ହାଇକୋର୍ଟ ବେଞ୍ଚ ଦାବି: ଆଜିଠୁ ଓକିଲ ସଂଘର ଅର୍ଥନୈତିକ ଅବରୋଧ

ବରଗଡ଼ : ପଶ୍ଚିମ ଓଡ଼ିଶାର ଯେକୌଣସି ସ୍ଥାନରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ ଜିଲ୍ଲା ଓକିଲ ସଂଘ ପୂର୍ବ ନିଷ୍ପତ୍ତି ଅନୁଯାୟୀ ସୋମବାର କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛି। ଓକିଲମାନେ କୋର୍ଟର ସମସ୍ତ କାର୍ଯ୍ୟରୁ ନିବୃତ୍ତ ରହି ଆନ୍ଦୋଳନ କରିଥିଲେ। କୋର୍ଟକାର୍ଯ୍ୟ ସଂପୂର୍ଣ୍ଣ ବର୍ଜନ କରି ସଂଘର ସଦସ୍ୟମାନେ ଶୋଭାଯାତ୍ରାରେ ଜିଲ୍ଲାପାଳଙ୍କ ଅଫିସ୍‌ରେ ପହଞ୍ଚିଥିଲେ। ସେଠାରେ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ। ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ମତାମତ ଲୋଡ଼ିଛନ୍ତି। ତେଣୁ ପଶ୍ଚିମ ଓଡ଼ିଶାର ଯେକୌଣସି ସ୍ଥାନରେ ବେଞ୍ଚ ପ୍ରତିଷ୍ଠା ପାଇଁ ଶିଘ୍ର ନିଷ୍ପତ୍ତି ନିଆଯାଉ ବୋଲି ସଂଘ ଦାବିପତ୍ରରେ ଉଲ୍ଲେଖ କରିଛି। ଦାବିପତ୍ର ପ୍ରଦାନ ବେଳେ ସଂଘର ସଭାପତି ବେଲାଳସେନ ସରାଫ, ଉପସଭାପତି ସରୋଜ ତ୍ରିପାଠୀ, ସଂପାଦକ ହେମନ୍ତ ପୁରୋହିତଙ୍କ ସମେତ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ। ଅନ୍ୟପକ୍ଷରେ ସଂଘ ନିଜ ପୂର୍ବ ଦାବି ସହ ଆସନ୍ତାକାଲି ମଂଗଳବାର ଠାରୁ ୩୦ ତାରିଖ ଯାଏ ବରଗଡ଼ରେ ଅର୍ଥନୈତିକ ଅବରୋଧ କରିବ। ଏହି ଅବଧିରେ ଟ୍ରେଜେରି ସମେତ ସମସ୍ତ ରାଜସ୍ୱ କାର୍ଯ୍ୟାଳୟ ଅଚଳ କରାଯିବ। ସଂଘର ସଭ୍ୟମାନେ ସମସ୍ତ ପ୍ରକାର ରାଜସ୍ୱ ଏବଂ ନ୍ୟାୟିକ ଅଦାଳତର କାର୍ଯ୍ୟରୁ ନିବୃତ୍ତ ରହିବେ।

ସମ୍ବନ୍ଧିତ ଖବର