ଶୀତଋତୁ ଆସିଲେ ବଢୁଛି ବିଦେଶୀ ଫୁଲର ଚାହିଦା, ବିକ୍ରି ହେଉଛି ଚାରା

ଭଞ୍ଜନଗର: ଚଳିତବର୍ଷ ବର୍ତ୍ତମାନ ପର୍ଯ୍ୟନ୍ତ ଗଂଜାମ ଭଞ୍ଜନଗର ସହରରେ ଶୀତ  ଅନୁଭୂତ ହୋଇନି। କେବଳ ଭୋର ସମୟରେ ଶୀତ ଅନୁଭୂତ ହେଉଥିବା ବେଳେ ସନ୍ଧ୍ୟାରେ ହାଲକା ଶୀତ ହେଉଛି, ଯାହାଦ୍ବାରା ସକାଳେ ସ୍ବଳ୍ପ ଶୀତ ବସ୍ତ୍ରରେ ଲୋକେ ବୁଲୁଥିବାର ଦେଖିବାକୁ ମିଳୁଛି। ଚଳିତ ବର୍ଷ ପାଣିପାଗର ବ୍ୟାପକ ଅସନ୍ତୁଳନ ରହିଥିବା ବେଳେ ଶୀତ ମଧ୍ୟ ବିଳମ୍ବରେ ଆସିବ ବୋଲି ଅନୁମାନ କରାଯାଉଛି। ଆଉ ଶୀତଋତୁ ଆସିବା ମାତ୍ରେ ଦେଶୀ ବିଦେଶୀ ଫୁଲ ଚାରର ଚାହିଦା ବଢିବାରେ ଲାଗୁଛି। ଘର ଚାରିପାଖରେ ଫୁଲ ଗଛରେ ଆଚ୍ଛାଦିତ କରିବା ପାଇଁ ଲୋକ ମାନେ ମନ ବଳାଇଥାନ୍ତି। ଆଉ ଲୋକ ମାନଙ୍କ ଆବଶ୍ୟକତାକୁ ଦେରଖି ବହୁ ସ୍ଥାନରେ ଚାରା ବିକ୍ରି ମଧ୍ୟ ଆରମ୍ଭ ହୋଇଛି। ଚାରା ବ୍ୟବସାୟୀ ମାନଙ୍କ ପାଖରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳୁଛି। ବିଶେଷ କରି ଶୀତ ଦିନେ  ହେଉଥିବା ବିଦେଶୀ ଚାରା ପ୍ରତି ଲୋକ ମାନଙ୍କ ଅଧିକ ଆଗ୍ରହ ରହିଥିବା ଲକ୍ଷ୍ୟ କରାଯାଇଛି।

ଭଞ୍ଜନଗର ସହରର ବହୁ ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ପଶ୍ଚିମବଙ୍ଗରୁ ଆସୁଥିବା ବେଙ୍ଗଲ ବ୍ୟବସାୟୀ ମାନେ ଆସି ସେମାନଙ୍କ ପସରା ମେଲାଇଛନ୍ତି। ପ୍ରତି ଚାରା ଦୋକାନ ନିକଟରେ ବିଭିନ୍ନ ରକମର ପ୍ରାୟ ଶତାଧିକ ଚାରା ମହଜୁଦ ରହିଛି। ବିଭିନ୍ନ ପ୍ରକାରର ଇଣ୍ଡୋର ପ୍ଳାଣ୍ଟ୍ର ଛୋଟ ଚାରା ଠାରୁ ଆରମ୍ଭ କରି ଫୁଲ ଗଛର ଚାରା ବିକ୍ରି ହେଉଛି। ଫୁଲ ଚାରା ମଧ୍ୟରେ ଗେଣ୍ଡୁ ଚମ୍ପା, ଗଙ୍ଗ ଶିଉଳି, ବାଙ୍ଗାଲୋର ମନ୍ଦାର, ପୁନେ ମନ୍ଦାର, ଶ୍ରୀଲଙ୍କା ଭୁଟାନ ଟଗର ଭଳି ଚାରା ବିକ୍ରି ହେଉଛି। ଶୀତ ଦିନିଆ ଫୁଲ ଚାରା ମଧ୍ୟରେ ଅର୍କିଡ୍, ସେବତୀ, ଡାଲିଆ, ଡ୍ୟାନ୍ଥସ୍, ପିଟୁନିଆ, ଚେରି ଗୋଲ୍ଡ୍ ଅଷ୍ଟ୍ରିଆ, ଜିନିଆ, ସାଲଭିଆ, ଜିନିଆ,ବାଙ୍ଗାଲୋର ମିନି ଡାଲିଆ ପ୍ରଭୃତି ବହୁଳ ବିକ୍ରି ହେଉଛି। ଛୋଟ ଚାରା ଗୋଟାକ ୧୦ ଟଙ୍କାରେ ବିକ୍ରି ହେଉଥିବା ବେେଳେ ବଡ ଚାରା ୫୦ ଟଙ୍କାରୁ ୫୦୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଛି। ଏଥିସହ ଚାରା ଗୁଡ଼ିକ ପାଇଁ ପ୍ଳାଷ୍ଟିକ୍ ପଟ, ରଙ୍ଗ ବେରଙ୍ଗର ମାଣ୍ଡଣା ମଧ୍ୟ ବିକ୍ରି ହେଉଛି। ପୂର୍ବରୁ ଏଭଳି ସହରରେ ଚାହିଦା ନଥିବା ବେଳେ ବର୍ତ୍ତମାନ ଧିରେ ଧିରେ ଫୁଲ ଚାରା ପ୍ରତି ଲୋକଙ୍କ ଆଗ୍ରହ ବଢିଥିବା ଲକ୍ଷ୍ୟ କରାଯାଉଛି।ଭଞ୍ଜନଗର ସହର ଉପକଣ୍ଠ କିଛି ଇଲାକାରେ ବ୍ୟକ୍ତିଗତ ସ୍ତରରେ କିଛି ବ୍ୟକ୍ତି ନର୍ସରୀ କରିଥିବା ବେଳେ ସେଠାରେ ମଧ୍ୟ ଲୋକମାନେ ଚାରା ନେବା ପାଇଁ ଗହଳି କରୁଛନ୍ତି। କିନ୍ତୁ ଦେଶୀ ଚାରା ଅପେକ୍ଷା ହାଇବ୍ରିଡ୍ ଚାରାରେ ଫୁଲ ଧାରଣ ଭଲ ରହୁଥିବାରୁ ବେଙ୍ଗଲ ଚାରାର ଚାହିଦା ବଢିବାରେ ଲାଗିଛି।

ସରକାରୀ ସ୍ତରରେ ଏଭଳି ଚାରା ବିକ୍ରି ପାଇଁ କୌଣସି ସ୍ଥାନରେ ଚାରା ବିକ୍ରି ହେଉନଥିବା ଜଣାପଡିଛି। ଯାହା ଫଳରେ ଅଧିକା ଖର୍ଚ୍ଚାନ୍ତ ହେଲେ ମଧ୍ୟ  ଲୋକ ମାନେ ବଜାରରେ ମିଳୁଥିବା ଚାରାକୁ ଅଧିକ ଟଙ୍କା ଖର୍ଚ୍ଚାନ୍ତ ହୋଇ କ୍ରୟ କରୁଛନ୍ତି। ଏହି ଚାରା ବିକ୍ରି ବୃଦ୍ଧି ପାଇବା ସହ ଆବଶ୍ୟକ ଥିବା ଖତ,ମାଟି ଆଦିର ମଧ୍ୟ ବିକ୍ରି ଭଲ ହେଉଛି। ବିଶେଷ କରି ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଗୁଡ଼ିକର ସୌନ୍ଦର୍ଯ୍ୟକରଣ ପାଇଁ ପ୍ଳାଷ୍ଟିକ୍ ଅପେକ୍ଷା ସଜ ଗଛର ବର୍ତ୍ତମାନ ବହୁଳ ବ୍ୟବହାର ହେଉଥିବାରୁ ଚାରା ବିକ୍ରି ବହୁତ ବଢିଥିବା ଜଣାପଡିଛି।

ପଶ୍ଚିମବଙ୍ଗରୁ ଆସି ବ୍ୟବସାୟ କରୁଥିବା ମଙ୍ଗଲ ଦତ୍ତ କହିଛନ୍ତ ଯେ, ସେ ଦୀର୍ଘ ୨୮ ବର୍ଷ ହେଲା ଓଡ଼ିଶାର ବିଭିନ୍ନ ସ୍ଥାନରେ ଚାରା ବିକ୍ରି କରୁଥିବା ବେଳେ ଗତ ୭ ବର୍ଷ ହେଲା ଭଞ୍ଜନଗର ଆସି ଚାରା ବିକ୍ରି କରୁଛନ୍ତି। ଗତ କରୋନା ସମୟରେ ରୋଜଗାର ହରାଇ ଥିବା ବେଳେ ଚଳିତ ବର୍ଷ ଭଲ ବ୍ୟବସାୟ ହେଉଛି। କିଛି ଲୋକ ବଡ ଚାରା ନେଉଥିବା ବେଳେ ଛୋଟ ଚାରାକୁ ଅଧିକ ଯତ୍ନ ସହ ଲଗାଇବାକୁ ପଡୁଥିବାରୁ କେବଳ ନିୟମିତ ଗଛ ଲଗାଉଥିବା ଲୋକ ମାନେ ହିଁ ଛୋଟ ଚାରା କିଣି ନେଉଛନ୍ତି।

ସେହିପରି ବୃକ୍ଷପ୍ରେମୀ ତଥା ପ୍ରାକ୍ତନ ବନ କର୍ମଚାରୀ ଅନୁପମ ବାନାର୍ଜି କହିଛନ୍ତି ଯେ, ମଣିଷ ଆଉ ଗଛ ଭିତରେ ମୁଁ ଫରକ୍ ଦେଖିପାରୁନି। ଗଛରେ ଫୁଲଟିଏ ଫୁଟିଲେ ଦେଖି ପେଟ ପୁରିଯାଏ। ଶୀତ ଦିନ ନୁହେଁ ବର୍ଷ ତମାମ୍ ସକାଳ ହେଲେ ଘରରେ ଲଗାଇଥିବା ଗଛ ଗୁଡିକୁ ଘେରା ବୁଲି ସେମାନଙ୍କ ଅବସ୍ଥା ଦେଖି ଆସିବା ଏକ ନିତିଦିନଆ ଅଭ୍ୟାସ । ନିଜେ  ବିଭିନ୍ନ ରକମର ଗଛ ଲଗାଇବା ସହ ଅନ୍ୟମାନଙ୍କୁ ମଧ୍ୟ ପ୍ରବର୍ତ୍ତାଇ ଥାଏ। କେବଳ ନିଜ ଘରେ ନୁହେଁ ବିଭିନ୍ନ ସ୍ଥାନରେ ସବୁଜିମା ଓ ଫୁଲର ଚାଦର କିଭଳି ଖେଳାଇ ହୋଇ ରହିବା ସେଥି ନିମନ୍ତେ ସଦା ସର୍ବଦା ମୁଁ ପ୍ରୟାଶ କରିଥାଏ ବୋଲି ସେ କହିଛନ୍ତି।

 

 

ସମ୍ବନ୍ଧିତ ଖବର