ତେଜିଲା କୋଶଲ ରାଜ୍ୟ ଦାବି

ସମ୍ବଲପୁର: ପୁଣିଥରେ କୋଶଲ ରାଜ୍ୟ ଦାବି ତେଜିଛି। ଅଇଁଠାପାଲି ସ୍ଥିତ ପିଏଚ୍‌ଡି ପଡ଼ିଆରୁ ପଶ୍ଚିମ ଓଡ଼ିଶା ଯୁବାମଞ୍ଚର ସଭାପତି ଅଜିତ ପତିଙ୍କ ଆବାହକତ୍ବରେ କୋଶଳ କ୍ରାନ୍ତି ଦଳ, କୋଶଳ ରାଏଜ୍ ମୁକ୍ତି ମୋର୍ଚ୍ଚା, କୋଶଳ କ୍ରାନ୍ତି ସେନା, କୋଶଳ ସେନା, ମାଁ ମାହେଶ୍ବରୀ ସେନା, ସମ୍ବଲପୁର ପିପୁଲ୍ସ ଫୋରମ୍, ଛାତ୍ର ସଂଗଠନ ତଥା ଅନେକ ବୁଦ୍ଧିଜୀବି, ବରିଷ୍ଠ କୋଶଳ ସଂଗ୍ରାମୀ ପାଖାପାଖି ୩୦୦ ଜଣ ଏକ ଉଲ୍‌ଗୁଲାନ୍‌ ଯାତ୍ରାରେ ବାହାରି କୋଶଳ ରାଜ୍ୟ ଦାବି କରିଛନ୍ତି। ଶିକ୍ଷା, ସ୍ଵାସ୍ଥ୍ୟ, ଗମନାଗମନ, କୃଷି ଆଦି ଅନେକ ସମସ୍ୟା ନେଇ ପଶ୍ଚିମ ଓଡ଼ିଶାବାସୀ ବିଭିନ୍ନ ସମୟରେ ଅସୁବିଧାର ସମ୍ମୁଖୀନ ହୋଇ ଆସୁଛନ୍ତି। ପଶ୍ଚିମ ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ଗଠନ ଦାବି ନେଇ ଅନେକ ସଙ୍ଗଠନ ପୂର୍ବରୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନିକଟରେ ଆନ୍ଦୋଳନ ମଧ୍ୟ କରି ଆସିଛନ୍ତି।

କିନ୍ତୁ ଆଜି ଯାଏ ସରକାର କିଛି ଶୁଣୁ ନାହାନ୍ତି କି ପଶ୍ଚିମଓଡ଼ିଶାର ଉନ୍ନତୀକରଣ ପାଇଁ ପଦକ୍ଷେପ ଗ୍ରହଣ କରୁନାହାନ୍ତି। ଯାହାକୁ ନେଇ ପଶ୍ଚିମଓଡ଼ିଶା ଯୁବାମଞ୍ଚ କ୍ଷୋଭ ପ୍ରକାଶ କରି କୋଷଶ ରାଜ୍ୟ ଦାବି କରିଛି। ପଶ୍ଚିମଓଡ଼ିଶାର ସଂସ୍କୃତି, ପରମ୍ପରା, ଐତିହ୍ୟ,ଭାଷା, ସାହିତ୍ୟ, ଶିକ୍ଷା, ସ୍ବାସ୍ଥ୍ୟ, କୃଷି, ଗମନାଗମନ, ପର୍ଯ୍ୟଟନ ପରି ବିଭିନ୍ନ ଲୋକାଭିମୁଖୀ ଯୋଜନା ପୁନର୍ବିନ୍ୟାସ କରିବା ସହ ଅଞ୍ଚଳର ବିକାଶ ପ୍ରତି ଧ୍ୟାନ ଦିଆନଗଲେ ନୂତନ ରାଜ୍ୟ ପାଇଁ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରାଯିବ ବୋଲି ଯୁବାମଞ୍ଚ ପକ୍ଷରୁ ଚେତାବନୀ ଦିଆଯାଇଛି। ଏହା ସହିତ ପଶ୍ଚିମଓଡ଼ିଶା ଯୁବାମଞ୍ଚ ପକ୍ଷରୁ ଏ ନେଇ ଉତ୍ତରାଞ୍ଚଳ ରାଜସ୍ବ କମିସନର୍‌ଙ୍କୁ ଶୁକ୍ରବାର ଦାବିପତ୍ର ପ୍ରଦାନ କରାଯାଇଛି। ପଦଯାତ୍ରାରେ ସଙ୍ଗଠନର କାର୍ଯ୍ୟକାରୀ ସଭାପତି ଅଭିଷେକ ଦାଶ, ସମ୍ପାଦକ ସୁମନ୍ତ ଶତପଥୀ, ବିଭୁ ସାହୁ, ହରିଶ୍ ସାହୁ, ସନ୍ତୋଷ ମେହେର, ଶୁଭମ୍ ନନ୍ଦ, ସାହିଲ ନାଏକ, ବୀରେନ୍ଦ୍ର ପାଣିଗ୍ରାହୀ, ସପନ୍ ମିଶ୍ର, ଅର୍ପଣ ନାୟକ ପ୍ରମୁଖ ସାମିଲ୍ ହୋଇଥିଲେ।

ସମ୍ବନ୍ଧିତ ଖବର