ପୁଣି ତେଜିଲା ଉପଖଣ୍ଡ ମାନ୍ୟତା ଦାବି, ମିଳିତ ଆଦିବାସୀ ଓ ଜନସାଧାରଣ ସଂଗ୍ରାମ ମଞ୍ଚର ଦାବିପତ୍ର

ମ.ରାମପୁର: କଳାହାଣ୍ଡି ଜିଲ୍ଲା ମ.ରାମପୁରକୁ ରାଜସ୍ବ ଉପଖଣ୍ଡ ମାନ୍ୟତା ଦାବି କରି ମିଳିତ ଆଦିବାସୀ ଓ ଜନସାଧାରଣ ସଂଗ୍ରାମ ମଞ୍ଚ ପକ୍ଷରୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି। ୨୮ ବର୍ଷ ହେଲା ମ.ରାମପୁରକୁ ରାଜସ୍ବ ଉପଖଣ୍ଡ ମାନ୍ୟତା ପାଇଁ ବିଭିନ୍ନ ସମୟରେ ଦାବି ହୋଇଆସୁଛି। ହେଲେ ଅଦ୍ୟାବଧି ଏହି ଦାବି ପୂରଣ ହୋଇପାରିନାହିଁ। ଗତବର୍ଷ ଅକ୍ଟୋବର ୨ରୁ ମାସ ଶେଷ ପର୍ଯ୍ୟନ୍ତ ଗଣଧାରଣା, ଶୋଭାଯାତ୍ରା ସହ ଗଣସମାବେଶ କରାଯାଇ ଦାବିପତ୍ର ଦିଆଯାଇଥିଲା।

ଏହା ସହ ମ.ରାମପୁର ଜନସାଧାରଣଙ୍କୁ ତରଫରୁ ପୋଷ୍ଟକାର୍ଡ ମଧ୍ୟ ପ୍ରେରଣ ହେବା ସହ ସଦରମହକୁମା ଭବାନୀପାଟଣାରେ ଧାରଣା ଦିଆଯାଇଥିଲେ ମଧ୍ୟ ଅଦ୍ୟାବଧି କୌଣସି ପଦକ୍ଷେପ ନିଆଯାଇନାହିଁ। ଏଥିପାଇଁ ଆଜି ମିଳିତ ଆଦିବାସୀ ଓ ଜନସାଧାରଣ ସଂଗ୍ରାମ ମଞ୍ଚ ତରଫରୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ଦିଆଯାଇଛି। ମ.ରାମପୁର ବିଭିନ୍ନ ପଞ୍ଚାୟତରୁ ଆସିଥିବା ବହୁ ଆଦିବାସୀ ଓ ସାଧାରଣ ଜନତା ଚାରିଛକଠାରୁ ଶୋଭାଯାତ୍ରାରେ ବାହାରି ତହସିଲ୍‌ ଅଫିସ୍‌ଠାରେ ପହଞ୍ଚିଥିଲେ।

ପରେ ବ୍ଲକ୍‌ ସଭାଗୃହରେ ଚାଲିଥିବା ଜନଶୁଣାଣି କାର୍ଯ୍ୟକ୍ରମରେ କଳାହାଣ୍ଡି ଜିଲ୍ଲାପାଳ ଗଭାଲି ହର୍ଷଦ ପରାଗଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଆଦିବାସୀ ନେତା ପ୍ରକାଶ ମାଝୀ, ଜିଲ୍ଲା କଂଗ୍ରେସ ସାଧାରଣ ସଂପାଦକ ବିଭୂତ ଭୂ‌ଷଣ ମହାଖୁଡ଼, କଂଗ୍ରେସ ନେତା ଚମାର ବଗର୍ତ୍ତୀ, ପ୍ରଭାକର ନାଗ, ବରିଷ୍ଠ ବିଜେପି ନେତା ପଦ୍ମଲୋଚନ ମିଶ୍ର, ଦିବାକର ନାଗ, ସିପିଆଇଏମ୍‌ ନେତା ବିଶ୍ବଜିତ ଚାଟାର୍ଜୀ, ସତ୍ୟଜିତ ଚାଟାର୍ଜୀ, ଗଙ୍ଗାଧର ପ୍ରହରାମ ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର