ପିଆରଏମରେ ଡାଏଲିସିସ ପଜିଟିଭ୍ ମେସିନ ସ୍ଥାପନ ଦାବି

ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡି’ଙ୍କ ସହିତ ଆଲୋଚନା

ବାରିପଦା : ମଧୁମେହ ରୋଗରେ ପିଡ଼ୀତ ହୋଇ ବହୁ ଲୋକ ଡାଏଲିସିସ କରୁଛନ୍ତି । ଏହା ଏକ ନିରନ୍ତର ପ୍ରକ୍ରିୟା ହୋଇଥିବାରୁ ରୋଗୀମାନେ ନିୟମିତଭାବେ ଏହା କରୁଛନ୍ତି। ପିଆରଏମ ମେଡିକାଲ କଲେଜ୍ ଏଣ୍ଡ୍ ହସ୍ପିଟାଲ କିମ୍ବା ବାରିପଦା ମୁଖ୍ୟଡାକ୍ତରଖାନାରେ ଏହି ଡାଏଲିସିସ୍ ପଜିଟିଭ ମେସିନ ନ ଥିବାରୁ ରୋଗୀମାନଙ୍କୁ ବେସରକାରୀ ଡାକ୍ତରଖାନାରେ ଡାଏଲିସିସ କରିବାକୁ ପଡୁଛି। ଯାହାକି ବ୍ୟୟବହୁଳ । ତେଣୁ ଡାଏଲିସିସ କରୁଥିବା ଗରିବ ବା ମଧ୍ୟବିତ ପରିବାରର ରୋଗୀମାନେ ବହୁ ଦିନ ଧରି ବେସରକାରୀ ଡାକ୍ତରଖାନାରେ ଡାଏଲିସିସ କରିବା ପାଇଁ ସକ୍ଷମ ନୁହନ୍ତି ।

ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏହି ଡାଏଲିସିସ ପଜିଟିଭ୍ ମେସିନ ଥିବା ବେଳେ ମୟୁରଭଞ୍ଜ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କିମ୍ବା ପିଆରଏମ ମେଡିକାଲ କଲେଜରେ ଏହା ନଥିବାରୁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ରୋଗୀ । ତେଣୁ ଏନେଇ ଶିକ୍ଷାବିତ ପ୍ରଦୀପ ନାୟକ, ବିଜେଡି ନେତା ବାଂଛାନିଧି ଦାସ, ଚାନ୍ଦୁଆ ବ୍ଲକର ପୂର୍ବତନ ଅଧ୍ୟକ୍ଷ ଶୁଭ୍ରାଂଶୁ ଶେଖର ଦେଓବାବୁ ଆଜି ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡି’ଙ୍କ ସହିତ ଆଲୋଚନା କରିଛନ୍ତି । ମନ୍ତ୍ରୀ ଶ୍ରୀ ମାର୍ଣ୍ଡି ପୂର୍ବରୁ ସ୍ୱାସ୍ଥ୍ୟ ସଚିବଙ୍କୁ ଏ ବିଷୟରେ ଅବଗତ କରାଇଥିବା ଏବଂ ଆସନ୍ତା ସପ୍ତାହରେ ପୁନଶ୍ଚ ଏନେଇ ଆଲୋଚନା କରିବେ ବୋଲି ଆଶ୍ବାସନା ଦେଇଛନ୍ତି। ତେବେ ପିଆରଏମ କର୍ତ୍ତୃପକ୍ଷ ତୁରନ୍ତ ଏବାବଦରେ ରାଜ୍ୟ ସରକାରଙ୍କୁ ଅନୁରୋଧ କରି ଏହି ମେସିନ୍ ସ୍ଥାପନ କରିବାକୁ ଦାବି ହୋଇଛି।

ସମ୍ବନ୍ଧିତ ଖବର