ସମ୍ବଲପୁର: ଗଣପର୍ବ ନୂଆଁଖାଇ ପାଇଁ ରାଜଧାନୀ ଭୁବନେଶ୍ବରରୁ ପଶ୍ଚିମ ଓଡ଼ିଶାର ବିଭିନ୍ନ ସହରକୁ ସ୍ବତନ୍ତ୍ର ଟ୍ରେନ୍ ଚଳାଚଳ ପାଇଁ ଦାବି ଜୋରଧରିବାରେ ଲାଗିଛି। ଦେଶର ଅନ୍ୟ ପର୍ବ ଅପେକ୍ଷା ପଶ୍ଚିମ ଓଡ଼ିଶାର ପ୍ରମୁଖ ପର୍ବ ନୂଆଁଖାଇର ସ୍ବତନ୍ତ୍ରତା ରହିଛି। ଜୀବିକାର୍ଜନ ପାଇଁ ଦେଶର କୋଣଅନୁକୋଣରେ ବସବାସ କରୁଥିବା ପଶ୍ଚିମ ଓଡ଼ିଶାର ଲୋକେ ଯେମିତି ହେଲେ ବି ନୂଆଁଖାଇକୁ ସ୍ବଗୃହକୁ ଆସିଥାନ୍ତି। ଦୂରଦୂରାନ୍ତରେ ରହୁଥିବା ଲୋକେ ପ୍ରାୟତଃ ବହୁଦିନର ବ୍ୟବଧାନରେ ନିଜଘରକୁ ଆସୁଥିବାରୁ ନୂଆଁଖାଇର ୨/୩ ପୂର୍ବରୁ ସେମାନେ ବାହାରିଥାନ୍ତି।
ନୂଆଁଖାଇ ପାଳନ ସହିତ ଆତ୍ମୀୟ ସ୍ବଜନଙ୍କ ଗହଣରେ ୨/୩ ଦିନ ହସଖୁସିରେ ବିତାଇବା ପରେ ପୁଣି ଜୀବିକାର୍ଜନ ପାଇଁ ଯେଉଁଠି ରହୁଥାନ୍ତି, ସେହି ଜାଗାକୁ ଫେରିଯାଇଥାନ୍ତି। ଏହି କାରଣରୁ ବାହାରେ ରହୁଥିବା ପଶ୍ଚିମ ଓଡ଼ିଶାର ଲୋକଙ୍କୁ ପିଲାଛୁଆଙ୍କ ସହିତ ଘରକୁ ଆସିବା ପାଇଁ ବହୁ ଅସୁବିଧାର ସମ୍ମୁ୍ଖୀନ ହେବାକୁ ପଡ଼ିଥାଏ। ରାଜଧାନୀ ଭୁବନେଶ୍ବର ସହିତ ପୂର୍ବ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପଶ୍ଚିମ ଓଡ଼ିଶାର ଲୋକ ରହୁଛନ୍ତି। ଏହା ବ୍ୟତୀତ ଦେଶର ବିଭିନ୍ନ ପ୍ରାନ୍ତରେ ମଧ୍ୟ ଲକ୍ଷାଧିକ ଲୋକେ ବସବାସ କରୁଛନ୍ତି। ସବୁ ସହରକୁ ଯିବା ପାଇଁ ସିଧାସଳଖ ଟ୍ରେନ୍ ସଂଯୋଗ ନାହିଁ। ଫଳରେ ପ୍ରାୟତଃ ରାଜ୍ୟ ବାହାରେ ରହୁଥିବା ଲୋକେ ଟ୍ରେନ୍ କିମ୍ବା ବିମାନ ଯୋଗେ ଭୁବନେଶ୍ବର ଆସିବା ପରେ ସେଠାରୁ ପୁଣି ନିଜ ଗୃହ ଜିଲ୍ଲା/ସହରକୁ ଯାଇଥାନ୍ତି। ଉପଯୁକ୍ତ ଯୋଗାଯୋଗ ବ୍ୟବସ୍ଥା ଅଭାବରୁ ଉପକୂଳ ଜିଲ୍ଲାରେ ରହୁଥିବା ପଶ୍ଚିମ ଓଡ଼ିଶାର ଲୋକେ ମଧ୍ୟ ଭୁବନେଶ୍ବର ଆସିବା ପରେ ସେଠାରୁ ପୁଣି ନିଜ ଗନ୍ତବ୍ୟ ଅଭିମୁଖେ ବାହାରିଥାନ୍ତି।
ଭୁବନେଶ୍ବରରୁ ପଶ୍ଚିମ ଓଡ଼ିଶାକୁ ମାତ୍ର ଅଳ୍ପ କେତୋଟି ନିୟମିତ ଟ୍ରେନ୍ ଚଳାଚଳ କରୁଛି। ସେହି ଟ୍ରେନ୍ଗୁଡ଼ିକରେ ସାଧାରଣ ସମୟରେ ସିଟ୍/ଶଯ୍ୟା ମିଳିବା କଷ୍ଟକର ହୋଇପଡ଼ିଥାଏ। ଅନ୍ତତଃ ପକ୍ଷେ ଏକ ସପ୍ତାହ ପୂର୍ବରୁ ଟିକଟ ନକଲେ ସିଟ୍/ଶଯ୍ୟା ମିଳିବା ସମ୍ଭବ ହୋଇପାରୁନାହିଁ। ଦଶହରା, ରଥଯାତ୍ରା ଆଦି ସମୟରେ ଲୋକଙ୍କ ସୁବିଧା ଏବଂ ସମୟର ଆବଶ୍ୟକତାକୁ ଦୃଷ୍ଟିରେ ରଖି ରେଳବାଇ ପକ୍ଷରୁ ସ୍ବତନ୍ତ୍ର ଟ୍ରେନ୍ ଚଳାଚଳ କରାଯାଇଥାଏ। ଏଣୁ, ନୂଆଁଖାଇକୁ ଦୃଷ୍ଟିରେ ରଖି ଚଳିତ ଚର୍ଷ ଅନ୍ତତଃ ପକ୍ଷେ ଅଗଷ୍ଟ ୨୮ରୁ ସେପ୍ଟେମ୍ବର ୪ ତାରିଖ ମଧ୍ୟରେ ଭୁବନେଶ୍ୱର-ବେଲପାହାଡ଼, ଭୁବନେଶ୍ୱର-ଖରିଆର ରୋଡ୍, ଭୁବନେଶ୍ୱର-ଜୁନାଗଡ୍ ରୋଡ୍, ଭୁବନେଶ୍ବର ଟିଟିଲାଗଡ଼, ଭୁବନେଶ୍ବର-ରାଉରକେଲା ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ୍ ପ୍ରଚଳନ କରିବାକୁ ଦାବି ହୋଇଛି। ଅଂଚଳବାସୀଙ୍କ ପକ୍ଷରୁ ବହୁ ବର୍ଷ ହେଲା ଏଭଳି ଦାବି କରାଯାଇ ଆସୁଛି। ହେଲେ, ରେଳବାଇ ଏହି ଜନଦାବି ପ୍ରତି ଅଣଦେଖା କରିଆସୁଛି। ଏହାକୁ ନେଇ ଅଂଚଳବାସୀ ମନରେ ଅସନ୍ତୋଷ ଜମାଟ ବାନ୍ଧିବାରେ ଲାଗିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/Train-1.jpg)