ଭୁବନେଶ୍ବର : ରାଜସ୍ବ ଆୟୁକ୍ତ(ଆର୍ଡିସି) କାର୍ଯ୍ୟାଳୟରୁ ଏହା ଅଧୀନରେ ଥିବା ଅଞ୍ଚଳର ଦୂରତା ୩୦୦ରୁ ୫୦୦ କିଲୋମିଟର। ଗରିବ ଲୋକଟିଏ ଜମିଜମା ମାମଲାରେ ଏତେ ଦୂର ଯିବା ସମ୍ଭବ କି? ତେଣୁ ସରକାର ବାସ୍ତବ ସମସ୍ୟା ବୁଝି ନୂଆ ରାଜସ୍ବ ଡିଭିଜନ୍ ଗଠନ କରନ୍ତୁ।
ଆଜି ବିଧାନସଭାରେ ବିଧାୟକମାନେ ଏମିତି ଦାବି କରିଥିଲେ। ଉଭୟ ଶାସକ ଓ ବିରୋଧୀଙ୍କ ସ୍ବର ଏକ ଥିଲା। ପ୍ରଶାସନିକ ସୁବିଧା ପାଇଁ ଅତି କମ୍ରେ ତିନିଟି ନୂଆ ଆର୍ଡିସି ଜୋନ୍ ଗଠନ କରିବାକୁ ପ୍ରସ୍ତାବ ଦିଆଯାଇଥିଲା। ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି ପ୍ରଥମେ ପ୍ରଥମେ ସରକାରଙ୍କର ଏ ନେଇ କୌଣସି ପ୍ରସ୍ତାବ ନାହିଁ ବୋଲି ରୋକ୍ଠୋକ୍ ମନା କରିଦେଉଥିଲେ। କିନ୍ତୁ ଜୋର୍ଦାର୍ ଦାବି ହେବାରୁ ସରକାର ଏହାକୁ ବିଚାର କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।
ରାଜ୍ୟରେ ରାଜସ୍ବ ଡିଭିଜନ୍ଗୁଡ଼ିକର ପୁନର୍ଗଠନ କରି ଅବିଭକ୍ତ କୋରାପୁଟ ଜିଲ୍ଲା ପାଇଁ ଜୟପୁରରେ ଏକ ସ୍ବତନ୍ତ୍ର ଆର୍ଡିସି କାର୍ଯ୍ୟାଳୟ ଖୋଲିବା ନେଇ ତାରା ପ୍ରସାଦ ବାହିନୀପତି ମୂଳ ପ୍ରଶ୍ନ କରିଥିଲେ। ଉତ୍ତରରେ ରାଜସ୍ବ ମନ୍ତ୍ରୀ କହିଥିଲେ, ରାଜସ୍ବ ଡିଭିଜନ୍ଗୁଡ଼ିକର ପୁନର୍ଗଠନ କରି ଅବିଭକ୍ତ କୋରାପୁଟ ଜିଲ୍ଲା ପାଇଁ ଜୟପୁରଠାରେ ସ୍ବତନ୍ତ୍ର ଆର୍ଡିସି କାର୍ଯ୍ୟାଳୟ ଖୋଲିବା ନିମନ୍ତେ ବର୍ତ୍ତମାନ ସରକାରଙ୍କର କୌଣସି ପ୍ରସ୍ତାବ ନାହିଁ। ୩୧.୩.୧୯୯୩ ଓ ପରେ ୩୦.୧୨.୧୯୯୩ରେ ରାଜସ୍ବ ଡିଭିଜନ୍ଗୁଡ଼ିକର ପୁନର୍ଗଠନ ହୋଇଥିଲା ବୋଲି ମନ୍ତ୍ରୀ ସୂଚନା ଦେଇଥିଲେ।
ଉତ୍ତରରେ ଅସନ୍ତୋଷ ପ୍ରକାଶ କରି ଶ୍ରୀ ବାହିନୀପତି କହିଥିଲେ, ସରକାରଙ୍କର ପ୍ରସ୍ତାବ ନାହିଁ କହିଲେ ଚଳିବନି। କୋରାପୁଟ ସବୁବେଳେ ଅବହେଳିତ ହୋଇ ରହିଆସିଛି। କଳାହାଣ୍ଡିର ଆର୍ଡିସି କାର୍ଯ୍ୟାଳୟ ବ୍ରହ୍ମପୁରରେ। କଳାହାଣ୍ଡିରୁ ବ୍ରହ୍ମପୁର ଦୂରତା ୩୫୦ କିଲୋମିଟର। ମାଲକାନଗିରି ଓ ନୂଆପଡ଼ାରୁ ଦୂରତା ଆହୁରି ଅଧିକ। ଲୋକମାନେ ତଳ ସ୍ତରରେ ସମସ୍ୟା ଭୋଗୁଛନ୍ତି।
ମନ୍ତ୍ରୀ କହିଥିଲେ, ମୁଁ ବିଧାୟକଙ୍କ ପ୍ରସ୍ତାବରେ ଏକମତ। ଆର୍ଡିସି କାର୍ଯ୍ୟାଳୟରୁ ବିଭିନ୍ନ ଅଞ୍ଚଳ ଦୂରତା ଅଧିକ ରହୁଛି। ବହୁ ରାଜସ୍ବ କେସ୍ ପଡ଼ି ରହିଛି। ସେଗୁଡ଼ିକର ତ୍ବରିତ ଫଇସଲା ପାଇଁ ୨୭ଟି ଆଞ୍ଚଳିକ ରାଜସ୍ବ କୋର୍ଟକୁ ଦାୟିତ୍ବ ଦିଆଯାଇଛି। ଜିଲ୍ଲାପାଳ କିମ୍ବା ଅତିରିକ୍ତ କମିସନର୍(ଜମିଜମା) ମାମଲାଗୁଡ଼ିକର ଫଇସଲା କରିବେ।
ଶାସକ ଦଳର ବରିଷ୍ଠ ସଭ୍ୟ ପ୍ରଦୀପ ଅମାତ କହିଥିେଲ, ବୌଦ୍ଧ ଏବେ ଦକ୍ଷିଣାଞ୍ଚଳ ଆର୍ଡିସି ଅଧୀନରେ ଅଛି। ବୌଦ୍ଧରୁ ବ୍ରହ୍ମପୁର ଦୂରତା ୨୩୫ କିଲୋମିଟର। କିନ୍ତୁ ବୌଦ୍ଧରୁ ସମ୍ବଲପୁର ଦୂରତା ୧୦୦ କିଲୋମିଟର। ତେଣୁ ବୌଦ୍ଧ ଜିଲ୍ଲା ସମ୍ବଲପୁର ଆର୍ଡିସି ଅଧୀନକୁ ଅଣାଯାଉ।
କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଲେ, ୧୩ଟି ଜିଲ୍ଲା ଥିଲା ବେଳେ ୩ଟି ଆର୍ଡିସି ଡିଭିଜନ୍ ଥିଲା। ଜିଲ୍ଲା ସଂଖ୍ୟା ବଢ଼ି ୩୦ ହେଲା, ଯଦିଓ ରାଜ୍ୟର ଭୌଗଳିକ ଅଞ୍ଚଳ ସମାନ ରହିଲା। ଏବେ ଜିଲ୍ଲାପାଳମାନଙ୍କ କାମ ବହୁତ ବଢ଼ିଯାଇଛି। ସେମାନେ ରାଜସ୍ବ ମାମଲାଗୁଡ଼ିକର ବିଚାର କରି ପାରୁ ନାହାନ୍ତି। ସରକାର ଯୋଜନା ଉପରେ ଯୋଜନା ବଢ଼ାଇ ଜିଲ୍ଲାପାଳମାନଙ୍କୁ ଅଧିକ ଦାୟିତ୍ବ ଦେଇଛନ୍ତି। ତେଣୁ ଅତି କମ୍ରେ ୬ଟି ରାଜସ୍ବ ଡିଭିଜନ୍ ଗଢ଼ାଯାଉ। ପ୍ରତି ଡିଭିଜନ୍ ଅଧୀନରେ ୫ଟି ଲେଖାଏ ଜିଲ୍ଲା ରହୁ। ବଲାଙ୍ଗୀରରେ ଗୋଟିଏ ରାଜସ୍ବ ଡିଭିଜନ୍ଙ୍କ ମୁଖ୍ୟାଳୟ ରହୁ।
ମୂଳ ପ୍ରଶ୍ନକର୍ତ୍ତା ଶ୍ରୀ ବାହିନୀପତି ଆହୁରି କହିଥିଲେ, ଅତିରିକ୍ତ ରାଜସ୍ବ କୋର୍ଟରେ କି କାମ ହେଉଛି ଆମେ ଜାଣିପାରୁନି। ଦକ୍ଷିଣାଞ୍ଚଳ ଆର୍ଡିସି କେବେ ଆମ ଫୋନ୍ ରିସିଭ୍ କରନ୍ତିନି। ସେ କେବେ କୋରାପୁଟ ଆସନ୍ତି ନାହିଁ। ତେଣୁ ନୂଆ ଆର୍ଡିସି ଡିଭିଜନ୍ ଗଠନ ହେବାର ଜରୁରୀ ଆବଶ୍ୟକତା ଥିବାରୁ ମନ୍ତ୍ରୀ ଏହାକୁ ବିଚାର କରନ୍ତୁ ବୋଲି ସେ ଦାବି କରିଥିଲେ। ମନୋହର ରାନ୍ଧାରୀ ଓ ନିତ୍ୟାନନ୍ଦ ଗଣ୍ଡ ଅତିରିକ୍ତ ପ୍ରଶ୍ନ କରିଥିଲେ।
ବିରୋଧୀ କଂଗ୍ରେସର ସଭ୍ୟମାନେ ମିଳିତ ଭାବେ ଠିଆ ହୋଇ ମନ୍ତ୍ରୀ ଏହି ପ୍ରସଙ୍ଗକୁ ଗୁରୁତ୍ବର ସହ ନେବାକୁ ଦାବି କରିଥିଲେ। ମନ୍ତ୍ରୀ କହିଥିଲେ, ଉଭୟ ବିରୋଧୀ ଓ ଶାସକ ଦଳରୁ ଗୁରୁତ୍ବପୂର୍ଣ୍ଣ ପରାମର୍ଶ ଆସିଛି। ଆମେ ଏହାକୁ ପରୀକ୍ଷା ନିରୀକ୍ଷା କରିବୁ। ଲୋକଙ୍କ ପାଖରେ କିପରି ରାଜସ୍ବ ସେବା ତ୍ବରିତ ବେଗରେ ପହଞ୍ଚିବ, ସେ ଦିଗରେ ଆମେ ପଦକ୍ଷେପ ନେବୁ।