତ ମାନଙ୍କ ଭାବାବେଗ ଆଘାତ ହେବ ନାହିଁ ଓ କୋଭିଡ୍ କଟକଣା ମଧ୍ୟ ବଜାୟ ରହିବ । ପରମ୍ପରା, ସଂସ୍କୃତି, ଭାବାବେଗକୁ ଆଖି ଆଗରେ ରଖି ସରକାର ଏକ ବିକଳ୍ପ ବ୍ୟବସ୍ଥା ବାହାର କରନ୍ତୁ। ମୁଖ୍ୟମନ୍ତ୍ରୀ ଏଥିରେ ହସ୍ତକ୍ଷେପ କରିବାକୁ ‌ସେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର