ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲା ଓଡ଼ିଶା
ଅନୁରୋଧ ପତ୍ର ଲେଖିବାକୁ କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି

Advertisment

ଭୁବନେଶ୍ବର : କୋଭିଡ୍ ଟିକା, ଔଷଧ କଞ୍ଜ୍ୟୁମେବଲ୍ ଆଦି ସାମଗ୍ରୀ ଉପରେ ଲଗାଯାଉଥିବା ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ଛାଡ଼ କରିବା ଲାଗି କେନ୍ଦ୍ର ସରକାରଙ୍କ ନିକଟରେ ଓଡ଼ିଶା ସରକାର ଦାବି କରିଛନ୍ତି। ଆଜି ରାଜ୍ୟ କ୍ୟାବିନେଟ୍ କମିଟି ବୈଠକରେ ଏନେଇ ଆଲୋଚନା ହୋଇଛି। ଏ ବାବଦରେ ତୁରନ୍ତ ହସ୍ତକ୍ଷେପ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟକୁ ଏକ ଅନୁରୋଧ ପତ୍ର ପଠାଇବା ଲାଗି ବୈଠକରେ ନିଷ୍ପତ୍ତି ନିଆଯାଇଛି। ରାଜ୍ୟ ସରକାର ଜଣାଇଛନ୍ତି ଯେ ୧୮-୪୪ ବର୍ଷ ବୟସର ଲୋକମାନଙ୍କୁ ମାଗଣାରେ କୋଭିଡ୍ ଟିକା ଦେବା ଲାଗି ସରକାର ନିଷ୍ପତ୍ତି ନେଇଛନ୍ତି।

‌ଏବାବଦରେ ହେବାକୁ ଥିବା ଖର୍ଚ୍ଚକୁ ରାଜ୍ୟ ସରକାର ବହନ କରିବେ। ଟିକା କିଣିବାର ମୂଲ୍ୟ ୧୧୭୨.୩୫ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଏଥିରେ ଜିଏସ୍‌ଟିର ଭାଗ ହେଉଛି ୫୮.୫୧ କୋଟି ଟଙ୍କା। ଔଷଧ ଓ କଞ୍ଜ୍ୟୁମେବଲ୍‌ର ମୂଲ୍ୟ ହେଉଛି ୧୫୬.୭୨ କୋଟି ଟଙ୍କା। ତାହା ଉପରେ ଜିଏସ୍‌ଟି ଭାଗ ହେଉଛି ୧୮.୮୦ କୋଟି ଟଙ୍କା। ଜିଏସ୍‌ଟି ରାଜ୍ୟ ସରକାରଙ୍କ ଆର୍ଥିକ ସମ୍ବଳ ଉପରେ ବଡ଼ ଧରଣର ଚାପ ସୃଷ୍ଟି କରୁଛି। କୋଭିଡ୍‌ ମୁକାବିଲା ଲାଗି ବିଭିନ୍ନ ପ୍ରକାର ସାମଗ୍ରୀ କିଣିବାରେ ସରକାର ୧୩୨୯.୦୭ କୋଟି ଟଙ୍କା ଖର୍ଚ୍ଚ କରିବେ ବୋଲି ଆକଳନ କରାଯାଇଛି। ସେଥିରେ ଜିଏସ୍‌ଟିର ଭାଗ ୭୭.୩୧ କୋଟି ଟଙ୍କା ରହିବ ବୋଲି ହିସାବ କରାଯାଇଛି। ଜିଏସ୍‌ଟି ଛାଡ଼ କଲେ କୋଭିଡ୍-୧୯ ମହାମାରୀର ମୁକାବିଲା କରୁଥିବା ରାଜ୍ୟ ସରକାରଙ୍କ ପାଇଁ ତାହା ବିଶେଷ ସହାୟକ ହେବ।

କୋଭିଡ୍-୧୯ ମହାମାରୀର ମୁକାବିଲା ଲାଗି ‌ଯେତେ‌ ସବୁ ପ୍ରକାର ସାମଗ୍ରୀ ଦରକାର ହେଉଛି ତାହା ଉପରୁ ଜିଏସ୍‌ଟି ଛାଡ଼ କରିବା ଲାଗି କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯାଇଛି। ରାଜ୍ୟରେ କୋଭିଡ୍‌-୧୯ ମହାମାରୀର ପରିଚାଳନା ଲାଗି ଓଡ଼ିଶା ସରକାର ବିପୁଳ ପରିମାଣର ବ୍ୟୟ କରୁଛନ୍ତି। ରାଜ୍ୟ ସରକାର ବିଭିନ୍ନ ଉପକରଣ ଏବଂ କଞ୍ଜ୍ୟୁମେବଲ୍‌ ସାମଗ୍ରୀ, ଅତ୍ୟାବଶ୍ୟକ ଔଷଧ ଓ ଟିକା ଆଦି ସଂଗ୍ରହ କରି ତାହାକୁ ଜନ ସ୍ବାସ୍ଥ୍ୟ ସେବା ଲାଗି ବିନା ମୂଲ୍ୟରେ ଯୋଗାଇ ଦେଉଛନ୍ତି।