ସମ୍ବଲପୁର ଶ୍ରମ କାର୍ଯ୍ୟାଳୟରେ ସୀମା ଲଂଘିଲା ଦଲାଲି : ନିର୍ମାଣ ଶ୍ରମିକଙ୍କ ଫର୍ମ ପୂରଣ ପାଇଁ ଟଙ୍କା ଆଦାୟ

ମିଳୁନି ଶିକ୍ଷା ସହାୟତା, ଅଫିସରୁ ଅଫିସ୍‌ ଧାଉଁଛନ୍ତି ଶ୍ରମିକଙ୍କ ପୁଅ

ସମ୍ବଲପୁର: ସମ୍ବଲପୁର ଶ୍ରମ କାର୍ଯ୍ୟାଳୟରେ ସୀମା ଲଂଘିଲା ଦଲାଲି। ଶ୍ରମିକଙ୍କ ପଞ୍ଜୀକରଣରୁ ନେଇ ବିଭିନ୍ନ ସହାୟତା ପାଇଁ ଶ୍ରମିକଙ୍କଠାରୁ ଦଲାଲ୍‌ ମାନେ ହଜାର ହଜାର ଟଙ୍କା ଶୋଷୁଥିବା ସମୟରେ ମଙ୍ଗଳବାର ଜିଲ୍ଲା ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟରେ ଆଉ ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା। ନିର୍ମାଣ ଶ୍ରମିକ କାର୍ଡ ନବୀକରଣ ପାଇଁ ଭିଡ଼ ଲାଗି ରହିଥିବା ବେଳେ ଶ୍ରମିକଙ୍କ ଫର୍ମରେ ଲେଖି ଦେବା ପାଇଁ ମଧ୍ୟ ଜଣଙ୍କଠାରୁ ୨୦ ଟଙ୍କା ଆଦାୟ କରାଯାଉଥିବା ‌ଦେଖିବାକୁ ମିଳିଥିଲା। ପ୍ରାୟତଃ ଶ୍ରମିକ ସାକ୍ଷର ନଥିବାରୁ ଦଲାଲ୍‌ମାନେ ତାହାର ଫାଇଦା ନେଇ ଶ୍ରମିକଙ୍କଠାରୁ ଟଙ୍କା ଶୋଷଣ କରୁଥିବା ଦେଖିବାକୁ ମିଳିଥିଲା। କେବଳ ଏତିକି ନୁହେଁ ବରଂ ୨ବର୍ଷରୁ ଅଧିକ ସମୟ ଧରି ନବୀକରଣ କରାଇନଥିବା ଶ୍ରମିକଙ୍କ ଫର୍ମ ପକାଇବା‌ ସମୟରେ ଅସୁବିଧା ହେଉଥିବାରୁ ‌ପ୍ରତ୍ୟେକଙ୍କଠାରୁ ୩ ହଜାରରୁ ୫ ହଜାର ଟଙ୍କା ଯାଏଁ ମଧ୍ୟ ନେଇ ସେଗୁଡ଼ିକୁ ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟରେ ପ୍ରଦାନ କରାଯାଉଥିଲା। ମଙ୍ଗଳବାର ଜିଲ୍ଲା ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟରେ ୧ ହଜାରରୁ ଊର୍ଦ୍ଧ୍ବ ଶ୍ରମିକ ପଞ୍ଜୀକରଣ ପାଇଁ ଯାଇଥିବା ସମୟରେ ଦିନ ୨ଟା ସୁଦ୍ଧା ୪୧୭ଟି ଫର୍ମ ପଡ଼ିଥିଲା। ଏମାନଙ୍କ ମଧ୍ୟରୁ ୨୬୯ ଜଣଙ୍କର ନିର୍ମାଣ ଶ୍ରମିକ କାର୍ଡ ନବୀକରଣ କରାଯାଇଥିଲା।

ମିଳୁନି ଶିକ୍ଷା ସହାୟତା, ଅଫିସରୁ ଅଫିସ୍‌ ଧାଉଁଛନ୍ତି ଶ୍ରମିକଙ୍କ ପୁଅ
ଜିଲ୍ଲା ଶ୍ରମ ବିଭାଗରେ ପଞ୍ଜିକୃତ ହୋଇଥିବା ନିର୍ମାଣ ଶ୍ରମିକଙ୍କୁ ସରକାରୀ ଯୋଜନା ମୁତାବକ ସହାୟତା ମିଳିପାରୁନଥିବା ନେଇ ବାରମ୍ବାର ଅଭିଯୋଗ ହୋଇଆସୁଛି। ନିର୍ମାଣ ଶ୍ରମିକଙ୍କ ସନ୍ତାନସନ୍ତତିଙ୍କୁ ପାଠ ପଢ଼ା ପାଇଁ ଆର୍ଥିକ ସହାୟତା ପ୍ରଦାନ କରାଯିବାର ଯୋଜନା ରହିଥିବା ସମୟରେ ଏହାର ଫାଇଦା ଶ୍ରମିକଙ୍କୁ ମିଳିପାରୁନି। ନୂଆତିହୁରା ଗ୍ରାମର ଶ୍ରମିକ ଅହଲ୍ୟା କରାଲିଙ୍କ ପୁଅ ସୁନୀଲ ଭୁବନେଶ୍ବରସ୍ଥିତ କିଷ୍ଟ ମହାବିଦ୍ୟାଳୟରେ ସମନ୍ବିତ ଏମ୍‌ବିଏ ପାଠ୍ୟକ୍ରମ ପାଇଁ ମନୋନୀତ ହୋଇଛନ୍ତି। ମାତ୍ର ସରକାରୀ ଯୋଜନାରେ ଆର୍ଥିକ ସହାୟତା ମିଳିବାରୁନଥିବାରୁ ସୁନୀଲ ପାଠ ପଢ଼ିବାକୁ ଯାଇପାରୁନାହାନ୍ତି। ଏସମ୍ପର୍କରେ ସେ ଜିଲ୍ଲା ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଯିବା ପରେ ସେଠାରେ ଦିନ ପରେ ଦିନ ଗଡ଼ାଇ ଚାଲିଲେ କିନ୍ତୁ କୌଣସି ସୁବିଧା ମିଳିନଥିଲା। ଏହାପରେ ସେ ସମ୍ବଲପୁର ଜିଲ୍ଲାପାଳଙ୍କ ନିକଟକୁ ମଧ୍ୟ ଏକାଧିକ ଥର ଆସି ସହାୟତା ରାଶି ପାଇଁ ଦାବି କରିଛନ୍ତି। ମଙ୍ଗଳବାର ପୁଣିଥରେ ସେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ତୁରନ୍ତ ସହାୟତା ପ୍ରଦାନ କରାଗଲେ ସେ ପାଠ ପଢ଼ିବାକୁ ଯିବେ ବୋଲି କହିଥିଲେ।

ସମ୍ବନ୍ଧିତ ଖବର