ଜଳ ଓ ପରିମଳ ଅଧିକାରୀଙ୍କୁ ବହିଷ୍କାର ନିର୍ଦେଶନାମା ପ୍ରତ୍ୟାହାର ଦାବି

ଭୁବନେଶ୍ବର : ରାଜ୍ୟ ଜଳ ଓ ପରିମଳ ମିସନ ଅଧୀନରେ କାର୍ଯ୍ୟ କରୁଥିବା ଜଳ ଓ ପରିମଳ ଅଧିକାରୀଙ୍କୁ ସରକାରଙ୍କ ପକ୍ଷରୁ ବହିଷ୍କାର ପାଇଁ ନିର୍ଦେଶନାମା ଜାରି କରାଯାଇଛି। ମିସନ ଅଧୀନରେ ଏବେ ୭୪୪ଜଣ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରିଆସୁଛନ୍ତି। ମାତ୍ର ସରକାର ଟେଣ୍ଡର ଜରିଆରେ କର୍ମଚାରୀଙ୍କୁ ନିଯୁକ୍ତି ଦେବାକୁ ସ୍ଥିର କରିଛନ୍ତି। ଯାହାଫଳରେ ଜଳ ଓ ପରିମଳ ଅଧିକାରୀଙ୍କ ଭାଗ୍ୟ ଏବେ‌ ସୂତା ଖିଅରେ ଝୁଲୁଛି। ତେଣୁ ଏହି ନିର୍ଦେଶନାମାକୁ ତୁରନ୍ତ ପ୍ରତ୍ୟାହାର କରିବା ପାଇଁ ଦାବି କରିଛି ଜଳ ଓ ପରିମଳ କର୍ମଚାରୀ ସଂଘ।

ଆଜି ଓଡ଼ିଶା ସାମ୍ବାଦିକ ୟୁନିୟନ ପରିସରରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସଂଘ ସଭାପତି ପ୍ରଶାନ୍ତ ସାହୁ କହିଲେ, ୨୦୦୩ ମସିହାରୁ ବ୍ଲକ୍ ଓ ଜିଲ୍ଲା ସ୍ତରରେ ୭୪୪ ଜଣ ଜଳ ଓ ପରିମଳ କର୍ମଚାରୀ କାର୍ଯ୍ୟ କରୁଛନ୍ତି। ତେବେ ପାନୀୟ ଜଳ ଓ ପରିମଳ ବିଭାଗ ପକ୍ଷରୁ ଜାରି ଚିଠି ନଂ ୨୯୩୬ରେ ମାର୍ଚ ୩୧ତାରିଖ ପରେ କର୍ମଚାରୀଙ୍କୁ ବହିଷ୍କାର କରିବା ପାଇଁ କୁହାଯାଇଛି। ସ୍ବଚ୍ଛ ଭାରତ ଯୋଜନାର ସଫଳ ରୂପାୟନ ପାଇଁ କେନ୍ଦ୍ର ସରକାରଙ୍କ ନିର୍ଦେଶାବଳୀ ଅନୁସାରେ ଜିଲ୍ଲାସ୍ତରର କର୍ମଚାରୀଙ୍କ ସର୍ବନିମ୍ନ ଯୋଗ୍ୟତା ସ୍ନାତକୋତ୍ତର ଓ ୫ବର୍ଷର ଅଭିଜ୍ଞତା ରହିଥିବା ଆବଶ୍ୟକ। ମାତ୍ର ସରକାର ଏହାକୁ କୋହଳ କରି ସ୍ନାତକ ଡିଗ୍ରିଧାରୀ ମାତ୍ର ୨ବର୍ଷର ଅଭିଜ୍ଞତା ଥିବା ବ୍ୟକ୍ତିଙ୍କୁ ଠିକା ସଂସ୍ଥା ଦ୍ବାରା ନିଯୁକ୍ତି ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଏବେ ଜିଲ୍ଲାରେ ୧୧୬ଜଣ କର୍ମଚାରୀଙ୍କ ମଧ୍ୟରୁ ୭୦ ଓ ବ୍ଲକ୍‌ସ୍ତରରେ ୬୨୪ଜଣ କର୍ମଚାରୀଙ୍କ ମଧ୍ୟରୁ ୩୧୪ଜଣଙ୍କୁ ଏଜେନ୍‌ସି ଦ୍ବାରା ନିଯୁକ୍ତି ଦେବାକୁ ନିଷ୍ପତ୍ତି ହୋଇଛି। ତେଣୁ ରାଜ୍ୟ ସରକାର ଏହି ନିର୍ଦେଶନାମାକୁ ତୁରନ୍ତ ପ୍ରତ୍ୟାହାର କରିବା ସହିତ ୨ଟି ଟେଣ୍ଡର ଜରିଆରେ ନିଯୁକ୍ତି ପ୍ରକ୍ରିୟାକୁ ବାତିଲ କରିବାକୁ ଶ୍ରୀ ସାହୁ କହିଥିଲେ। ନଚେତ୍ ଆଗାମୀ ଦିନରେ ସଂଘ ଆଇନର ଆଶ୍ରୟ ନେବା ସହିତ ଆବଶ୍ୟକ ପଡ଼ିଲେ ସାମୂହିକ ଆତ୍ମାହୁତି ଦେବ ବୋଲି ଚେତାବନୀ ଦେଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ସଂପାଦକ ଲିଙ୍ଗରାଜ ଦାସ ଓ ଅନ୍ୟମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର