ରାଉରକେଲା: ଜିଲ୍ଲାରେ ଯେତେବେଳେ କୋଭିଡ୍ ସଂକ୍ରମଣ ସଂଖ୍ୟା ଅଧିକ ରହିଥିଲା, ସେତେବେଳେ ଲୋକେ ଟିକା ନେବାକୁ ଆଗଭର ହେଉଥିଲେ। ଟିକାକରଣ କେନ୍ଦ୍ରରେ ଠେଲାପେଲା ବି ଦେଖିବାକୁ ମିଳୁଥିଲା। ପରବର୍ତ୍ତୀ ସମୟରେ କିନ୍ତୁ ସଂକ୍ରମଣ ଗୌଣ ହେବାରୁ ଲୋକେ ଟିକା ନେବାକୁ ଅମଙ୍ଗ ହୋଇଥିଲେ। ବିଭିନ୍ନ ଟିକାକରଣ କେନ୍ଦ୍ରରେ ପୂର୍ବଭଳି ଆଉ ଲୋକଙ୍କ ଭିଡ଼ ଦେଖିବାକୁ ମିଳିନଥିଲା। ଏବେ କିନ୍ତୁ ସ୍ଥିତିରେ ପରିବର୍ତ୍ତନ ଆସିଛି। ସମ୍ଭାବ୍ୟ କୋଭିଡ୍ ସଂକ୍ରମଣ ଆଶଙ୍କା ହେଉ ଅବା ସଚେତନତା ଯୋଗୁଁ; ସ୍ଥିତିରେ ସୁଧାର ପରିଲକ୍ଷିତ ହୋଇଛି। ଲୋକେ ସ୍ବଇଚ୍ଛାରେ ଟିକା ନେବାକୁ ଆଗ୍ରହ ପ୍ରକାଶ କରିଛନ୍ତି।
ଜିଲ୍ଲାରୁ ସଂକ୍ରମଣ ହ୍ରାସ ହୋଇଛି ସତ; କିନ୍ତୁ ସଂପୂର୍ଣ୍ଣ ଲୋପ ପାଇନି। ଏବେ ବି ପ୍ରାୟ ପ୍ରତ୍ୟେକ ଦିନ ୧/୨ଟି ଜଣ ଆକ୍ରାନ୍ତ ହେଉଛନ୍ତି। ଗତ ଜୁନ ୧ ତାରିଖରୁ ୨୧ ତାରିଖ ପର୍ଯ୍ୟନ୍ତ ଜିଲ୍ଲାରେ ମୋଟ୍ ୨୮ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ସମୟ ଅବଧି ମଧ୍ୟରେ କେବଳ ୨, ୯, ୧୦, ୧୩, ୧୫ ଓ ୧୮ ତାରିଖରେ ଜଣେ ବି ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି। ତେବେ ଗତ ୭ ତାରିଖରେ ଦିନକରେ ସର୍ବାଧିକ ୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୧୧, ୧୨, ଓ ୧୪ ତାରିଖରେ ୩ ଜଣ ଲେଖାଏଁ, ୧ ତାରିଖ, ୧୬ ତାରିଖ ଓ ୧୯ ତାରିଖରେ ଦୁଇ ଜଣ ଲେଖାଏଁ ଚିହ୍ନଟ ହୋଇଥିବାବେଳେ ବାକି ଦିନରେ ଜଣେ ଲେଖାଏଁ ପଜିଟିଭ୍ ଚିହ୍ନଟ ହୋଇଥିଲେ। ପ୍ରକାଶଥାଉକି, ଜିଲ୍ଲାର ମୋଟ୍ ସଂକ୍ରମିତ ସଂଖ୍ୟା ୯୦,୮୭୮ରେ ପହଞ୍ଚିଛି। ଏଥିମଧ୍ୟରୁ ୯୦,୧୮୬ ଜଣ ସୁସ୍ଥ ହୋଇସାରିଥିବାବେଳେ ୬୮୧ ଜଣଙ୍କ ମୃତ୍ୟୁ ଘଟିଛି। ତେବେ ଏବେ ବି ୭ ଜଣ ଆକ୍ରାନ୍ତ ସଙ୍ଗରୋଧରେ ଅଛନ୍ତି।
ଅପରପକ୍ଷରେ ଦୈନିକ ଟିକାକରଣ ସଂଖ୍ୟାରେ ପୂର୍ବାପେକ୍ଷା ଉନ୍ନତି ଘଟିଛି। ସଂପ୍ରତି ଜିଲ୍ଲାର ୭୬ଟି ସରକାରୀ ଓ ୨ଟି ବେସରକାରୀ କେନ୍ଦ୍ର, ମୋଟ୍ ୭୮ ଟି କେନ୍ଦ୍ରରେ ଟିକା ଦିଆଯାଉଛି। ଆରମ୍ଭରୁ ଆଜିପର୍ଯ୍ୟନ୍ତ, ଏଯାବତ୍ ଜିଲ୍ଲାରେ ୩୦ ଲକ୍ଷ ୨୮ ହଜାର ୭୯୨ଟି ପ୍ରଥମ, ଦ୍ବିତୀୟ ଓ ପ୍ରିକସନାରୀ ଡୋଜ୍ ଦିଆସରିଛି। ଏମାନଙ୍କ ମଧ୍ୟରୁ ମହିଳାଙ୍କୁ ୧୪ ଲକ୍ଷ ୮୨ ହଜାର ୧୧୩ ଟି ଓ ମହିଳାଙ୍କୁ ୧୪ ଲକ୍ଷ ୭୮ ହଜାର ୪୫୩ ଏବଂ କିନ୍ନରଙ୍କୁ ୫୫୫ଟି ଟିକା ଦିଆଯାଇଛି। ଟିକା ନେବାରେ ଯୁବପୀଢ଼ିଙ୍କ ସଂଖ୍ୟା ଢ଼େର୍ ଅଧିକ ରହିଛି। ୧୮-୪୪ ବର୍ଷ ବର୍ଗର ବ୍ୟକ୍ତିଙ୍କୁ ୧୭ ଲକ୍ଷ ୧୦ ହଜାର ୮୧ଟି ଟିକା ଦିଆଯାଇଥିବାବେଳେ ୪୫-୬୦ ବର୍ଷ ବର୍ଗରେ ୬ ଲକ୍ଷ ୬୩ ହଜାର ୭୪୮, ଷାଠିଏରୁ ଉର୍ଦ୍ଧ୍ବ ବର୍ଷର ବର୍ଗରେ ୩ ଲକ୍ଷ ୭୭ ହଜାର ୧୨୯, ୧୫-୧୭ ବର୍ଷ ବର୍ଗରେ ୧ ଲକ୍ଷ ୬୬ ହଜାର ୮୩୪ ଏବଂ ୧୨-୧୪ ବର୍ଷ ବର୍ଗରେ ୯୬ ହଜାର ୧୬୪ଟି ଟିକା ଦିଆଯାଇଛି। ଜିଲ୍ଲାରେ ସର୍ବାଧିକ ହିତାଧିକାରୀ କୋଭିସିଲ୍ଡ ଟିକା ଦିଆଯାଇଛି। ମୋଟ୍ ୨୭ ଲକ୍ଷ ୨୨ ହଜାର ୩୦୧ଟି କୋଭିସିଲ୍ଡ ଟିକା ଦିଆଯାଇଥିବାବେଳେ ୨ ଲକ୍ଷ ୧୦ ହଜାର ୩୨୭ଟି କୋଭାକ୍ସିନ ଓ ୯୬ ହଜାର ୧୬୪ଟି କୋର୍ବେଭାକ୍ସ ଟିକା ଦିଆଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/37830664-3467-466f-a3e9-0d5bf164ff16.jpg)