କୋଇଡ଼ା: ବଣାଇ ଟ୍ରକ୍ ଓ ଟିପର ମାଲିକ ସଂଘ ପକ୍ଷରୁ ରେଙ୍ଗାଲବେଡ଼ା-ରାଜାମୁଣ୍ଡା ଜାତୀୟ ରାଜପଥ ମଧ୍ୟରେ ଥିବା ଜାମୁଡିହି ଟୋଲ୍ ଗେଟ୍‌ରେ ଟିକସଛାଡ଼ ପାଇଁ ଧାରଣା ଦେଇଥିଲେ। କୋଇଡା ବ୍ଲକ୍‌ବାସୀ ଓ ୫ଟି ରେଳସାଇଡିଂ ରେଞ୍ଜଡ଼ା, ବିମଳାଗଡ଼, ରକ୍ସି ୧ , ରକ୍ସି ୨, ପାଟାସାହିକୁ ଖଣି ମାଲ୍ ପରିବହନ କରୁଥିବା ଭାରୀଯାନ ଟିକସଛାଡ଼, ଟୋଲ୍‌ଗେଟ୍‌ରେ ସ୍ଥାନୀୟ ଅଞ୍ଚଳରୁ ନିଯୁକ୍ତି ଆଦି ପାଇଁ ଦାବି କରାଯାଇଛି।

Advertisment

ସିପିଆଇଏମ୍‌ ସାଧାରଣ ସମ୍ପାଦକ ପ୍ରମୋଦ କୁମାର ସାମଲ ଓ କୋଇଡା ବ୍ଲକ୍ ଅଧ୍ୟକ୍ଷ ସୁରେଶ ନାଏକଙ୍କ ନେତୃତ୍ଵରେ ରାଜ୍ୟ କମିଟି ସଭ୍ୟ ପ୍ରଭାତ ପଣ୍ଡା,ବଣାଇ ଟ୍ରକ୍ ଏବଂ ଟିପର ମାଲିକ ସଂଘ ସାଧାରଣ ସମ୍ପାଦକ ଅଶୋକ ସାମଲ, ଜାମୁଡିହି ଓ ସାନରକ୍ସି ସରପଞ୍ଚ ଆନନ୍ଦମାସୀ ହୋରୋ ସମେତ ଶତାଧିକ ଜନସାଧାରଣ ଟୋଲ୍ ଗେଟ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପରେ ଟୋଲ୍ କର୍ତ୍ତୃପକ୍ଷଙ୍କ ସହ ବୈଠକରେ ସମସ୍ତ ରେଳସାଇଡିଂ ଟ୍ରକ୍ ଓ ଟିପରମାନଙ୍କ ପାଇଁ ଟୋଲ୍‌ର ୫୦ ପ୍ରତିଶତ ଓ କୋଇଡ଼ା ବ୍ଲକ୍ ୪ ଚକିଆ ବାହନମାନଙ୍କ ପାଇଁ ଟିକସ ଛାଡ଼ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ୧୦ ତାରିଖ ବଣାଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବୈଠକ ହେବା ପାଇଁ ନିଷ୍ପତ୍ତି ନିଆଯାଇଥିଲା।