ସମ୍ବଲପୁର: ପଶ୍ଚିମ ଓଡ଼ିଶାକୁ ଏକ ସ୍ବତନ୍ତ୍ର ରାଜ୍ୟରେ ପରିଣତ କରିବା ଦାବିରେ ଆଜି ସମ୍ବଲପୁର ବନ୍ଦ ସଫଳ ରହିଛି। ପଶ୍ଚିମ ଓଡ଼ିଶା ତଥା ସମ୍ବଲପୁରକୁ ରାଜ୍ୟ ସରକାରଙ୍କ ଅବହେଳା ନେଇ ଅଂଚଳରେ ଜନ ଅସନ୍ତୋଷ ବଢ଼ିବାର ଲାଗିଛି। ବନ୍ଦ ବେଳେ ଏହି ଜନ ଅସନ୍ତୋଷର ପ୍ରତିଫଳନ ଦେଖିବାକୁ ମିଳିଛି।
ପଶ୍ଚିମ ଓଡ଼ିଶାର ସମ୍ବଲପୁରରେ ହାଇକୋର୍ଟର ସ୍ଥାୟୀ ବେଂଚ ପ୍ରତିଷ୍ଠା ପାଇଁ ଦୀର୍ଘ ବର୍ଷରୁ ଜନସାଧାରଣ ତଥା ଓକିଲମାନେ ଆନ୍ଦୋଳନ ଚଳାଇ ଆସୁଥିଲେ ବି ରାଜ୍ୟ ସରକାର ଠୋସ୍ ପ୍ରସ୍ତାବ ଦେବା ପରିବର୍ତ୍ତେ ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି। ପଶ୍ଚିମ ଓଡ଼ିଶାକୁ ସବୁକ୍ଷେତ୍ରରେ ଅବହେଳା କରାଯାଉଥିବା ବେଳେ ରାଜ୍ୟ ସରକାର ସମ୍ବଲପୁରକୁ ଏକ ପ୍ରୟୋଗଶାଳା ଭାବି ସ୍ମାର୍ଟ ଇଲେକ୍ଟ୍ରିକ୍ ମିଟର, ପାଣି ମିଟର ଆଦି ଲଗାଇବା ଆରମ୍ଭ କରିଛି। ଗୋଟିଏ ପଟେ ଜନଦାବିକୁ ଉପେକ୍ଷା କରାଯାଉଥିବା ବେଳେ ଅନ୍ୟ ପଟେ ଲୋକଙ୍କ ଉପରେ ନୂଆ ବୋଝ ଲଦି ଦିଆଯାଉଛି। ଏସବୁ ନେଇ ଅସନ୍ତୁଷ୍ଟ ଥିବା ସମ୍ବଲପୁର ନାଗରିକ କ୍ରିୟାନୁଷ୍ଠାନ କମିଟିର ଆବାହକ ଅରବିନ୍ଦ ମହାପାତ୍ର ନେତୃତ୍ବରେ ବୁଧବାର ସମ୍ବଲପୁର ବନ୍ଦ ଡାକରା ଦିଆଯାଇଥିଲା।
ପଶ୍ଚିମ ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟରେ ପରିଣତ କରିବା, ସମ୍ବଲପୁରରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ସ୍ଥାପନ, ସମ୍ବଲପୁରୀ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ କରିବା, ସମ୍ବଲପୁରରେ ସ୍ମାର୍ଟ ଇଲେକ୍ଟ୍ରିକ୍ ମିଟିର ଓ ପାଣି ମିଟର ପ୍ରଚଳନ ବନ୍ଦ କରିବା ଦାବିରେ ସମ୍ବଲପୁର ବନ୍ଦ ଡାକରା ବେଶ୍ ପ୍ରଭାବଶାଳୀ ରହିଥିଲା। ଅପରପକ୍ଷରେ ଜିଲ୍ଲା ଓକିଲ ସଂଘର ପୂର୍ବ ଘୋଷିତ କାର୍ଯ୍ୟକ୍ରମ ଅନୁଯାୟୀ ହାଇକୋର୍ଟର ସ୍ଥାୟୀ ବେଞ୍ଚ ସ୍ଥାପନ ଦାବିରେ ଅଫିସ-ଅଦାଲତ ଅଚଳ ପାଇଁ ଓକିଲମାନେ ପିକେଟିଂ କରିଥିଲେ। ସମ୍ବଲପୁରରେ ସବୁ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ଦୋକାନ ବଜାର, ବ୍ୟାଙ୍କ ଆଦି ବନ୍ଦ ରହିଥିଲା। ନେଲ୍ସନ୍ ମଣ୍ଡେଲା ଛକରେ ନାଗରିକ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ କଚେରି ରାସ୍ତା ଅବରୋଧ କରି ଧାରଣା ଦିଆଯାଇଥିଲା।
ଫଳରେ ବିଚାରପତିମାନେ କୋର୍ଟକୁ ଯାଇନପାରି ଘରକୁ ଫେରି ଯାଇଥିଲେ। ଅପରପକ୍ଷରେ ଏହି ଧାରଣାରେ ବ୍ୟବସାୟୀ ସଂଘ, ବୀର ସୁରେନ୍ଦ୍ର ସାଏ ଅଟୋଚାଳକ ସଂଘ, ଶ୍ରମିକ ସଂଗଠନର ବହୁ ନେତା ସାମିଲ ହୋଇଥିଲେ। ନାଗରିକ କ୍ରିୟାନୁଷ୍ଠାନ କମିଟିର ପ୍ରଫୁଲ୍ଲ ହୋତା, ରାଜେନ୍ଦ୍ର ପଣ୍ଡା, ଦୀପକ ପଣ୍ଡା ପ୍ରମୁଖଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ଧାରଣାରେ ପଶ୍ଚିମ ଓଡ଼ିଶା କୃଷକ ସଂଗଠନ ସମନ୍ବୟ ସମିତିର ଆବାହକ ଅଶୋକ ପ୍ରଧାନ, ଜିଲ୍ଲା କୃଷକ ସୁରକ୍ଷା ସଂଗଠନର ବରିଷ୍ଠ ଉପସଭାପତି ହରିଶଙ୍କର ପୁରୋହିତ, ପୂର୍ବତନ ବିଧାୟକ ତଥା ଜିଲ୍ଲା କଂଗ୍ରେସ ସଭାପତି ଅଶ୍ବିନୀ ଗୁରୁ, କଂଗ୍ରେସ ନେତା ଆଶଫ ଅଲୀ ଖାନ, ବିଜୟଲକ୍ଷ୍ମୀ ବେହେରା, ସୁତପା ମିତ୍ର, ସିପିଆଇ ନେତା ଏନ୍. ଗୋପାଳ, ବିଜେପି ମହିଳା ମୋର୍ଚ୍ଚାର ଜିଲ୍ଲା ସଭାନେତ୍ରୀ ଅନ୍ନପୂର୍ଣ୍ଣା ବାରିକ, ପୂର୍ବତନ ନଗରପାଳ ରୀନା ତ୍ରିବେଦୀ, ଜୀବନ ବୀମା ଅଭିକର୍ତ୍ତା ସଂଘର ସଭାପତି ଦାମୋଦର କର, ଭାସ୍କର ପାଣ୍ଡେ ପ୍ରମୁଖଙ୍କ ସମେତ ବହୁ ସଂଗଠନର ସଦସ୍ୟ ଧାରଣାରେ ସାମିଲ ହୋଇଥିଲେ।
/sambad/media/post_attachments/wp-content/uploads/2022/11/29-16.jpg)
ବନ୍ଦ ବେଳେ ରାଜପଥରେ ଗାଡ଼ି ଚଳାଚଳକୁ ବାଦ୍ ଦିଆଯାଇଥିଲା। ଶିକ୍ଷାନୁଷ୍ଠାନଗୁଡ଼ିକରେ ପାଠପଢ଼ା ବନ୍ଦ ରହିଥିଲେହେଁ ମାଟ୍ରିକ ସହିତ ଅନ୍ୟାନ୍ୟ ପରୀକ୍ଷା ସ୍ବାଭାବିକ ଢଂଗରେ ହୋଇଥିଲା। ତେବେ, ବନ୍ଦ ଶାନ୍ତିପୂର୍ଣ୍ଣ ରହିଥିଲେହେଁ ଖୋଲାଥିବା କେନ୍ଦ୍ରୀୟ ଜିଏସ୍ଟି କାର୍ଯ୍ୟାଳୟ, ମୁଥୁଟ୍ ଫାଇନାନ୍ସରେ କେତେକ ବ୍ୟକ୍ତି ଜିନିଷପତ୍ର ସାମାନ୍ୟ ଫିଙ୍ଗାଫୋଫଡ଼ା କରିଥିବା ଜଣାପଡ଼ିଛି। ଶିକ୍ଷାନଗରୀ ବୁର୍ଲାରେ ବନ୍ଦ ବେଶ୍ ପ୍ରଭାବ ଦେଖିବାକୁ ମିଳିଥିଲା। ଶିଳ୍ପନଗରୀ ହୀରାକୁଦରେ କେତେକ ଦୋକାନ ବଜାର ଖୋଲାଥିବା ବେଳେ ସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ ଆଦି ବନ୍ଦ ରହିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/28-19.jpg)