କେନ୍ଦୁଝର : ଲୁହାପଥର ପରିବହନ ଲକ୍ଷ୍ୟ ପୂରଣ ନ କରିବାରୁ ଜେଏସ୍ଡବ୍ଲ୍ୟୁକୁ ୭୧୭ କୋଟିର ଡିମାଣ୍ଡ ନୋଟିସ ହୋଇଥିବାବେଳେ ଏବେ ମିତ୍ତଲ, ସିରାଜୁଦ୍ଦନି ଏବଂ ନର୍ଭେରାମ ଭଳି ଏକାଧିକ ଖଣି କମ୍ପାନିକୁ ହଜାର ହଜାର କୋଟି ଟଙ୍କାର ଡିମାଣ୍ଡ ନୋଟିସ୍ ଜାରି ହୋଇଛି।
କେନ୍ଦୁଝର ଏବଂ ସୁନ୍ଦରଗଡ଼ ଜିଲ୍ଲାର ୧୯ଟି ଲୁହାପଥର ଏବଂ ମାଙ୍ଗାନିଜ ଖଣି ପାଇଁ ଗତବର୍ଷ ନିଲାମ ଡକାଯାଇଥିଲା। ଏଥିରେ ଏକାଧିକ ଲିଜ୍ଧାରୀ ଭାଗ ନେଇ ଖଣି ହାତେଇବାରେ ସମର୍ଥ ହୋଇଥିଲେ। ୯୩ ପ୍ରତିଶତରୁ ଆରମ୍ଭ କରି ୧୬୦ ପ୍ରତିଶତ ପ୍ରିମିୟମ ଦେଇ ଲିଜ୍ଧାରୀମାନେ ଖଣି ହାତେଇଥିଲେ। ଏବେ ଏହି ଲିଜ୍ଧାରୀ ନିଜନିଜ ଖଣିରୁ ସରକାରଙ୍କ ଟାର୍ଗେଟ ଅନୁସାରେ ଲୁହାପଥର ପରିବହନ କରିପାରିନାହାନ୍ତି। ଏହିକ୍ରମରେ ରାଜ୍ୟ ସରକାରଙ୍କ ପକ୍ଷରୁ ଜେଏସ୍ଡବ୍ଲ୍ୟୁର ଜଜାଙ୍ଗ ଖଣି ପାଇଁ ସରକାର ୭୧୭ କୋଟି ଟଙ୍କାର ଡିମାଣ୍ଡ ନୋଟିସ ପଠାଇଥିଲେ। ଏବେ ଆର୍ସେଲର ମିତ୍ତଲ ଏବଂ ନିପନ କମ୍ପାନି ମାଲିକାନାରେ ଥିବା ଠାକୁରାଣୀ ଖଣି ସରକାରଙ୍କ ଟାର୍ଗେଟ ମୁତାବକ ଲୁହାପଥର ପରିବହନ କରିପାରି ନଥିବାରୁ ୧୪୫ କୋଟି ଟଙ୍କାର ଡିମାଣ୍ଡ ନୋଟିସ ହୋଇଛି।
ଏହି ଖଣିରୁ ମିତ୍ତଲ କମ୍ପାନି ପାଇଁ ମୋଟ ୪୨.୦୨ ଲକ୍ଷ ଟନ୍ ପରିବହନ ଟାର୍ଗେଟ ଥିବାବେଳେ ଆହୁରି ୧.୯୬ ଲକ୍ଷ ଟନ୍ ଲୁହାପଥର ପରିବହନ ହୋଇପାରିନାହିଁ। ଫଳରେ ଏମ୍ଡିପିଏ (ମଡେଲ ମାଇନ୍ ଡେଭଲପମେଣ୍ଟ ଆଣ୍ଡ ପ୍ରଡକ୍ସନ ଏଗ୍ରିମେଣ୍ଟ) ଅନୁସାରେ ରାଜ୍ୟ ସରକାର ରୟାଲଟି, ଡିଏମ୍ଏଫ୍ ଏବଂ ଏନ୍ଏମ୍ଇଟି ବାବଦକୁ ଅର୍ଥ ଆଦାୟ ପାଇଁ ଏହି ନୋଟିସ କରିଥିବା ଜଣାଯାଇଛି। ଖାଲି ଜେଏସ୍ଡବ୍ଲ୍ୟୁ କି ମିତ୍ତଲ ନୁହେଁ, ଏକାଧିକ ଖଣି ଲିଜ୍ଧାରୀ ପରିବହନ ଟାର୍ଗେଟ ପୂରଣ କରିବାରେ ବିଫଳ ହୋଇଛନ୍ତି। ନର୍ଭେରାମ ଷ୍ଟିଲ୍ ରୋଇଡା-୨ ଖଣିରୁ ଟାର୍ଗେଟରୁ ମାତ୍ର ୨୮.୫୪ ପ୍ରତିଶତ ଖଣିଜ ପରିବହନ କରିବାରେ ସମର୍ଥ ହୋଇଛି। ଏଥିପାଇଁ ଏହି ଖଣି କମ୍ପାନିକୁ ୧୪୮୩ କୋଟି ୭୪ ଲକ୍ଷ ଟଙ୍କା ଜରିମାନା ହୋଇଛି। ସେହିପରି ସିରାଜୁଦ୍ଦିନ କମ୍ପାନି ବଲଦା ଲୁହାପଥର ଖଣିରୁ ମାତ୍ର ୧୬.୪୧ ପ୍ରତିଶତ ଲୁହାପଥ୍ର ପରିବହନ କରିଛି। ସରକାରଙ୍କ ପରିବହନ ଟାର୍ଗେଟ ପୂରଣ ହୋଇପାରି ନଥିବାରୁ କମ୍ପାନିକୁ ୬୦୨୮ କୋଟି ୮୨ ଲକ୍ଷ ଟଙ୍କାର ଡିମାଣ୍ଡ ନୋଟିସ ହୋଇଛି। ସେହିପରି ଜଗତଜନନୀ ସର୍ଭିସେସ ଜରିବାହଲ ଖଣିରୁ ମାତ୍ର ୫.୦୬ ପ୍ରତିଶତ ଟାର୍ଗେଟ ପୂରଣ କରିଛି। ଏହି ଖଣି କମ୍ପାନିକୁ ୨୮୭ କୋଟି ୨୩ ଲକ୍ଷ ଟଙ୍କାର ଡିମାଣ୍ଡ ନୋଟିସ ହୋଇଛି। ଅନ୍ୟପକ୍ଷରେ ଜେଏସ୍ଡବ୍ଲ୍ୟୁ ପରି ବଡ଼ ଖଣି କମ୍ପାନି ଏବେ ଗଣୁଆ ଲୁହାପଥର ଖଣିକୁ ସରକାରଙ୍କୁ ଫେରାଇ ଦେବାକୁ ଚିଠି କରଥିବାବେଳେ ଏବେ ଏକାଧିକ ଖଣି କମ୍ପାନି ଟାର୍ଗେଟ ପୂରଣ କରି ନ ପାରିବା ସରକାରଙ୍କ ଚିନ୍ତା ବଢ଼ାଇଛି।