ପାରାଦୀପ-କଟକ ୨ ମେମୁ ଟ୍ରେନ୍‌ରେ ଅଧିକ ବଗି ସଂଯୋଗ ଦାବି

ଭୁବନେଶ୍ବର : ପାରାଦ୍ବୀପ-କଟକ ନୂଆ ମେମୁୁ ପାସେଞ୍ଜର ଟେନ୍‌ ( ନଂ୫୮୪୦୨) ଏବଂ କଟକ-ପାରାଦୀପ ନୂଆ ମେମୁ ପାସେଞ୍ଜର ଟ୍ରେନ୍‌ ( ନଂ ୫୮୪୦୧) ନୂଆ କରି ଇଷ୍ଟକୋଷ୍ଟ ରେଳବାଇ ତରଫରୁ ଚାଲୁ କରାଯାଇଛି। ମାତ୍ର, ଏହି ଦୁଇଟି ଟ୍ରେନ୍‌ରେ ମାତ୍ର ବାରଟି ବଗି ରହିଥିବାବେଳେ ବସିବା ପାଇଁ କମ୍‌ ସିଟ୍‌ ରହିଛି। ଫଳରେ, ଏହି ଦୁଇଟି ଟ୍ରେନ୍‌ ଉପରେ ନିର୍ଭର କରୁଥିବା ଶହଶହ ଯାତ୍ରୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଉଲ୍ଲେଖଯୋଗ୍ୟ, ଏହି ପାସେଞ୍ଜର ଟ୍ରେନ୍‌ ଉପରେ କଟକ ଓ ଜଗତସିଂହପୁର ଜିଲ୍ଲାର ଗ୍ରାମାଞ୍ଚଳର ଶହଶହ ଲୋକ ନିର୍ଭରଶୀଳ। ଯାହାକୁ ଦୃଷ୍ଟିରେ ରଖି କଟକ-ପାରାଦ୍ବୀପ ମେମୁ ଟ୍ରେନ୍‌ ଦ୍ବୟରେ ଆଉ ଚାରୋଟି ବଗି ସଂଯୋଗ କରି ଚଳାଚଳ କରିବା ସାଇଁ ସାଧାରଣରେ ଦାବି ହେଉଛି।

ଏ ନେଇ କେନ୍ଦ୍ର ସରକାରଙ୍କର ମାନ୍ୟବର ରେଳବାଇ ମନ୍ତ୍ରୀ ପୀୟୁଷ ଗୋଏଲ; ଇସ୍ପାତ୍‌ , ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପୂର୍ବତନ ରେଳପଥର ଖୋର୍ଦ୍ଧା ଡିଭିଜନ ଡିଆର୍‌ଏମ୍‌ଙ୍କୁ ମଧ୍ୟ ଏ ନେଇ ଲିଖିତ ଦାବିପତ୍ର ପ୍ରଦାନ କରାଯାଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଡିଜିଟାଲ ଇଣ୍ଡିଆ ଓ ‘ ସବ୍‌କା ସାଥ୍, ସବ୍‌କା ବିକାଶ’ ସ୍ବପ୍ନ ଆଧାରରେ ସମସ୍ତ ଯାତ୍ରୀଙ୍କ ସୁବିଧା ନିମନ୍ତେ ଆଉ ଚାରୋଟି ବଗି ସଂଯୋଗ କରି ମେମୁ ଟ୍ରେନ୍‌ ଚଳାଚଳ କରିବାକୁ ଦାବିପତ୍ରରେ ଉଲ୍ଲେଖ କରାଯାଇଛି।

ସମ୍ବନ୍ଧିତ ଖବର