ପଛୁଆ ବର୍ଗ ପିଲାଙ୍କ ପାଇଁ ଶିକ୍ଷାନୁଷ୍ଠାନରେ ୨୭% ସ୍ଥାନ ସଂରକ୍ଷଣ କରାଯାଉ

ଭୁବନେଶ୍ୱର : ପଛୁଆବର୍ଗ ବିକାଶ ମଞ୍ଚ ପକ୍ଷରୁ ପଛୁଆ ବର୍ଗର ବିଭିନ୍ନ ସମସ୍ୟାକୁ ନେଇ ଆଜି ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ପଛୁଆ ବର୍ଗ ପିଲାଙ୍କ ପାଠପଢ଼ା ପାଇଁ ୧୦୦ଟି ସ୍ଥାନରେ ଛାତ୍ରାବାସ ଓ ପ୍ରତ୍ୟେକ ଛାତ୍ରାବାସରେ ୧୦୦ ଲେଖାଏଁ ପିଲା ପାଠ ପଢ଼ିବାର ସୁବିଧା ପାଇବା ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ଏଥିରେ ସ୍ୱାଗତ କରାଯାଇଛି। କିନ୍ତୁ ନାମ ଲେଖା କ୍ଷେତ୍ରରେ ସେମାନଙ୍କ ପାଇଁ କୌଣସି ସଂରକ୍ଷଣ ବ୍ୟବସ୍ଥା ନଥିବାରୁ ଛାତ୍ରାବାସଗୁଡ଼ିକ ନାମକୁ ମାତ୍ର ପଡ଼ିରହିବ ବୋଲି ବୈଠକରେ ଦୁଃଖ ପ୍ରକାଶ କରାଯାଇଛି। ଏଣୁ ଏନେଇ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯିବା ସହ ରାଜ୍ୟ ସରକାର ପଛୁଆ ବର୍ଗର ପିଲାଙ୍କୁ ଉଚ୍ଚଶିକ୍ଷିତ କରିବା ପାଇଁ ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନରେ ୨୭% ସ୍ଥାନ ସଂରକ୍ଷଣ କରାଯିବା ନେଇ ଅନୁରୋଧ କରାଯାଇଛି। ଏହି ବୈଠକରେ ସଂଗଠନର ସଭାପତି କୃଷ୍ଣଚନ୍ଦ୍ର ପୃଷ୍ଟି, କାର୍ଯ୍ୟକାରୀ ସଭାପତି ଧୂଳେଶ୍ୱର ମାଣିଆ, ସାଧାରଣ ସଂପାଦକ ସରୋଜ ବେହେରା, ଉପସଭାପତି ଅର୍ଜୁନ ମହାକୁଡ଼ ଓ କଟକ ଜିଲ୍ଲା ସଂପାଦକ ସରୋଜ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର