ଭୁବନେଶ୍ବର : ଓଡ଼ିଆରେ ଆସିବ ବିଦ୍ୟୁତ୍ ବିଲ୍। ଆସନ୍ତା ଏପ୍ରିଲ ପହିଲାରୁ ପ୍ରତି ମାସର ବିଦ୍ୟୁତ୍ ବିଲ୍ ଏଣିକି ଆବଣ୍ଟନ କଂପାନିମାନେ ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ଦେବାକୁ ବାଧ୍ୟ। ଏହାଦ୍ବାରା ରାଜ୍ୟର ଗ୍ରାମାଞ୍ଚଳ ଗ୍ରାହକମାନେ ସେମାନଙ୍କ ବିଦ୍ୟୁତ୍ ବିଲ୍ ସମ୍ପର୍କରେ ବୁଝିପାରିବେ। ଟାଟା ପାୱାର ପଶ୍ଚିମ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍(ଟିପିଡବ୍ଲୁଓଡିଏଲ୍) ଆବେଦନ ଉପରେ ଚାଲିଥିବା ଜନଶୁଣାଣିରେ ଭାଗନେଇ ଆପତ୍ତିକର୍ତ୍ତା(ଅବଜେକ୍ଟର) ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଆଜି ଏନେଇ ଦୃଢ଼ ଦାବି ରଖିବା ପରେ ଆୟୋଗ ଏଭଳି ନିଷ୍ପତ୍ତି ଶୁଣାଇଛନ୍ତି। ଆୟୋଗ କହିଛନ୍ତି ଯେ କିଛି କିଛି ସ୍ଥାନରେ ଏହା କରାଯାଉଛି। ହେଲେ ଏପ୍ରିଲ ପହିଲାରୁ ରାଜ୍ୟର ୪ଟି ଯାକ ବିଦ୍ୟୁତ୍ ଆବଣ୍ଟନ ସଂସ୍ଥା ଏଦିଗରେ ପଦକ୍ଷେପ ନେବାକୁ ହେବ।
ଓଇଆର୍ସି ସଦସ୍ୟ ସୁଶାନ୍ତ କୁମାର ରାୟମହାପାତ୍ର ମଧ୍ୟ ଇଂରାଜୀ ଭାଷାର ବ୍ୟାପକ ପ୍ରୟୋଗକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ଶ୍ରୀ ରାୟମହାପାତ୍ର କହିଥିଲେ ଯେ ଗ୍ରାମାଞ୍ଚଳର ସବୁ ଲୋକ ଇଂରାଜୀ ଭାଷା ବୁଝିବା ସମ୍ଭବପର ନୁହେଁ। ଆବଣ୍ଟନ କମ୍ପାନିମାନେ ଯେଉଁମାନଙ୍କୁ ନିଯୁକ୍ତ କରୁଛନ୍ତି, ସେମାନେ କିଭଳି ଓଡ଼ିଆ ଭାଷାରେ ସାଧାରଣ ଲୋକଙ୍କୁ ସେବା ଯୋଗାଇବେ, ସେଦିଗରେ ପଦକ୍ଷେପ ନିଅନ୍ତୁ। ପ୍ରତି ମାସରେ ଦିଆଯାଉଥିବା ବିଲ୍ଗୁଡ଼ିକ ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ଆସିବା ଦରକାର। ଫଳରେ ଉପଭୋକ୍ତା କେଉଁଥିପାଇଁ କେତେ ଟଙ୍କା ଦେଲେ ତାହା ଠିକ୍ ଭାବେ ଜାଣିପାରିବେ। ଓଇଆର୍ସିର ଅନ୍ୟତମ ସଦସ୍ୟ ଗଜେନ୍ଦ୍ର ମହାପାତ୍ର ମଧ୍ୟ ଓଡ଼ିଆରେ ବିଲ୍ ପ୍ରଦାନକୁ ଗୁରୁତ୍ବ ଦେଇଥିଲେ।
ଶୀତଳଭଣ୍ଡାର ପାଇଁ ରିହାତି ଦିଆଯାଉ: ବିଭୁ ସ୍ବାଇଁ
କୃଷି କ୍ଷେତ୍ର ପାଇଁ ସ୍ବତନ୍ତ୍ର ଟାରିଫ୍ ପ୍ରସଙ୍ଗ ବି ଉଠିଲା
ଓଇଆର୍ସିରେ ଟିପିଡବ୍ଲୁଓଡିଏଲ୍ର ଶୁଣାଣି
New Indian Expressଆଜି ଆୟୋଗ ସଦସ୍ୟ ଗଜେନ୍ଦ୍ର ମହାପାତ୍ର ଏବଂ ସଦସ୍ୟ ସୁଶାନ୍ତ କୁମାର ରାୟଙ୍କ ଉପସ୍ଥିତିରେ ଟାଟା ପାୱାର ପଶ୍ଚିମ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍(ଟିପିଡବ୍ଲୁଓଡିଏଲ୍) ପ୍ରାରମ୍ଭିକ ତଥ୍ୟ ପ୍ରଦାନ କରିଥିଲେ। ଏହା ପରେ ପୁଣେର ଵାଇଜ୍ ସଂସ୍ଥା ସମୀକ୍ଷା ରିପୋର୍ଟ ଉପସ୍ଥାପନ କରିଥିଲେ। ଯଦିଓ ପୂର୍ବତନ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଆୟୋଗର ଅଧ୍ୟକ୍ଷ ଭାବେ ଇତିମଧ୍ୟରେ ଦାୟିତ୍ବ ଗ୍ରହଣ କରିସାରିଛନ୍ତି, ଆଜିର ଶୁଣାଣିରେ କିନ୍ତୁ ସେ ଭାଗ ନେଇନଥିଲେ।
ଶୁଣାଣିରେ ଭାଗ ନେଇ ଆପତ୍ତିକର୍ତ୍ତା ଶ୍ରୀ ପଟ୍ଟନାୟକ ଆୟୋଗର ଉଭୟ ସଦସ୍ୟଙ୍କୁ ପ୍ରଶଂସା କରିବା ସହିତ ଅଧ୍ୟକ୍ଷ ନିଯୁକ୍ତି ନେଇ ସରକାରଙ୍କ ତତ୍ପରତା ପାଇଁ ସାଧୁବାଦ ଜଣାଇଥିଲେ। ଶ୍ରୀ ପଟ୍ଟନାୟକ କହିଥିଲେ, ଆଜି ଶୁଣାଣିର ଶେଷ ପର୍ଯ୍ୟାୟ। ସମୁଦାୟ ପ୍ରକ୍ରିୟାରେ ଯେତେସବୁ ଆଲୋଚନା ହେଲା, ତାହାକୁ ତନ୍ନ ତନ୍ନ କରି ଅନୁଧ୍ୟାନ କରିବା ପରେ ଏକଥା ସ୍ପଷ୍ଟ ହେଉଛି ଯେ ଏଥର ବିଦ୍ୟୁତ୍ ଦର ବଢ଼ିବାର ପ୍ରଶ୍ନ ଉଠୁ ନାହିଁ। ବରଂ କିଛି କମିବ ବୋଲି ଆଶା କରାଯାଉଛି। ଆୟୋଗ ଏ ଦିଗରେ ଆବଶ୍ୟକ ନିର୍ଦ୍ଦେଶ ଦେବେ ବୋଲି ଅପେକ୍ଷା କରୁଛୁ। ସେହିଭଳି ଗତ ବର୍ଷଗୁଡ଼ିକରେ ଗ୍ରାହକଙ୍କଠାରୁ ୨୭୨୭ କୋଟି ଟଙ୍କା ଅଧିକ ଆଦାୟ କରାଯାଇଛି। ନିୟମ ଅନୁଯାୟୀ ଆବଣ୍ଟନ କମ୍ପାନିମାନେ ତାହାକୁ ଗ୍ରାହକଙ୍କୁ ସୁଧ ସହିତ ଫେରାଇବେ। ଏ ଦିଗରେ ଆୟୋଗ ପଦକ୍ଷେପ ନେବା ସହ ଉପଭୋକ୍ତାଙ୍କୁ ଫେରାଇବାର ବାଟ ବାହାର କରିବା ଆବଶ୍ୟକ। ଗ୍ରିଡ୍କୋର ଯେଉଁ ଖର୍ଚ୍ଚ ହେଉଛି, ତାହା ଗ୍ରାହକଙ୍କ ଉପରେ ପଡ଼ୁଛି। ଏଭଳି ହେବା କଥା ନୁହେଁ। ରାଜ୍ୟ ସରକାର ଉକ୍ତ ଖର୍ଚ୍ଚ ବହନ କରନ୍ତୁ ଏବଂ ଗ୍ରିଡ୍କୋକୁ ଏକ ପାୱାର ଟ୍ରେଡର୍ ଭାବେ ଯେତିକି କମିସନ୍ ପାଇବା କଥା, ତାହା ଦିଆଯାଉ। ଫଳରେ ଗ୍ରାହକଙ୍କ ଉପରେ ଆଉ ବୋଝ ପଡ଼ିବ ନାହିଁ ବୋଲି ଶ୍ରୀ ପଟ୍ଟନାୟକ ଆୟୋଗଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।
ଆଲୋଚନାରେ କୁହାଯାଇଥିଲା ଯେ ୨୦୨୧-୨୨ ଆର୍ଥିକ ବର୍ଷ ଲାଗି ୪ଟି ଯାକ ଆବଣ୍ଟନ କମ୍ପାନିଙ୍କର ବାର୍ଷିକ ଦକ୍ଷତା ଓ ପାରଦର୍ଶିତା ସମୀକ୍ଷା ସମୟରେ ଆୟୋଗ ସମୁଦାୟ ୨୭୩୯୬.୧୧ମିଲିୟନ୍ ୟୁନିଟ୍(ଏମ୍ୟୁ) ବିଦ୍ୟୁତ୍ କ୍ରୟ କରାଯିବା ସଂପର୍କରେ ନିରୂପଣ କରିଛନ୍ତି। ତାହାକୁ ବିଭିନ୍ନ ବର୍ଗର ଉପଭୋକ୍ତାଙ୍କ ମଧ୍ୟରେ ବଣ୍ଟନ କରାଯାଇଛି। ଇଏଚ୍ଟି ବର୍ଗର ଉପଭୋକ୍ତାଙ୍କ ଲାଗି ୬୦୦.୨୩ ଏମ୍ୟୁ, ଏଚ୍ଟି ଉପଭୋକ୍ତାଙ୍କ ପାଇଁ ୪୨୫୧ ଏମ୍ୟୁ, ଏଲ୍ଟି ଉପଭୋକ୍ତାଙ୍କ ପାଇଁ ୧୫୭୭୨.୩୮ ଏମ୍ୟୁ ଏଭଳି ବଣ୍ଟନ କରାଯାଇଛି। ସମସ୍ତ ବର୍ଗଙ୍କୁ ଆୟୋଗ ୨୬,୦୨୪.୬ ଏମ୍ୟୁ ବଣ୍ଟନ କରିଛନ୍ତି, ଯାହାକି କ୍ରୟ କରିଥିବା ବିଦ୍ୟୁତ୍ରୁ ୧୩୭୧.୫୦ ମିଲିୟନ୍ ୟୁନିଟ୍ କମ୍ ରହିଛି। ଉକ୍ତ ଅସଙ୍ଗତିକୁ ଆପତ୍ତି କର୍ତ୍ତାମାନେ ଆୟୋଗଙ୍କ ସମ୍ମୁଖରେ ଉପସ୍ଥାପନ କରି କହିଲେ ଯେ ଆୟୋଗ ପୂର୍ଣ୍ଣ ସାମ୍ବିଧାନିକ ଅନୁଷ୍ଠାନ। ତେଣୁ ଉକ୍ତ ୧୩୭୧.୫୦ ମିଲିୟନ୍ ୟୁନିଟ୍ କୁଆଡ଼େ ଗଲା, ତାହାର ହିସାବ ସମୀକ୍ଷା ବୈଠକରେ ଧରି ନପାରିବା ଚିନ୍ତାର ବିଷୟ। ଯଦି ଆୟୋଗ କ୍ଷତି ନିରୂପଣ କରିବାରେ ଅସଫଳ ହେବେ, ତେବେ ଆବଣ୍ଟନ କମ୍ପାନିଗୁଡ଼ିକ କିଭଳି କ୍ଷତି କମାଇବେ ବୋଲି ଆପତ୍ତିକର୍ତ୍ତାମାନେ ପ୍ରଶ୍ନ କରିଥିଲେ।
ଶକ୍ତି ସମୀକ୍ଷକ ଆନନ୍ଦ ମହାପାତ୍ର କହିଲେ, ଆବଣ୍ଟନ କମ୍ପାନି ଯେଉଁ ପୁଞ୍ଜିନିବେଶ କରୁଛନ୍ତି ତାହା ୩୦:୭୦ ଅନୁପାତରେ ରହିବା ଆବଶ୍ୟକ। ୩୦% ଅଂଶଧନ ଉପରେ ଆବଣ୍ଟନ କମ୍ପାନି ୧୬% ହିସାବରେ ରିଟର୍ଣ୍ଣ ଅଫ୍ ଇକ୍ୟୁଇଟି ପାଇବ। ତେଣୁ ତାହା ଉପରେ କୌଣସି ଡେପ୍ରିସିଏସନ୍ ଅନୁମୋଦନ କରିବା ଯୁକ୍ତିଯୁକ୍ତ ନୁହେଁ। ସେହିପରି ଗ୍ରିଡ୍କୋ ଅଂଶଧନ ବାବଦରେ ଯେଉଁ ସରକାରୀ ଅନୁଦାନରେ ଗଠିତ ସମ୍ପତ୍ତିକୁ ହସ୍ତାନ୍ତର କରିବ, ତାହା ଉପରେ ୧୬% ରିଟର୍ଣ୍ଣ ଅଫ୍ ଇକ୍ୟୁଇଟି ଓ ଡେପ୍ରିସିଏସନ୍ ପାଇପାରିବ ନାହିଁ। କାରଣ ଗ୍ରିଡ୍କୋ ତାହା ଉପରେ କୌଣସି ଖର୍ଚ୍ଚ କରୁ ନାହିଁ।
lmd.lkଉତ୍କଳ ଚାମ୍ବର ଅଫ୍ କମର୍ସ ଆଣ୍ଡ୍ ଇଣ୍ଡଷ୍ଟ୍ରି ପକ୍ଷରୁ ବିଭୂ ଚରଣ ସ୍ବାଇଁ ଭାଗନେଇ କହିଲେ ଶୀତଳଭଣ୍ଡାର ଅଭାବ ପାଇଁ ପ୍ରତିବର୍ଷ ଓଡ଼ିଶାର ଚାଷୀ କ୍ଷତି ସହୁଛନ୍ତି। ୧୪୪ ଶୀତଳଭଣ୍ଡାରରୁ ମାତ୍ର ୩୦ଟି ଏବେ ଚାଲୁଛି। ଏଭଳି ସ୍ଥିତି ହେବା ପଛରେ ବିଦ୍ୟୁତ୍ ସଂଯୋଗ ପ୍ରମୁଖ କାରଣ। ତେଣୁ ଶୀତଳଭଣ୍ଡାର କ୍ଷେତ୍ରରେ ରିହାତି ଦିଆଯିବା ଆବଶ୍ୟକ। କୃଷି କ୍ଷେତ୍ର ଲାଗି ସ୍ବତନ୍ତ୍ର ଟାରିଫ୍ ଧାର୍ଯ୍ୟ କରିବାକୁ ସେ ଆୟୋଗଙ୍କୁ ନିବେଦନ କରିଥିଲେ। ଅନ୍ୟତମ ଆପତ୍ତିକର୍ତ୍ତା ଠିକାଦାର ପ୍ରିୟବ୍ରତ ସାହୁ ଭାଗନେଇ କର୍ମଚାରୀଙ୍କୁ ଅଧିକ ଦରମା ଦେବା ନେଇ ଟିପିଡବ୍ଲୁଡିଏଲ୍ର ପ୍ରସ୍ତାବକୁ ବିରୋଧ କରିଥିଲେ। ବିଦ୍ୟୁତ୍ ବିଭାଗର ପୂର୍ବତନ ମୁଖ୍ୟ ଯନ୍ତ୍ରୀ ତଥା ଓଏସ୍ଇବିର ସଦସ୍ୟ(ସାଧାରଣ) ରାମପ୍ରସାଦ ମହାପାତ୍ର, ଅବସରପ୍ରାପ୍ତ ଇଲେକ୍ଟ୍ରିକାଲ ଇନ୍ସପେକ୍ଟର ଅକ୍ଷୟ କୁମାର ସାହାଣୀ, ପୂର୍ବତଟ ରେଳପଥ ସମେତ ୧୫ରୁ ଅଧିକ କମ୍ପାନି ଭାଗନେଇ ସେମାନଙ୍କ ଯୁକ୍ତି ଉପସ୍ଥାପନ କରିଥିଲେ।
ଆଜିର ଶୁଣାଣି ସମୟରେ ଆବଣ୍ଟନ କମ୍ପାନି ଟିପିଡବ୍ଲୁଓଡିଏଲ୍ ଉତ୍ତର ରଖିଥିଲେ ଯେ ବିଦ୍ୟୁତ୍ ଆଇନ ୨୦୦୩ର ଧାରା ୬୧, ୬୨ ଓ ୮୬ ଅନୁସାରେ ଯେଉଁ ଟାରିଫ୍ ନିର୍ଣ୍ଣୟ କରନ୍ତି ତାହା ଆୟୋଗଙ୍କ ଇଚ୍ଛାଧୀନ ଅଧିକାର। ଏହାକୁ ଆପର୍ତ୍ତିକର୍ତ୍ତାମାନେ ଜୋରଦାର ବିରୋଧ କରି କହିଥିଲେ ଯେ ବିଦ୍ୟୁତ୍ ଆଇନର ଧାରା ୬୧ରେ ଥିବା ଟାରିଫ୍ ନିର୍ଣ୍ଣୟ ଆୟୋଗଙ୍କ ବାଧ୍ୟତାମୂଳକ ବିଷୟ, ତାହା ଆୟୋଗଙ୍କ ଇଚ୍ଛାଧୀନ ଅଧିକାର ନୁହେଁ। ଆପର୍ତ୍ତିକର୍ତ୍ତା ଆହୁରି କହିଥିଲେ ଯେ ବିଦ୍ୟୁତ୍ ଆଇନ ଅନୁଯାୟୀ ଆୟୋଗ କାର୍ଯ୍ୟ କରିବେ। ଯଦି ବିଦ୍ୟୁତ୍ ଆଇନରେ ଏ ବ୍ୟବସ୍ଥା ରହିଛି ତେବେ ଟିପିଡବ୍ଲୁଓଡିଏଲ୍ କିଭଳି କହୁଛନ୍ତି ଯେ ଟାରିଫ୍ ନିର୍ଣ୍ଣୟ କରିବା ଆୟୋଗଙ୍କ ଇଚ୍ଛାଧୀନ ଅଧିକାର।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/electricity.jpg)