ଓଡ଼ିଶାର ଯେଉଁଭଳି ବିକାଶ ହେବା କଥା ହୋଇପାରିନି: ଜୟନାରାୟଣ

ଭୁବନେଶ୍ବର : ସ୍ବତନ୍ତ୍ର କୋଶଳ ରାଜ୍ୟ ଦାବି ନେଇ ଆଜି ବନ୍ଦ ଡାକରା ଦିଆଯାଇ ବେଳେ ଏ ନେଇ ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର। ଶ୍ରୀ ମିଶ୍ର କହିଛନ୍ତି ଯେ କେବଳ ଭୁବନେଶ୍ୱର ଓଡ଼ିଶା ନୁହେଁ। ସମଗ୍ର ଓଡ଼ିଶାରେ ଯେଉଁଭଳି ବିକାଶ ହେବା କଥା ହୋଇପାରିନି। ଯେଉଁମାନେ ରାଜଧାନୀ ବାହାରେ ରହୁଛନ୍ତି, ସେମାନଙ୍କୁ ଅବହେଳିତ କରାଯାଉଥିବା ମାନସିକତା ରହୁଛି। ଓଡ଼ିଶା ଯେଉଁଭଳି ବିକଶିତ ହେବା କଥା ସେଭଳି ବିକଶିତ ହୋଇପାରୁନି। ଅଧିକ ଅବହେଳିତ ଅଞ୍ଚଳ କୋରାପୁଟ, ରାୟଗଡ଼ା ଅଛି। ବିକାଶକୁ ସଫଳ ଆକାର ଦେବାରେ ରାଜ୍ୟ ସରକାର ବିଫଳ। କୋଶଳ ରାଜ୍ୟ ଗଠନ ଏକ ବିରାଟ ପ୍ରସଙ୍ଗ, ମୋ ଦଳ ଏ ବିଷୟରେ ନିଷ୍ପତ୍ତି ନେଇନାହିଁ। ତେଣୁ ଏହା ଉପରେ ଦଳର ସୈନିକ ହିସାବରେ ମତାମତ ଦେବା ଉଚିତ ନୁହେଁ ବୋଲି ଶ୍ରୀ ମିଶ୍ର କହିଛନ୍ତି।

ସମସ୍ୟା ଥିଲେ ସରକାରଙ୍କ ସହ ଆଲୋଚନା ହେଉ : ଟୁକୁନି ସାହୁ
ଛୋଟ ରାଜ୍ୟ ହେଲେ ବିକାଶ ହେବ : ପ୍ରଦୀପ ପୁରୋହିତ

ପରିବହନ ମନ୍ତ୍ରୀ ଟୁକୁନି ସାହୁ ଏହି ପ୍ରସଙ୍ଗରେ ମାପିଚୁପି ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ ୨୨ ବର୍ଷ ଶାସନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂରା ଓଡ଼ିଶାକୁ ସମାନ ଦୃଷ୍ଟିରେ ଦେଖିଛନ୍ତି। ଯେଉଁଠି ସମସ୍ୟା ଅଛି, ସରକାରଙ୍କ ସହିତ ଆଲୋଚନା କଲେ, ତା’ର ସମାଧାନ କରାଯିବ।

ବିଜେପି ନେତା ପ୍ରଦୀପ ପୁରୋହିତ କହିଛନ୍ତି, ପଶ୍ଚିମ ଓଡ଼ିଶାରେ ସ୍ୱତନ୍ତ୍ର ଓଡିଶା ଲାଗି ଦାବି ହେଉଛି। ପୂର୍ବରୁ ସ୍ଥାୟୀ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଲାଗି ଦାବି ଥିଲା। ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ସ୍ଥାୟୀ କାର୍ଯ୍ୟାଳୟ ହେଲା ନାହିଁ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପଶ୍ଚିମ ଓଡ଼ିଶାବାସୀଙ୍କୁ ଘର ମିଳିଲା ନାହିଁ। ବାରମ୍ବାର ପଶ୍ଚିମ ଓଡ଼ିଶାବାସୀ ଉପେକ୍ଷିତ ହେଉଥିବାରୁ ଲୋକଙ୍କ ଭିତରେ ଜନ ଅସନ୍ତୋଷ ତୀବ୍ର ହେଉଛି। କୋଶଳ ସ୍ୱତନ୍ତ୍ର ରାଜ୍ୟ ଗଠନ ଲାଗି ଦାବି ହେଉଛି, ଏଥିପାଇଁ ବିଜେଡି ସରକାର ଦାୟୀ। ବିଜେପି ଅନେକ ଛୋଟ ଛୋଟ ରାଜ୍ୟ ତିଆରି କରିସାରିଛି। ପ୍ରଶାସନିକ ଦୃଷ୍ଟିରୁ ଛୋଟ ରାଜ୍ୟର ଆବଶ୍ୟକତା ରହିଛି। ଆଉ ଗୋଟେ ଛୋଟ ରାଜ୍ୟ ହେବ ସ୍ୱାଗତଯୋଗ୍ୟ। ଛୋଟ ରାଜ୍ୟ ହେଲେ ବିକାଶ ହେବ।

 

ସମ୍ବନ୍ଧିତ ଖବର