କେନ୍ଦୁଝର: ବହୁବର୍ଷ ଧରି କେନ୍ଦୁଝର ଧରଣୀଧର ସ୍ବୟଂଶାସିତ କଲେଜକୁ ବିଶ୍ବବିଦ୍ୟାଳୟ ମାନ୍ୟତା ପ୍ରଦାନ ପାଇଁ ଦାବି ହୋଇଆସୁଛି। କିଛିଦିନ ତଳେ ଜୟପୁରର ବିକ୍ରମଦେବ ସ୍ବୟଂଶାସିତ କଲେଜକୁ ବିଶ୍ବବିଦ୍ୟାଳୟ ମାନ୍ୟତା ମିଳିବା ପରେ ଆଜି କେନ୍ଦୁଝର ଜିଲ୍ଲାର ଶାସକ ବିଜେଡି ଦଳର ୫ଜଣ ବିଧାୟକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଡିଡି କଲେଜକୁ ମଧ୍ୟ ବିଶ୍ବବିଦ୍ୟାଳୟ ମାନ୍ୟତା ପ୍ରଦାନ କରିବାକୁ ଦାବି ଜଣାଇଛନ୍ତି। ବିଧାୟକମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ଖୁବ୍ଶୀଘ୍ର କେନ୍ଦୁଝରବାସୀଙ୍କ ଏହି ପୁରୁଣା ଦାବି ପୂରଣ ହେବ ବୋଲି ଆଶା କରାଯାଉଛି।
ସୂଚନା ଅନୁସାରେ, ବିକ୍ରମଦେବ ସ୍ବୟଂଶାସିତ କଲେଜକୁ ବିଶ୍ବବିଦ୍ୟାଳୟ ମାନ୍ୟତା ଘୋଷଣା ପରେ କିଛିଦନ ଧରି ଶାସକ ବିଜେଡି ଦଳର ତୁଙ୍ଗ ନେତାମାନେ ବାରମ୍ବାର ବୈଠକ କରୁଥିଲେ। ଡିଡି କଲେଜକୁ କିଭଳି ବିଶ୍ବବିଦ୍ୟାଳୟ ମାନ୍ୟତା ମିଳିବ, ସେନେଇ ବିଚାରବିମର୍ଷ ଚାଲିଥିଲା। ଏଠାରେ ଥିବା ଶ୍ରୀରାମଚନ୍ଦ୍ର ଭଞ୍ଜ ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍ରେ ଭିତ୍ତିଭୂମି ଅଭାବ ସହ ଡିଡି କଲେଜ କିଭଳି କେନ୍ଦୁଝର ଜିଲ୍ଲାର ଗୌରବ ଗାଥା ବହନ କରୁଛି, ସେନେଇ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଦଳର ବିଧାୟକମାନେ ସ୍ଥିର କରିଥିଲେ। ଘସିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର, ଆନନ୍ଦପୁର ବିଧାୟକ ଭାଗୀରଥି ସେଠୀ, ପାଟଣା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଜଗନ୍ନାଥ ନାୟକ ଓ ଚମ୍ପୁଆ ବିଧାୟିକା ମୀନାକ୍ଷୀ ମହାନ୍ତ, ଜିଲ୍ଲା ବିଜେଡି ସଭାପତି ମାଧବ ସର୍ଦ୍ଦାର, ପୂର୍ବତନ ଜିଲ୍ଲା ବିଜେଡି ସଭାପତି ଆଶିଷ ଚକ୍ରବର୍ତ୍ତୀ ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ। ତଦନୁଯାୟୀ ଆଜି ବିଧାୟକମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଏହି ଦାବିପତ୍ର ଦେଇଛନ୍ତି। ଆସନ୍ତା ୧୩ରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ କେନ୍ଦୁଝର ଗସ୍ତ ରହିଛି। ଗସ୍ତ ସମୟରେ କିମ୍ବା ଗସ୍ତ ପୂର୍ବରୁ ଡିଡି କଲେଜକୁ ବିଶ୍ବବିଦ୍ୟାଳୟ ମାନ୍ୟତା ପ୍ରଦାନ କରିବାକୁ ବିଧାୟକମାନେ ଦାବି ଜଣାଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/02/5f6sh654fh654fh65fhfhh.jpg)