ଓପିଜିସିରୁ ଏଇଏସ୍‌ ଅଧିକାରୀଙ୍କୁ ହଟାଇବା ଦାବି ଜୋର୍‌ ଧରିଲା

ବିଭାଗୀୟ ପ୍ରମୁଖ ସଚିବଙ୍କୁ ଚିଠି ଲେଖିଲା ଓପିଜିସି ଅଧିକାରୀ ସଂଘ

ଭୁବନେଶ୍ୱର : ସୁନ୍ଦରଗଡ଼ ବନହରପାଲିସ୍ଥିତ ଓପିଜିସିରେ ଏଇଏସ୍‌ କମ୍ପାନି ଦ୍ବାରା ନିଯୁକ୍ତ ହୋଇଥିବା ଅଧିକାରୀମାନଙ୍କୁ ହଟାଇବାକୁ ଆରମ୍ଭ ହୋଇଥିବା ଦାବି ଜୋର୍‌ ଧରିଛି। ଓପିଜିସି ଅଧିକାରୀ ସଂଘ ଏ ନେଇ ରାଜ୍ୟ ଶକ୍ତି ବିଭାଗର ପ୍ରମୁଖ ସଚିବଙ୍କୁ ଚିଠି ଲେଖିଛି। ପ୍ରମୁଖ ସଚିବଙ୍କୁ ଦିଆଯାଇଥିବା ଏହି ଚିଠି ଜରିଆରେ ସଂଘ ମୁଖ୍ୟମନ୍ତ୍ରୀ, ଶକ୍ତିମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଆଦିଙ୍କୁ ମଧ୍ୟ ଏହାର ନକଲ ଦେଇ ଓପିଜିସିଓଏର ଉପଦେଷ୍ଟା ତଥା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ, ବ୍ରଜରାଜନଗର ବିଧାୟକ କିଶୋର ପଟେଲ ପ୍ରମୁଖ ଏହା ଉପରେ ଦୃଢ଼ ପଦକ୍ଷେପ ନେବା ଲାଗି ଦାବି ଜଣାଇଛନ୍ତି। କହିଛନ୍ତି ଯେ ଏଇଏସ୍‌ କମ୍ପାନିର ୪୯ ପ୍ରତିଶତ ଅଂଶଧନ କିଣି ରାଜ୍ୟ ସରକାର ଓପିଜିସିର ସମ୍ପୂର୍ଣ୍ଣ ମାଲିକାନା ହାତକୁ ଆଣିବା ପରେ ଉକ୍ତ କମ୍ପାନି ଦ୍ବାରା ନିଯୁକ୍ତି ପାଇଥିବା ଅଧିକାରୀମାନେ ପୁଣି ଓପିଜିସିରେ ରହିବାକୁ ମସୁଧା ଚଳାଇଥିବାରୁ ଓପିଜିସି ଅଧିକାରୀ ସଂଘ ଏହାକୁ ବିରୋଧ କରୁଛି। ଏଇଏସ୍‌ ଅଧିକାରୀମାନଙ୍କ ପାଇଁ ଓପିଜିସିର ଶହଶହ କୋଟି କ୍ଷତି ହୋଇଥିବା ପରିପ୍ରେକ୍ଷୀରେ ଏଭଳି ଦାବିର ପ୍ରାସଙ୍ଗିକତା ସଂପର୍କରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛି।

ସଂଘର ଅଭିଯୋଗ ଅନୁସାରେ ଏଇଏସ୍‌ର ଏହି ଅଧିକାରୀମାନେ ବହୁ ଉଚ୍ଚ ଦରମାରେ ନିଯୁକ୍ତି ପାଇଥିଲେ। କିନ୍ତୁ ଯଥେଷ୍ଟ ବୈଷୟିକ ଜ୍ଞାନ ନ ଥିବା ଏହି ଅଧିକାରୀମାନଙ୍କ ପାଇଁ ଓପିଜିସି ପ୍ରକଳ୍ପ ଦୁଇ ବର୍ଷ ବିଳମ୍ବିତ ହେଲା ଓ ଏହା ଦ୍ବାରା ପ୍ରାୟ ଏକ ହଜାର କୋଟି ଅଧିକ ବ୍ୟୟ ଭାର ବଢ଼ିଯାଇଥିଲା। କେବଳ ସେତିକି ନୁହେଁ, ନୂଆ ପ୍ରକଳ୍ପ ଦୁଇ ବର୍ଷ ବିଳମ୍ବ ହେବାରୁ ସେଥିରୁ ହେବାକୁ ଥିବା ଆୟ ମଧ୍ୟ ବନ୍ଦ ହୋଇଗଲା। ଏଥିସହିତ ପାଉଁଶ ପରିଚାଳନା ବ୍ୟବସ୍ଥା ଅସମ୍ପୂର୍ଣ୍ଣ ରହିବାରୁ ଏହି ପ୍ଲାଣ୍ଟରୁ ଶତ ପ୍ରତିଶତ ଉତ୍ପାଦନ ହୋଇପାରିଲା ନାହିଁ ଓ ମାତ୍ର ୬୦ ପ୍ରତିଶତ ଉତ୍ପାଦନରେ ସୀମିତ ରହିଲା। ଏବେ ପାଉଁଶ ପରିଚାଳାନକୁ ସୁବ୍ୟବସ୍ଥିତ ପାଇଁ ଆହୁରି ଅଧିକ ଶହେ କୋଟି ଟଙ୍କା ଲାଗିବ ବୋଲି ଆକଳନ କରାଯାଇଛି। ତେଣୁ ଏହି ଅଧିକାରୀମାନଙ୍କ ପାଇଁ ଓପିଜିସି ପ୍ଲାଣ୍ଟ ଗ୍ରିଡ୍‌କୋ ସହ ଶତ ପ୍ରତିଶତ କାରବାର କରିବାକୁ ସକ୍ଷମ ହୋଇପାରିଲା ନାହିଁ। ସେହିଭଳି ବର୍ତ୍ତମାନ ସୁଦ୍ଧା ଏମ୍‌ଜିଆର୍‌ ରେଳପଥ ନିର୍ମାଣ ମଧ୍ୟ ଅସମ୍ପୂର୍ଣ୍ଣ ରହିଛି। ଫଳରେ ଓପିସିଏଲ୍‌ କୋଲ୍ ବ୍ଲକ୍‌ରୁ ପ୍ଲାଣ୍ଟ ସାଇଡ୍‌କୁ ସିଧାସଳଖ ମାଲ୍ ପରିବହନ ହୋଇପାରୁନାହିଁ। ସେଥିପାଇଁ ପ୍ଲାଣ୍ଟକୁ ଏମ୍‌ସିଏଲ୍‌ଠାରୁ ଅଧିକ ଦରରେ କୋଇଲା କିଣିବାକୁ ବାଧ୍ୟ ହେଉଛି। ଏହା କେବଳ ଏଇଏସ୍‌ ଅଧିକାରୀମାନଙ୍କ ଅବହେଳାରୁ ହୋଇଛି ବୋଲି ଓପିଜିସି ଅଧିକାରୀ ସଂଘ ଅଭିଯୋଗ କରିଛି। ସେହିଭଳି ଏଇଏସ୍‌ର ଆଉଟ୍‌ ସୋର୍ସିଂ କର୍ମଚାରୀଙ୍କୁ ଦରମା ବାବଦରେ ଶହେ କୋଟି ଟଙ୍କା ଦିଆଯାଇଥିଲେ ହେଁ ସେ ବାବଦରେ ପ୍ଲାଣ୍ଟକୁ ପଇସାଟିଏ ଫାଇଦା ହୋଇନାହିଁ। ଏଥିସହିତ ପିଜିସିଆଇଏଲ୍‌ ଲାଇନ୍‌ ବ୍ୟବହାର ହୋଇନଥିବାରୁ ପ୍ଲାଣ୍ଟ ଉପରେ ୧୩୦ କୋଟି ଟଙ୍କାର ପେନାଲ୍‌ଟି ଧାର୍ଯ୍ୟ ହୋଇଛି।

ଏତେ କ୍ଷତି ସତ୍ତ୍ବେ ଏଇଏସ୍‌ ଅଧିକାରୀମାନଙ୍କ ଅବହେଳାକୁ ନଜର ଅନ୍ଦାଜ କରାଯାଇଛି। ଏ ନେଇ ଓପିଜିସିଓଏ ପକ୍ଷରୁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ତାହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ଯଦି ଏଭଳି ଅଧିକାରୀମାନେ ପୁନଃନିଯୁକ୍ତି ପାଇବେ, ଓପିଜିସି ପ୍ଲାଣ୍ଟ ଆଗାମୀ ୬ ମାସ ମଧ୍ୟରେ ସମ୍ପୂର୍ଣ୍ଣ ରୁଗ୍‌ଣ ହୋଇ ପଡ଼ିବ ବୋଲି ସଂଘ ପକ୍ଷରୁ ଉକ୍ତ ଚିଠିରେ ଦର୍ଶାଯାଇଛି। ତେଣୁ ତୁରନ୍ତ ସରକାର ଏ ଦିଗରେ ପୁଙ୍ଖାନୁପୁଙ୍ଖ ତଦନ୍ତ କରି ବିହିତ ପଦ‌କ୍ଷେପ ସ୍ବରୂପ ଏଇଏସ୍‌ ଅଧିକାରୀମାନଙ୍କୁ ବହିଷ୍କାର କରି ଓପିଜିସି ପ୍ଲାଣ୍ଟକୁ ନୂଆରୂପରେ ଗଢ଼ିବାକୁ ସଂଘ ଅନୁରୋଧ କରିଛି।

ସମ୍ବନ୍ଧିତ ଖବର