ଜୟପୁର: କଟକ ବଡ଼ ମେଡିକାଲକୁ ପଦ୍ମଶ୍ରୀ କମଳା ପୂଜାରୀ ଚିକିତ୍ସା ପାଇଁ ଯାଇଥିବା ବେଳେ ସେଠାରେ ଗୀତ ବଜାଇ ତାଙ୍କୁ ନଚାଇବା ଭିଡିଓ ଭାଇରାଲ୍ ହେବା ପରେ ଏହାକୁ ବିଭିନ୍ନ ସଂଗଠନ ପକ୍ଷରୁ ତୀବ୍ର ବିରୋଧ କରାଯାଉଛି। ଏନେଇ ଆଜି ଅବିଭକ୍ତ କୋରାପୁଟ ଜିଲ୍ଲା ଭୂମିଆ ସମାଜର ସଦସ୍ୟମାନେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଜୟପୁର ଉପଜିଲ୍ଲାପାଳ ବେଦବର ପ୍ରଧାନଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି।
ସେଥିରେ ଉଲ୍ଲେଖ କରିଛନ୍ତି ଯେ, କମଳା ପୂଜାରୀ ଚିକିତ୍ସା ବେଳେ କାହାର ଅନୁମତି ନେଇ ସେହି ମହିଳା ଜଣକ ସେଠାକୁ ଯାଇ ନୃତ୍ୟୁ କରି ଭିଡିଓ ରେକର୍ଡିଂ କରିଥିଲେ। କମଳା ପୂଜାରୀ ହେଉଛନ୍ତି ଆଦିବାସୀଙ୍କ ଆଦର୍ଶ ନାରୀ ଅଟନ୍ତି। ତାଙ୍କୁ ଚିକିତ୍ସାଳୟରେ ତଳେ ବସାଇ ଖୁଆଇବା ଓ ନାଚ କରିବା ଘଟଣାକୁ ତଦନ୍ତ କରି ଉକ୍ତ ବ୍ୟକ୍ତିମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଦାବି କରିଛନ୍ତି। ଆସନ୍ତା ସପ୍ତାହ ମଧ୍ୟରେ ଦାବି ପୂରଣ ନହେଲେ ଆନ୍ଦୋଳନ ହେବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି। ଦାବିପତ୍ର ପ୍ରଦାନ ବେଳେ ସଂଘର ସମ୍ପାଦକ ଡମ୍ବରୁ ମସିହା, ଆଇନଜୀବୀ ହରିଶ୍ଚନ୍ଦ୍ର ମୁଦୁଲି, ଲଳିତ ପୂଜାରୀ, ନରେନ୍ଦ୍ର କାନ୍ଦୁଲିଆ, ନାରାୟଣ କଦମଗୁଡ଼ିଆ, ଟଙ୍କ ଭୂମିଆ, ବଳଦେବ ଭୂମିଆ ପ୍ରମୁଖ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/24-2.jpg)