ଭୁବନେଶ୍ବର : ଓଡ଼ିଶା ବୁଣାକାର ମହାସଂଘ ପକ୍ଷରୁ ରାଜ୍ୟ ହସ୍ତତନ୍ତ ବୟନଶିଳ୍ପ ଓ ହସ୍ତଶିଳ୍ପ ମନ୍ତ୍ରୀ ରୀତା ସାହୁଙ୍କୁ ଆଜି ଛଅ ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରାଯାଇଛି।
ମନ୍ତ୍ରୀଙ୍କ ସହିତ ୫୦ ବର୍ଷରୁ ଅଧିକ ବୁଣାକାରମାନଙ୍କୁ ମାସିକ ୧୫୦୦ ଟଙ୍କାର ଭତ୍ତା, ଲୁଗା ବୁଣୁଥିବା ପ୍ରତ୍ୟେକ ବୁଣାକାରଙ୍କୁ ଗୋଟିଏ ତନ୍ତଶାଳା, ହସ୍ତତନ୍ତ ବସ୍ତ୍ର ଉପରୁ ଜିଏସ୍ଟି ଛାଡ଼, ବୁଣାକାରମାନଙ୍କୁ ଲୁଗା ବୁଣା ଉପରେ ମଜୁରୀ ସହାୟତା, ବୁଣାକାରମାନେ ବ୍ୟବହାର କରୁଥିବା ବିଦ୍ୟୁତ୍ ଦେୟ ଛାଡ଼, ବନ୍ଦ ହୋଇ ପଡ଼ିଥିବା ସ୍ପିନିଙ୍ଗ ମିଲ୍ଗୁଡ଼ିକୁ ଚାଲୁ କରିବା ଉପରେ ଆଲୋଚନା କରାଯାଇଥିଲା। ଏହି ଆଲୋଚନାରେ ଓଡ଼ିଶା ବୁଣାକାର ମହାସଂଘର ସଭାପତି ଶ୍ରୀଧର ବେହେରା, ଉପସଭାପତି ସଂଜୟ ମେହେର କର୍ମକର୍ତ୍ତା କିଶୋର ଚନ୍ଦ୍ର ଦାସ, ପ୍ରତାପ ଚନ୍ଦ୍ର ଦାସ, ଆଶିଶ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଦାବି ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ଖୁବ୍ଶୀଘ୍ର ସମାଧାନ କରାଯିବ ବୋଲି ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବା ସଂଘ ପକ୍ଷରୁ କୁହାଯାଇଛି।