ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ହାଇସ୍କୁଲରେ ୨୦୧୬-୨୦୨୨ ମସିହାର ନିଯୁକ୍ତ ଶିକ୍ଷକ, ଶିକ୍ଷୟିତ୍ରୀମାନେ ଦୁଇ ମାସ ହେଲା ଦରମା ପାଇନାହାନ୍ତି। ଶୀଘ୍ର ଦରମା ପ୍ରଦାନ କରିବାକୁ ରାଜ୍ୟ ଚୁକ୍ତି ଭିତ୍ତିକ ଶିକ୍ଷକ ସଂଘ ଉପସଭାପତି ବିନୋଦ ମିଶ୍ରଙ୍କ ନେତୃତ୍ୱରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ସେମାନେ ଦାବିପତ୍ର ପ୍ରଦାନ କରିଛନ୍ତି। ସେମାନଙ୍କ ଅଭିଯୋଗ ଅନୁସାରେ ରାଜ୍ୟର ଅନ୍ୟ ସମସ୍ତ ବିଭାଗର କର୍ମଚାରୀମାନେ ନିୟମିତ ହୋଇ ଦରମା ଓ ବକେୟା ପାଇ ସାରିଥିବା ବେଳେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଚୁକ୍ତିଭିତ୍ତିକ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ନିୟମିତ କରୁନାହିଁ।

Advertisment

ରାଜ୍ୟରୁ ଚୁକ୍ତିଭିତ୍ତିକ ପ୍ରଥା ଉଚ୍ଛେଦ ପରେ ଅର୍ଥ ବିଭାଗ ଆଉ ୨୦୨୩-୨୪ ଆର୍ଥିକ ବର୍ଷର କଣ୍ଟ୍ରାକ୍ଟଚୁଆଲ ହେଡ୍‌ରେ ଆଲଟମେଣ୍ଟ ପ୍ରଦାନ କରି ନ ଥିବାରୁ ଗତ ମାର୍ଚ୍ଚ ଓ ଏପ୍ରିଲ ମାସର ଦରମା ସେମାନେ ପାଇନାହାନ୍ତି। ଯଦ୍ବାରା ସଂପୃକ୍ତ ଶିକ୍ଷକ, ଶିକ୍ଷୟିତ୍ରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାଜ୍ୟ ସରକାର ଯଦି ୭ ଦିନ ଭିତରେ ନିୟମିତ କରି ଦରମା ପ୍ରଦାନ ନ କରନ୍ତି ତେବେ ୮ ତାରିଖରୁ ପୁଣି ଥରେ ସଂଘ ଆନ୍ଦୋଳନ କରିବ ବୋଲି ଶିକ୍ଷକ ଅରବିନ୍ଦ କୁମ୍ଭାର, ମାଧବ ପଧାନ, ଅଭିମନ୍ୟୁ ନାଏକ, ଯୋଗେନ୍ଦ୍ର ଆଡଜୁଏଡ, କର୍ମ ପଧାନ, ବୀରେନ୍ଦ୍ର ନାଏକ, ଅଭିନିତା ପଟ୍ଟନାୟକ, ପୂଜା ଦର୍ଜୀ, ଡିଲେଶ୍ୱରୀ କୁଅଁରଙ୍କ ସମେତ ଅନ୍ୟ ଶିକ୍ଷକ, ଶିକ୍ଷୟିତ୍ରୀମାନେ ଚେତାବନୀ ଦେଇଛନ୍ତି।