ବଳକା ଚାଉଳ ଉଠାଣ ଦାବି ପୁଣି ଉଠିଲା: ଓଡ଼ିଶାର ଅଭିଯୋଗ; କେନ୍ଦ୍ର ଦେଇନି ୧୦ ହଜାର କୋଟିର ସବସିଡି

୨୦୧୪ରୁ ଅବହେଳା କରୁଥିଲେ, ୨୦୧୯ରୁ ସ୍ଥିତି ଜଟିଳ ହେଲାଣି
ପୀୟୂଷ ଗୋୟଲଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚିଠି, ଧାନ ଉଠାଇବାକୁ ବି କହିଲେ

ଭୁବନେଶ୍ବର : ଧାନ ସଂଗ୍ରହ ବାବଦରେ ଓଡ଼ିଶାକୁ କେନ୍ଦ୍ର ଦେଇନି ୧୦ ହଜାର ୩୩୪ କୋଟି ଟଙ୍କା। ଏଥିରେ ପ୍ରୋଭିଜନାଲ ସବ୍‌ସିଡି ବାବଦରେ ୭୯୩୧.୯୦ କୋଟି, ଅଗ୍ରୀମ ସବ୍‌ସିଡି ପ୍ରଦାନ ବାବଦକୁ ୨୪୦୨.୧୯ କୋଟି ଟଙ୍କା ରହିଛି। କେନ୍ଦ୍ର ସରକାରଙ୍କ ଦ୍ୱାରା ସବ୍‌ସିଡି ଅର୍ଥ ପ୍ରଦାନରେ ବିଳମ୍ବ ଏବଂ ସ୍ୱଳ୍ପ ପରିମାଣରେ ଅର୍ଥ ପ୍ରଦାନ ଯୋଗୁଁ ନିଗମକୁ ୫୪୫୪.୬୭ କୋଟି ଟଙ୍କାର ଅତିରିକ୍ତ ସୁଧ ବହନ କରିବାକୁ ପଡ଼ୁଥିବା କହିଛନ୍ତି ରାଜ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ। ଏଥିଯୋଗୁଁ ରାଜ୍ୟ ଯୋଗାଣ ନିଗମ ଗୁରୁତର ଆର୍ଥିକ ଚାପର ସାମ୍ନା କରୁଛି। ଧାନସଂଗ୍ରହ ବାବଦରେ ବକେୟା ସବ୍‌ସିଡି ଅର୍ଥ ପ୍ରଦାନ, ବଳକା ଚାଉଳ ଉଠାଣ, ଭାରତୀୟ ଖାଦ୍ୟ ନିଗମରୁ ଗହମ ଉଠାଣ ଏବଂ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଶତପ୍ରତିଶତ ଚାଉଳ ଯୋଗାଣ ଆଦି ସମସ୍ୟାର ତୁରନ୍ତ ସମାଧାନ ପାଇଁ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ପୀୟୂଷ ଗୋୟଲଙ୍କୁ ପତ୍ର ଲେଖିଛନ୍ତି।

୨୦୦୩ ମସିହା ପୂର୍ବରୁ ଅଭାବୀ ବିକ୍ରି ସମସ୍ୟା ଗୁରୁତର ହୋଇପଡ଼ିଥିଲା। ସ୍ଥିତି ଏଭଳି ହୋଇଥିଲା ଯେ ଧାନ ବିକ୍ରିକୁ ନେଇ ବରଗଡ଼ ଚାଷୀ ବାବୁ ରାଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆତ୍ମହତ୍ୟା କରିବା ଘଟଣା ଆଜି ବି ଓଡ଼ିଆ ଚାଷୀଙ୍କ ମନରୁ ଯାଇନାହିଁ। ଏହାକୁ ନେଇ ବଡ଼ ଧରଣର ଚାଷୀ ଆନ୍ଦୋଳନ ହୋଇଥିଲା। ଓଡ଼ିଶା ସମେତ ସମଗ୍ର ଦେଶରେ ଅଭାବୀ ବିକ୍ରି ସମସ୍ୟା ସମାଧାନ ପାଇଁ ଚାଷୀଙ୍କ ଠାରୁ ସିଧାସଳଖ ଧାନ କିଣିବାକୁ କେନ୍ଦ୍ର ସରକାର ଏଫସିଆଇକୁ ଦାୟିତ୍ବ ଦେଲେ। କେନ୍ଦ୍ର ଏବଂ ରାଜ୍ୟର ବୁଝାମଣା ଆଧାରରେ ରାଜ୍ୟ ସରକାର ଚାଷୀଙ୍କ ଠାରୁ ଧାନ ସଂଗ୍ରହ କଲେ। ଏସଂକ୍ରାନ୍ତରେ ହେଉଥିବା ଖର୍ଚ କେନ୍ଦ୍ର ଦେବ ବୋଲି ଚୁକ୍ତି ସ୍ବାକ୍ଷାରିତ ହେଲା। ସେହି ଆଧାରରେ ରାଜ୍ୟ ସରକାରଙ୍କ ଏଜେଣ୍ଟ ଭାବରେ ପେକ୍ସ ଚାଷୀଙ୍କ ଠାରୁ ଧାନ ସଂଗ୍ରହ କରୁଛି। ହେଲେ ୨୦୧୪ ମସିହାରୁ କେନ୍ଦ୍ର-ରାଜ୍ୟ ମଧ୍ୟରେ ପ୍ରାପ୍ୟ ପ୍ରଦାନକୁ ନେଇ ବିବାଦ ମୁଣ୍ଡ ଟେକିଛି। କେନ୍ଦ୍ର ଧାନ କିଣା ବାବଦ ଟଙ୍କା ଦେବା କ୍ଷେତ୍ରରେ ଟାଳଟୁଳ ନୀତି ଅବଲମ୍ବନ କରୁଥିବା ଅଭିଯୋଗ ବଢ଼ିଚାଲିଛି। ୨୦୧୯ ମସିହାରୁ କେନ୍ଦ୍ର ସବସିଡି ଟଙ୍କା ପ୍ରଦାନରେ ଗୁରୁତର ଅବହେଳା କରିଛି ବୋଲି ରାଜ୍ୟ ଏହି ଅଭିଯୋଗରେ ଆଉ ଗୋଟିଏ ନୂଆ କଥା ଯୋଡ଼ିଛି। ୨୦୧୯ ମସିହାରେ କେନ୍ଦ୍ର ଓଡ଼ିଶାକୁ ବକେୟା ପ୍ରାପ୍ୟ ବାବଦରେ ୧୦ କୋଟି ଟଙ୍କା ଦେଇନଥିଲା। ତା’ ପରଠାରୁ ଏହା ବଢିବାରେ ଲାଗିଛି। ରାଜ୍ୟ ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ୨୦୧୪ ମସିହାରେ ୧୨୦.୫୬ କୋଟି, ୨୦୧୫ ମସିହାରେ ୧୬୦.୭୫ କୋଟି, ୨୦୧୬ ମସିହାରେ ୧୦୪.୪୬ କୋଟି, ୨୦୧୭ ମସିହାରେ ୨୮୨.୪୨ କୋଟି, ୨୦୧୮ ମସିହାରେ ୨୫୮.୪୨ କୋଟି, ୨୦୧୯ ମସିହାରେ ୧୦୬୭୫.୪୧ କୋଟି, ୨୦୨୦ ମସିହାରେ ୧୩୭୦.୪୪ କୋଟି, ୨୦୨୧ ମସିହାରେ ୨୯୮୮.୪୦ କୋଟି ଟଙ୍କା କେନ୍ଦ୍ର ବକେୟା ରହିଛି।

ଚିଠିରେ ଆହୁରି ଉଲ୍ଲେଖ ରହିଛି ଯେ ଖରିଫ ବିପଣନ ଋତୁ ୨୦୨୧-୨୨ରେ ରାଜ୍ୟ ୫୨ ଲକ୍ଷ ମେଟ୍ରିକ ଟନ୍‌ ଚାଉଳ ଉତ୍ପାଦନ କରିଥିଲା। ସେଥିରୁ ୩୯ ଲକ୍ଷ ମେଟ୍ରିକ ଟନ ସାଧାରଣ ବଣ୍ଟନ ବ୍ୟବସ୍ଥା ଓ ଅନ୍ୟ ଜନକଲ୍ୟାଣ ଯୋଜନାରେ ରାଜ୍ୟର ନିଜସ୍ୱ ଚାହିଦା ପୂରଣ ହେବା ପରେ ୧୩ ଲକ୍ଷ ମେଟ୍ରିକ ଟନ ବଳକା ଚାଉଳକୁ ଏଫସିଆଇ ଦ୍ୱାରା ତୁରନ୍ତ ଉଠାଣର ଆବଶ୍ୟକତା ରହିଛି। ଭାରତ ସରକାରଙ୍କ ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗ ଦ୍ୱାରା ପ୍ରଦତ୍ତ ଧାର୍ଯ୍ୟ ଲକ୍ଷ୍ୟ ୫ ଲକ୍ଷ ଟନ ଫର୍ଟିଫାଏଡ୍‌ ଉଷୁନା ଚାଉଳ ଏଫ୍‌ସିଆଇକୁ ଯୋଗାଣ ନିମନ୍ତେ ସମସ୍ତ ପଦକ୍ଷେପ ନିଆଯାଇଛି। ରାଜ୍ୟ ଅଧିକ ପରିମାଣରେ ଫର୍ଟିଫାଏଡ୍‌ ଉଷୁନା ଚାଉଳ ଯୋଗାଇଦେବା ପାଇଁ ସକ୍ଷମ ହୋଇଥିବାରୁ ଅତିରିକ୍ତ ଲକ୍ଷ୍ୟ ପ୍ରଦାନ ଲାଗି ମନ୍ତ୍ରୀ ଚିଠି ଦେଇଛନ୍ତି।

ଏତଦ୍‌ବ୍ୟତୀତ ପୁରୀ, ଖୋର୍ଦ୍ଧା ଏବଂ ନୟାଗଡ଼ ଜିଲ୍ଲା ନିମନ୍ତେ କଟକର ଜଗତପୁରସ୍ଥିତ ଏଫସିଆଇ ଡିପୋକୁ ଗହମ ଯୋଗାଣ କରିବା ପାଇଁ ଅନୁରୋଧ କରାଯାଇଛି। ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଓ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଆସାମ, ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ଗୋଆ ଏବଂ ତେଲେଙ୍ଗାନା ରାଜ୍ୟ ଭଳି ଓଡ଼ିଶାର ହିତାଧିକାରୀଙ୍କୁ ଶତପ୍ରତିଶତ ଚାଉଳ ଯୋଗାଇଦେବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ କେନ୍ଦ୍ରମନ୍ତ୍ରୀ ଶ୍ରୀ ଗୋୟଲଙ୍କୁ ପତ୍ର ମାଧ୍ୟମରେ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର