ରାଇରଙ୍ଗପୁର: ୧୯୫୦ ମସିହା ପର୍ଯ୍ୟନ୍ତ କୁଡୁମୀ (ମହାନ୍ତ) ଜାତି ଅନୁସୂଚିତ ଜନଜାତି ବର୍ଗ ଭାବେ ମାନ୍ୟତା ପାଇଁ କୁଡମି ସେନା ପକ୍ଷରୁ ମହାମହିମ ରାଷ୍ଟ୍ରପତିଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଏହି ଜାତିର ଲୋକମାନେ ସାମାଜିକ, ଅର୍ଥନୈତିକ ତଥା ସାଂସ୍କୃତିକ କ୍ଷେତ୍ରରେ ଯଥେଷ୍ଟ ପଛରେ ରହିଯାଇଛନ୍ତି। ପୁନର୍ବାର ଆଦିବାସୀ ବର୍ଗରେ ସାମିଲ କରିବା ପାଇଁ କୁଡୁମୀ ସେନାର ସଭାପତି ଜୈମୁନି କୁମାର ମହାନ୍ତଙ୍କ ନେତୃତ୍ବରେ କୁଡୁମୀ ସେନା ଦୀର୍ଘବର୍ଷ ଧରି ଆନ୍ଦୋଳନ ଜାରି ରଖିଛି।
ସେହିକ୍ରମରେ ପଡ଼ୋଶୀ ରାଜ୍ୟ ଝାଡ଼ଖଣ୍ଡ, ବିହାର ଏବଂ ପଶ୍ଚିମବଙ୍ଗର ଆନ୍ଦୋଳନକାରୀମାନେ ମିଳିତ ଭାବେ ଜୈମୁନି କୁମାର ମହାନ୍ତଙ୍କ ନେତୃତ୍ବରେ ନିକଟରେ ପାର୍ଲାମେଣ୍ଟ ଘେରାଉ ଏବଂ ହୁଡୁକାଜାମ ଆନ୍ଦୋଳରେ ସାମିଲ ହୋଇ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଇତ୍ୟବସରରେ କୁଡୁମୀ ମହିଳା ସେନାର ସଭାନେତ୍ରୀ ସୁଜାତା ମହାନ୍ତଙ୍କ ନେତୃତ୍ବରେ ପ୍ରେମଲତା ମହାନ୍ତ, ସୁକୁମାରୀ ମହାନ୍ତ, ଶାନ୍ତିଲତା ମହାନ୍ତ ଓ ପାର୍ବତୀ ମହାନ୍ତ ପ୍ରମୁଖଙ୍କର ଏକ ପ୍ରତିନିଧି ମଣ୍ଡଳୀ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରି କୁଡୁମୀ ସେନା ପକ୍ଷରୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ରାଷ୍ଟ୍ରପତିଙ୍କ ସହ ସାକ୍ଷାତ ଆଲୋଚନା ଆଗାମୀ ଦିନରେ କୁଡୁମୀ ଜାତିକୁ ହକ୍ ପ୍ରଦାନରେ ସହାୟକ ହେବ ବୋଲି ସେନା ପକ୍ଷରୁ ଆଶାବ୍ୟକ୍ତ କରାଯାଇଛି।