ନୂଆପଡ଼ା: ନୂଆପଡ଼ା ବ୍ଲକ୍ ନୂତନ ପେନସନ୍ ଯୋଜନାଭୁକ୍ତ ଶିକ୍ଷକ ଶିକ୍ଷୟିତ୍ରୀମାନେ ଶନିବାର ମୁଖ୍ୟମନ୍ତ୍ରୀ, ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ, ୫-ଟି ସଚିବ ଓ ମୁଖ୍ୟ ଶାସନ ସଚିବଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ନୂଆପଡ଼ା ବିଇଓଙ୍କ ଜରିଆରେ ଦେଇଛନ୍ତି। ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଦାବି ଅନୁସାରେ, ପ୍ରାଥମିକ ସ୍ତରରେ ଚୁକ୍ତିଭିତ୍ତିକ ପ୍ରଥା ଉଚ୍ଛେଦ ସହ ୬ ବର୍ଷ ଚାକିରି କାଳକୁ ମୂଳ ଚାକିରି ସହ ଗଣନା କରି ୬ଟି ଜାତୀୟ ଇନ୍କ୍ରିମେଣ୍ଟ ପ୍ରଦାନ, କେନ୍ଦ୍ରୀୟ ହାରରେ ଅବିକଳ ଦରମା, ନୂତନ ପେନ୍ସନ୍ ଉଚ୍ଛେଦ କରି ପୁରୁଣା ପେନ୍ସନ୍ ଲାଗୁ କରିବା ଆଦି ଦାବି ରହିଛି।
ନୂଆପଡ଼ା ମିନି ଷ୍ଟାଡିଅମ୍ଠାରୁ ଆଜି ଶିକ୍ଷକ ଶିକ୍ଷୟିତ୍ରୀମାନେ ଏକ ଶୋଭାଯାତ୍ରାରେ ଆସି ବିଇଓ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସେଠାରେ ସଂଘ ସଭାପତି ଜିତେନ୍ଦ୍ର ଖମାରୀ, କାର୍ଯ୍ୟକାରୀ ସଭାପତି ଉପେନ୍ଦ୍ର ଷଡ଼ଙ୍ଗୀ, ସଂପାଦକ ମକରଧ୍ବଜ ବାରିକ ଉଦ୍ବୋଧନ ଦେଇଥିଲେ। ଦାବି ପୂରଣ ନହେଲେ ୧୮ମାର୍ଚ୍ଚରୁ ସାମୂହ ଛୁଟିରେ ରହିବେ ବୋଲି କହିଥିଲେ। ପରେ ଏକ ଦାବିପତ୍ର ବିଇଓ ହେମସାଗର ମହାନନ୍ଦଙ୍କୁ ଦିଆଯାଇଥିଲା। ଦାବିପତ୍ର ପ୍ରଦାନ ସମୟରେ ସଂଘର କିଶୋର ପ୍ରଧାନ, ବଳରାମ ଚନ୍ଦ୍ରକାର, ପ୍ରଫୁଲ୍ଲ ବାରିକ, କିଶୋର ପରିଡ଼ା, ଭୂମିକା ଦୁରିଆ, କବିତା ଧରୁଆ, ମୁକ୍ତା ତାଣ୍ଡି, ପ୍ରଶାନ୍ତ ବାରିକ, ଧ୍ରୁବ ପ୍ରଧାନ, ପ୍ରଶାନ୍ତ ରାଉତ, ଅଞ୍ଜୁଲତା ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରଶାନ୍ତ ନାଥ ଧନ୍ୟବାଦ ଦେଇଥିଲେ।