ଭୁବନେଶ୍ବର : ବାତ୍ୟା ଫନି ଦ୍ବାରା ବ୍ୟାପକଭାବେ ପ୍ରଭାବିତ ହୋଇଥିବା ଅଣୁ ଓ କ୍ଷୁଦ୍ର ଶିଳ୍ପ ସମୂହକୁ ସହାୟତାର ହାତ ବଢ଼ାଇବାକୁ ସରକାରଙ୍କ ନିକଟରେ ଦାବି କରିଛି ଓଡ଼ିଶା କ୍ଷୁଦ୍ର ଶିଳ୍ପ ସଂଘ। ଏଭଳି ଶିଳ୍ପ କ୍ଷତିଗ୍ରସ୍ତ ହେବା ଦ୍ବାରା ସମ୍ପ୍ରତି ବହୁ କର୍ମଚାରୀଙ୍କ ଜୀବିକା ଉପରେ ପ୍ରଭାବ ପଡ଼ିଥିବାରୁ ଏଗୁଡ଼ିକର ତୁରନ୍ତ ପୁନରୁଦ୍ଧାର ଜରୁରୀ ହୋଇପଡ଼ିଛି। ବିନା ସରକାରୀ ସହାୟତାରେ ଏଭଳି ଶିଳ୍ପଗୁଡ଼ିକର ଶୀଘ୍ର ପୁନରୁଦ୍ଧାର ସମ୍ଭବ ନୁହେଁ। ତେଣୁ ଏ ଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ଶିଳ୍ପ ସଂଘ ସରକାରଙ୍କ ନିକଟରେ ଦାବି କରିଛି।
ବିଶେଷକରି କଟକ, ପୁରୀ, ଖୋର୍ଧା ଓ ଭୁବନେଶ୍ବର ଆଦି ଅଞ୍ଚଳର ଶହ ଶହ ଅଣୁ ଓ କ୍ଷୁଦ୍ର ଶିଳ୍ପ ସଂସ୍ଥା ଫନି ପ୍ରଭାବରେ କ୍ଷତିଗ୍ରସ୍ତ ହୋଇଛି। କେଉଁଠି ପ୍ରତିଷ୍ଠାନର ଛପର ଉଡ଼ି ଯାଇଛି ତ କାହାର ବିଭିନ୍ନ ଯନ୍ତ୍ରପାତି ଭାଙ୍ଗିରୁଜି ଯାଇଛି। ବହୁ ସଂସ୍ଥାର ଉତ୍ପାଦିନ ସାମଗ୍ରୀ ନଷ୍ଟ ହୋଇଛି। ତେବେ ବଡ଼ କଥା ହେଉଛି ବିଦ୍ୟୁତ୍ ଓ ଜଳଯୋଗାଣ ବ୍ୟବସ୍ଥା ଅସଜଡ଼ା ହୋଇ ରହିଥିବାରୁ ଏବେ ବହୁ ଶିଳ୍ପ ସଂସ୍ଥା ବନ୍ଦ ପଡ଼ିଛି। ଫଳରେ କର୍ମଚାରୀମାନଙ୍କ ରୋଜଗାର ଠପ୍ ହୋଇ ଯାଇଛି। ଗରିବ କର୍ମଚାରୀମାନେ ଏକ ପ୍ରକାର ଜୀବିକା ହରାଇଛନ୍ତି। ପରିସ୍ଥିତି ଯାହା କ୍ଷତିଗ୍ରସ୍ତ ପ୍ରତିଷ୍ଠାନମାନେ ନିକଟ ଭବିଷ୍ୟତରେ ନିଜକୁ ସଜାଡ଼ି କାର୍ଯ୍ୟକ୍ଷମ ହେବା ସମ୍ଭବ ନୁହେଁ। ଏହା ସିଧାସଳଖ ଗରିବ କର୍ମଚାରୀମାନଙ୍କ ଜୀବିକା ଉପରେ ମାଡ଼ ସଦୃଶ। କ୍ଷୁଦ୍ର ଶିଳ୍ପସଂସ୍ଥାମାନଙ୍କ ଏଭଳି ଦୁର୍ଦିନରେ ସରକାରଙ୍କ ସହଯୋଗ ଜରୁରୀ ହୋଇପଡ଼ିଛି। ବିଶେଷକରି ବାଣିଜିକ୍ୟ ବ୍ୟାଙ୍କମାନେ ମାସିକ କିସ୍ତି ଆଦାୟକୁ ନିହାତି ୬ ମାସ ପର୍ଯ୍ୟନ୍ତ କୋହାଳ କରିବା, କ୍ଷତିଗ୍ରସ୍ତ ପ୍ରତିଷ୍ଠାନମାନଙ୍କୁ କମ୍ ସୁଧରେ ସଫ୍ଟ ଲୋନ୍ ଯୋଗାଣ କରିବା, ଅତିରିକ୍ତ ଚଳନ୍ତି ପୁଞ୍ଜି ଯୋଗାଇଦେବା, ବୀମା କ୍ଲେମ୍ ଗୁଡ଼ିକୁ ଶୀଘ୍ର ସମାଧାନ କରିବା ଓ ଆର୍ଥିକ ସହଯୋଗ କରିବା ଆଦି ଦାବି କରି ସଂଘର ସଭାପତି ସୁରଜିତ୍ ମହାନ୍ତି ଏକ ପ୍ରେସ୍ ବିଜ୍ଞପ୍ତିରେ ଜଣାଇଛନ୍ତି।