ଆଦିବାସୀଙ୍କ ଉପରେ ଜୁଲମ ପ୍ରତିବାଦରେ ଯୁବ କଂଗ୍ରେସର ଜିଲ୍ଲାପାଳଙ୍କୁ ଦାବିପତ୍ର

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ୍‌ ଡୁମେରପାଣି ଓ ଭତାପାଣି ଗ୍ରାମରେ ୪୦ଟି ଆଦିବାସୀ ପରିବାର ଉପରେ ଅତ୍ୟାଚାର ହୋଇଥିଲା। ଏହି ଘଟଣାରେ ବିଜେଡି କର୍ମୀଙ୍କ ହାତ ଅଛି ବୋଲି କଂଗ୍ରେସ ଅଭିଯୋଗ କରିଛି। ଏନେଇ ବୁଧବାର ସନ୍ଧ୍ୟାରେ ଜିଲ୍ଲା ଯୁବ କଂଗ୍ରେସ, ରାଜ୍ୟ ଦଳିତ ଅଧିକାର ମଞ୍ଚ ପକ୍ଷରୁ କଳାହାଣ୍ଡି ଜିଲ୍ଲାପାଳ ଡା. ଗାଭାଲି ପରାଗ ହର୍ଷଦଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଜିଲ୍ଲା ଯୁବ କଂଗ୍ରେସ ସଭାପତି ସାଉଲ ମଙ୍ଗରାଜ, ରାଜ୍ୟ ଦଳିତ ଅଧିକାର ସଭାପତି କମଳ ତାଣ୍ଡି, ଯୁବ କଂଗ୍ରେସର ରାଜ୍ୟ ସାଧାରଣ ସମ୍ପାଦକ ତ୍ରିଲୋଚନ ପାଣିଗ୍ରାହୀ, ସାଗର ପଟ୍ଟନାୟକ ପ୍ରମୁଖ ସାମିଲ ହୋଇଥିଲେ।

ଏହି ପରିବାରମାନେ ଦୀର୍ଘ ୨୦ ବର୍ଷ ହେଲା ସେଠାରେ ରହୁଥିଲେ। ଗତ ବର୍ଷେ ହେବ ବିଜେଡିର ସ୍ଥାନୀୟ କର୍ମୀ ତଥା ବ୍ଲକ୍‌ ଅଧ୍ୟକ୍ଷ ହେମନ୍ତ ମାଝୀ ଏମାନଙ୍କୁ ନିୟମିତ ଧମକାଇ ଜଙ୍ଗଲ ଛାଡ଼ିଯିବାକୁ ବାଧ୍ୟ କରୁଥିଲେ। ଆମପାଣି ଥାନାରେ ହେମନ୍ତ ମାଝୀଙ୍କ ନାମରେ ମାମଲା ରୁଜୁ ହୋଇଥିଲେ ମଧ୍ୟ ତାଙ୍କୁ ଗିରଫ କରାଯାଇ ନାହିଁ। ଶାସକ ଦଳର ଜଣେ ସ୍ଥାନୀୟ ନେତାକୁ ଏପରି ଭାବରେ ସୁରକ୍ଷା ଦେବା ନେଇ ପୁଲିସ, ପ୍ରଶାସନ ଓ ଜଙ୍ଗଲ ବିଭାଗର ଭୂମିକାକୁ ସନ୍ଦେହ ଘେରରେ ଆଣିବାକୁ ବାଧ୍ୟ ହେଉଛୁ ବୋଲି ଯୁବ କଂଗ୍ରେସ କହିଛି।

ସମ୍ବନ୍ଧିତ ଖବର