ଗହମ ନୁହେଁ, ଚାଉଳ ଦିଅ

ଭୁବନେଶ୍ୱର : ଓଡିଶାର ଗରିବ ଲୋକେ ଗହମ ବଦଳରେ ଚାଉଳ ନେବାକୁ ଚାହୁଁଛନ୍ତି। ତେଣୁ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ଆବଶ୍ୟକ ପରିମାଣ ଚାଉଳ ଯୋଗାଣ ପାଇଁ ରାଜ୍ୟ ସରକାର କେନ୍ଦ୍ରକୁ କହିଛନ୍ତି। ରାଜ୍ୟର ଖାଉଟିମାନେ ଚାଉଳ ମାଗୁଥିବାବେଳେ କେନ୍ଦ୍ର ସରକାର ଆବଶ୍ୟକତା ଠାରୁ ଅଧିକ ପରିମାଣ ଗହମ ପଠାଇବାରେ ଲାଗିଛନ୍ତି। ଲୋକଙ୍କ ଚାହିଦା ଦୃଷ୍ଟିରୁ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଚାଉଳ ଯୋଗାଇବା ଲାଗି ରାଜ୍ୟ ସରକାର ବାଧ୍ୟ ହେଉଛନ୍ତି। ତେଣୁ ଓଡିଶାକୁ ଅଧିକ ପରିମାଣର ଚାଉଳ ଯୋଗାଣପାଇଁ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ ସଚିବ ରବିକାନ୍ତଙ୍କୁ ଏ ସଂକ୍ରାନ୍ତରେ ପତ୍ର ଲେଖିଛନ୍ତି।

ମୁଖ୍ୟ ସଚିବ ତାଙ୍କ ପତ୍ରରେ ଦର୍ଶାଇଛନ୍ତି ଯେ ଓଡିଶା ଲୋକେ ଅଧିକ ଚାଉଳ ବ୍ୟବହାର କରୁଥିବାରୁ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ରାଜ୍ୟକୁ ଆବଶ୍ୟକ ପରିମାଣ ଚାଉଳ ଯୋଗାଯାଉ। ୨୦୧୫ ରୁ ୨୦୧୭ ମସିହା ମଧ୍ୟରେ କେନ୍ଦ୍ର ସରକାର ଓଡିଶାକୁ ଅଧିକ ପରିମାଣର ଗହମ ପଠାଇବାରେ ଲାଗିଛନ୍ତି। ରାଜ୍ୟ ସରକାର କିନ୍ତୁ ଲୋକଙ୍କ ଆବଶ୍ୟକ ଅନୁଯାୟୀ ଚାଉଳ ଯୋଗାଣ କରୁଛନ୍ତି। ବର୍ତ୍ତମାନ ପ୍ରାୟ ଏକ ଲକ୍ଷ ଟନ୍‌ ଚାଉଳର ଅଭାବ ପଡୁଛି ଯାହାକି ରାଜ୍ୟ ସରକାରଙ୍କ ପାଇଁ ସମସ୍ୟା ଉପୁଯାଇଛି। ଏଭଳି ସ୍ଥିତିରେ ରାଜ୍ୟକୁ ଏହି ପରିମାଣ ଚାଉଳ ଯୋଗାଣ ପାଇଁ ମୁଖ୍ୟ ଶାସନ ସଚିବ କେନ୍ଦ୍ର ସରକାରଙ୍କୁ କହିଛନ୍ତି।

ପୂର୍ବରୁ ଶ୍ରୀ ପାଢୀ ଏ ସଂକ୍ରାନ୍ତରେ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିବାବେଳେ କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରାଳୟ ଏଥିପ୍ରତି ଦୃଷ୍ଟି ଦେଉନାହାନ୍ତି। ସେହିଭଳି ଧାନ ପରିବହନ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟୟଭାରକୁ କେନ୍ଦ୍ର ସରକାର ଅହେତୁକ ଭାବେ ହ୍ରାସ କରିଦେଇଛନ୍ତି। ଏଥିଯୋଗୁଁ ବର୍ତ୍ତମାନ ସୁଦ୍ଧା ରାଜ୍ୟ ସରକାର ମିଲରମାନଙ୍କୁ ସେମାନଙ୍କ ପ୍ରାପ୍ୟ ଦେଇପାରୁ ନାହାନ୍ତି। ଧାନ ସଂଗ୍ରହ କାର୍ଯ୍ୟ ଜୋରଦାର ଚାଲିଥିବାବେଳେ ବର୍ତ୍ତମାନ ସୁଦ୍ଧା ୩୨.୫ ଲକ୍ଷ ମେଟ୍ରିକ ଟନ୍‌ ଧାନ ସଂଗ୍ରହ ହୋଇ ମିଲରମାନଙ୍କ ଠାରୁ ୭.୫ ଲକ୍ଷ ଟନ୍‌ ଚାଉଳ ମିଳିଛି। କିନ୍ତୁ ଏବେ ମିଲରମାନେ ସେମାନଙ୍କ ବିଭିନ୍ନ ପ୍ରାପ୍ୟକୁ ନେଇ ଅସନ୍ତୁଷ୍ଟ ହେବା ସହିତ ଧାନ ସଂଗ୍ରହ ପ୍ରକ୍ରିୟାରେ ଭାଗ ନେବାକୁ ରାଜି ହେଉନାହାନ୍ତି।

ଉଦାହରଣ ସ୍ୱରୂପ, ୨୦୧୬-୧୭ ବର୍ଷରେ ଗୋଟିଏ କୁଇଣ୍ଟାଲ ଧାନ ପରିବହନ ପାଇଁ କେନ୍ଦ୍ର ସରକାର ୩୬ ଟଙ୍କା ୧୮ ପଇସା ଧାର୍ଯ୍ୟ କରିଥିବାବେଳେ ୨୦୧୭-୧୮ରେ ତାହାକୁ ୪ ଟଙ୍କା ୬୫ ପଇସାକୁ ହ୍ରାସ କରିଛନ୍ତି। ସମସ୍ତ ସାମଗ୍ରୀର ଦର ବୃଦ୍ଧି ପାଉଥିବାବେଳେ କେନ୍ଦ୍ର ସରକାରଙ୍କ ଧାର୍ଯ୍ୟ ମୂଲ୍ୟରେ ପରିବହନ ସମ୍ଭବପର ନୁହେଁ ବୋଲି ମୁଖ୍ୟ ସଚିବ ଉଲ୍ଲେଖ କରିଛନ୍ତି। ଏହାବାଦ୍‌ ରାଜ୍ୟ ସରକାର ୨୦୧୫-୧୬ ବର୍ଷର ହିସାବ ଦାଖଲ କରିଥିବାବେଳେ ୨୦୧୬-୧୭ ବର୍ଷର ଅଡିଟ୍‌ ହିସାବ ଜାରି ରହିଛି। କିନ୍ତୁ କେନ୍ଦ୍ର ସରକାର ବର୍ତ୍ତମାନ ସୁଦ୍ଧା ହିସାବ ଚୂଡାନ୍ତ କରୁନାହାନ୍ତି। ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ସଚିବ ଭି.ଭି.ଯାଦବ ନିକଟରେ ଏହି ପ୍ରସଙ୍ଗ କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରାଳୟ ନିକଟରେ ଉପସ୍ଥାପନ କରିଥିଲେ। ପୂର୍ବବର୍ଷ ତୁଳନାରେ ୨୦୧୬-୧୭ ବର୍ଷରେ କେନ୍ଦ୍ର ସରକାର ୧୮ଟି ବିଭାଗରେ ଅତି କମ୍‌ ଦର ଧାର୍ଯ୍ୟ କରିଥିବା ସେ ଉଲ୍ଲେଖ କରିଥିଲେ।

ସଚିବ ଦର୍ଶାଇଛନ୍ତି ଯେ କିଛି ସପ୍ତାହ ପରେ ରବି ଧାନ ସଂଗ୍ରହପାଇଁ ସରକାର ପ୍ରସ୍ତୁତ ହେଉଥିବାବେଳେ ପ୍ରାରମ୍ଭିକ ଦେୟ ଦେଇନଥିବାରୁ ମିଲରମାନଙ୍କ ଉପରେ ଚାପ ପକାଇବା ପ୍ରଶାସନ ପକ୍ଷେ ସମ୍ଭବପର ନୁହେଁ। ଏହାକୁ ଦୃଷ୍ଟିରେ ରଖି ତୁରନ୍ତ ହିସାବ ଚୂଡାନ୍ତ ସହିତ ବାସ୍ତବ ସ୍ଥିତିକୁ ଦେଖି ପରିବହନ ଓ ଅନ୍ୟାନ୍ୟ ଦର ବୃଦ୍ଧି ଲାଗି ମୁଖ୍ୟସଚିବ ଶ୍ରୀ ପାଢୀ କେନ୍ଦ୍ରୀୟ ସଚିବ ଶ୍ରୀ ରବିକାନ୍ତଙ୍କୁ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର