କୋଭିଡ୍ ପାଇଁ ଅକ୍ଷୟ ଶକ୍ତିର ଚାହିଦା ବଢ଼ିନାହିଁ

ଭୁବନେଶ୍ବର : ରାଜ୍ୟରେ ବିଦ୍ୟୁତ ଚାହିଦାକୁ ନଜରରେ ରଖି ଅକ୍ଷୟ ଶକ୍ତି କ୍ରୟ ଦାୟିତ୍ବ(ଆରପିଓ) ଅନୁପାଳନ କରିବା ପାଇଁ ଚଳିତବର୍ଷ ସୁଦ୍ଧା ୨୭୫୦ ମେଗାୱାଟ୍‌ ଅକ୍ଷୟ ଶକ୍ତି ଉତ୍ପାଦନର ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ମାତ୍ର ଅପେକ୍ଷାକୃତ କମ୍ ଅଭିବୃଦ୍ଧି ଓ କୋଭିଡ କାରଣରୁ ଆଶନୁରୂପ ଚାହିଦା ବୃଦ୍ଧି ହୋଇ ନ ଥିବା ସୂଚନା ଦେଇଛନ୍ତି ଶକ୍ତି ମନ୍ତ୍ରୀ ପ୍ରତାପ ଦେବ।

ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ଦେବ କହିଛନ୍ତି ଯେ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ସୋଲାର ସିୟୁଏଫ୍‌ କମ୍ ରହିଛି। ଆଇଏସ୍‌ଟିସି ଛାଡ଼ ଓ ପବନ ଶକ୍ତି କ୍ଷମତାର ଅଭାବ ଯୋଗୁଁ ରାଜ୍ୟରେ କମ୍ ସବୁଜ ଶକ୍ତିର ଉତ୍ପାଦନ ହୋଇଛି। ଗ୍ରିଡ୍‌କୋ ଦ୍ବାରା ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ(ଓଇଆରସି) ନିର୍ଧାରଣ କରିଥିବା ଆରପିଓ ଅନୁପାଳନ କରିବା ପାଇଁ ବିଭିନ୍ନ ସୂତ୍ରରୁ ଆରଇ ପାୱାର କ୍ରୟ କରାଯାଉଛି। ବର୍ତମାନସୁଦ୍ଧା ରାଜ୍ୟରେ ସ୍ଥାପିତ ବିଭିନ୍ନ ଅକ୍ଷୟ ଶକ୍ତି ପ୍ରକଳ୍ପରୁ ୫୬୫ ମେଗାୱାଟ ବିଦ୍ୟୁତ କ୍ରୟ କରାଯାଉଛି। ବିଦ୍ୟୁତ ବିତରଣ କମ୍ପାନିମାନଙ୍କରେ ବିଦ୍ୟୁତ କ୍ରୟ ରାଶିକୁ ନିୟନ୍ତ୍ରଣରେ ରଖିବା ପାଇଁ ଅନ୍ୟ ରାଜ୍ୟରୁ ସ୍ବଳ୍ପ ମୂଲ୍ୟରେ ଉପଲବ୍ଧ ହେଉଥିବା ୮୯୭ ମେଗାୱାଟ୍‌ କ୍ଷମତାର ଅକ୍ଷୟ ଶକ୍ତି ଗ୍ରିଡ୍‌କୋ ମାଧ୍ୟମରେ କିଣା ଯାଉଛି। ସମୁଦାୟ ୧୪୬୨ ମେଗାୱାଟ୍ ଅନୁବନ୍ଧିତ ଆରଇ ପାୱାର ଦ୍ବାରା ୨୦୨୧/୨୨ରେ ଓଇଆରସି ନିର୍ଧାରିତ ଆରପିଓର ୯୮ ପ୍ରତିଶତ ପର୍ଯ୍ୟନ୍ତ ଲକ୍ଷ୍ୟ ହାସଲ ହୋଇପାରିଛି।

କେନ୍ଦ୍ର ସରକାର ଚଳିତବର୍ଷ ଜୁଲାଇରେ ଆରପିଓ ଓ ଇନର୍ଜି ଷ୍ଟୋରେଜ୍ ଓବ୍ଲିଗେସନ୍ ଟ୍ରାଜେକ୍ଟୋରି ୨୦୨୯-୩୦ ସମ୍ବନ୍ଧୀୟ ଏକ ନିର୍ଦେଶନାମା ପ୍ରକାଶ କରିଛନ୍ତି। ଏହାସହ ଏକ ସଂଶୋଧନ ପ୍ରକାଶ କରିଛନ୍ତି। ଏହି ନିର୍ଦେଶନାମା ଅନୁଯାୟୀ ରାଜ୍ୟମାନେ ନିଜ ଚାହିଦାର ନିର୍ଦ୍ଦିଷ୍ଟ ପରିମାଣ ଅକ୍ଷୟ ଶକ୍ତିରୁ ଉତ୍ପାଦିତ ହେଉଥିବା ବିଦ୍ୟୁତ ଶକ୍ତି ମାଧ୍ୟମରେ ପୂରଣ କରିବା ପାଇଁ ଲକ୍ଷ୍ୟ ପ୍ରଦାନ କରିଛନ୍ତି। ଯାହାକି ଆର୍ଥିକ ବର୍ଷ ୨୦୨୨/୨୩ରେ ୨୪.୬୧ ପ୍ରତିଶତରୁ ବୃଦ୍ଧି ପାଇ ୨୦୨୯/୩୦ ସୁଦ୍ଧା ୪୩.୩୩ ପ୍ରତିଶତ ହେବ। ଏହି ଲକ୍ଷ୍ୟ ପୂରଣ ପାଇଁ ଗ୍ରିଡ୍‌କୋ ଓଇଆରସିଙ୍କ ଅନୁମୋଦନକ୍ରମେ ଆରଇ ଉତ୍ସରୁ ଆବଶ୍ୟକ ବିଦ୍ୟୁତ ଶକ୍ତି କ୍ରୟ କରିବା ପାଇଁ ପର୍ଯ୍ୟାୟକ୍ରମେ ଚୁକ୍ତିନାମା କରିଛନ୍ତି। ଏଥିପାଇଁ ୨୦୨୫ ପର୍ଯ୍ୟନ୍ତ ଶକ୍ତି ଉତ୍ପାଦନ ଆରମ୍ଭ ହେବାକୁ ଥିବା ଅନୁବନ୍ଧିତ ଆରଇ ପ୍ରକଳ୍ପ ଓ ୨୦୩୦ ପର୍ଯ୍ୟନ୍ତ ଜଳ ବିଦ୍ୟୁତ ପ୍ରକଳ୍ପ ଉତ୍ପାଦନ ଆରମ୍ଭ ହେବାକୁ ଯାଉଛି।

ଏହାସହ ରାଜ୍ୟ ସରକାର ଅଣପାରମ୍ପରିକ ଶକ୍ତି ନୀତି ୨୦୨୨ ପ୍ରଣୟନ କରିବାକୁ ଚାହୁଁଛନ୍ତି। ଏହି ନୀତି ମାଧ୍ୟମରେ ୨୦୩୦ ସୁଦ୍ଧା ରାଜ୍ୟରେ ବିଭିନ୍ନ ଉତ୍ସରୁ ପ୍ରାୟ ୧୧ହଜାର ମେଗାୱାଟ୍ ଅକ୍ଷୟ ଶକ୍ତି ଉତ୍ପାଦନ କ୍ଷମତା ହାସଲ କରିବାକୁ ଯୋଜନା ହୋଇଛି। ରାଜ୍ୟରେ ଅକ୍ଷୟ ଶକ୍ତିର ବିକାଶ ପାଇଁ ଓଡ଼ିଶା ଅକ୍ଷୟ ଶକ୍ତି ବିକାଶ ପାଣ୍ଠି ଗଠନ କରାଯିବାର ପ୍ରସ୍ତାବ ରହିଛି। ରାଜ୍ୟରେ ଉତ୍ପାଦିତ ଆରଇ ପାୱାରକୁ ବ୍ୟବହାର କରିବା ପାଇଁ ବିଭିନ୍ନ ପ୍ରୋତ୍ସାହନର ବ୍ୟବସ୍ଥା କରାଯାଇଛି।

ସମ୍ବନ୍ଧିତ ଖବର