ଭୁବନେଶ୍ବର : ରାଜ୍ୟ ସରକାର ନୂତନ ଅନୁଦାନପ୍ରାପ୍ତ ସ୍କୁଲ୍‌ ଓ କଲେଜକୁ ସପ୍ତମ ବେତନ ପ୍ରଦାନ ପାଇଁ କ୍ୟାବିନେଟ୍‌ ମଞ୍ଜୁରି କରି ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଏହି ପ୍ରକାଶିତ ବିଜ୍ଞପ୍ତି ତ୍ରୁଟିଯୁକ୍ତ ହୋଇଥିବା ବେଳେ ଶିକ୍ଷକ କର୍ମଚାରୀଙ୍କ ସ୍ବାର୍ଥ ବିରୋଧୀ। ତେଣୁ ସପ୍ତମ ବେତନ ମୋଡାଲିଟି ସଂଶୋଧନ କରାଯାଉ ବୋଲି ଓଡ଼ିଶା ସ୍କୁଲ୍‌ କଲେଜ ଶିକ୍ଷକ କର୍ମଚାରୀ ସମନ୍ବୟ ସମିତି ପକ୍ଷରୁ ଦାବି କରାଯାଇଛି। ୟୁନିଟ୍‌-୩ସ୍ଥିତ ଶ୍ରମିକ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସମିତି ଏହି ଦାବି କରିଛି।

Advertisment

ସଂଘର ଅଭିଯୋଗ ଅନୁଯାୟୀ, ୯୧୬ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ୨୬୦୮ ମାଧ୍ୟମିକ ବିଦ୍ୟାଳୟ, ୬୬୨ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ୪୮୮ଟି ମହାବିଦ୍ୟାଳୟର କାର୍ଯ୍ୟରତ ଶିକ୍ଷକ, ଅଧ୍ୟାପକ ଓ ଶିକ୍ଷା କର୍ମଚାରୀମାନେ ରାଜ୍ୟର ଅର୍ଦ୍ଧାଧିକ ଶିକ୍ଷାର ଦାୟିତ୍ବ ବହନ କରୁଛନ୍ତି। ମାତ୍ର ବର୍ଷ ବର୍ଷ ଧରି କାର୍ଯ୍ୟ କରୁଥିବା ଶିକ୍ଷକ ଓ କର୍ମଚାରୀମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ୧୫ରୁ ୨୦ବର୍ଷ ଧରି ଅବୈତନିକ ଭାବେ କାର୍ଯ୍ୟ କଲାପରେ ରାଜ୍ୟ ସରକାର ବ୍ଲକ୍‌ଗ୍ରାଣ୍ଟ ଓ ପରେ ତାହାକୁ ଉଚ୍ଛେଦ କରି ନୂତନ ଅନୁଦାନ ପ୍ରଦାନ କରିଛନ୍ତି। ଚାକିରି ସର୍ତ୍ତାବଳୀ, ଅବସରକାଳୀନ ସୁବିଧା ପ୍ରଦାନ କରାଯାଉନାହିଁ। ଗତ ବର୍ଷ ଡିସେମ୍ବର ୩୧ରେ ନୂତନ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନରେ ସପ୍ତମ ବେତନ ଲାଗୁ କରିବା ପାଇଁ ନିଷ୍ପତ୍ତି ନେଇ କ୍ୟାବିନେଟ୍‌ ମଞ୍ଜୁର କଲେ। ଏନେଇ ମଧ୍ୟ ଗତ ଜାନୁଆରି ୧୧ରେ ବିଜ୍ଞପ୍ତି ପ୍ରକାଶ ପାଇଲା। ମାତ୍ର ବିଜ୍ଞପ୍ତିରେ ତ୍ରୁଟି ଥିବାରୁ ଏହାକୁ ସଂଶୋଧନ କରିବା ପାଇଁ ଓଡ଼ିଶା ସ୍କୁଲ୍‌ କଲେଜ ଶିକ୍ଷକ କର୍ମଚାରୀ ସମନ୍ବୟ ସମିତି ପକ୍ଷରୁ ଆନ୍ଦୋଳନ କରାଗଲା। ଏହାପରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଉଚ୍ଚଶିକ୍ଷା ବିଭାଗ, ଅର୍ଥ ଓ ଉନ୍ନୟନ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ସମନ୍ବୟ ସମିତିର ନେତୃତ୍ବଙ୍କୁ ନେଇ ଏକାଧିକ ବାର ବୈଠକ ମଧ୍ୟ ହେଲା। ଏଥିରେ ରାଜ୍ୟ ସରକାର ପ୍ରଚଳିତ ମହଙ୍ଗା ଭତ୍ତା ଆଧାରରେ ସପ୍ତମ ବେତନ ନିର୍ଦ୍ଧାରଣ ପାଇଁ ନିଷ୍ପତ୍ତି ଗ୍ରହଣ କଲେ। ମାତ୍ର ୧୧ମାସ ବିତିଯାଇଥିଲେ ହେଁ କୌଣସି ସମସ୍ୟାର ସମାଧାନ କରାଯାଇନାହିଁ। ସେହିପରି ସଂଘ ଏହି ବର୍ଗ ଶିକ୍ଷକମାନଙ୍କର ଅବସରସୀମା ୨ବର୍ଷକୁ ବୃଦ୍ଧି, ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ନୂତନ ନିଯୁକ୍ତି ବ୍ୟବସ୍ଥା, ଚୁକ୍ତିଭିତ୍ତିକ ପ୍ରଥା ଉଚ୍ଛେଦରେ ନିୟମିତ ହୋଇନଥିବା ଚୁକ୍ତିଭିତ୍ତିକ ଶିକ୍ଷକଙ୍କୁ ନିୟମିତ କରିବାକୁ ସମନ୍ବୟ ସମିତି ଦାବି କରିଛି। ଦାବି ପୂରଣ ନହେଲେ ଡିସେମ୍ବର ୧ରୁ ଆନ୍ଦୋଳନ କରିବ ବୋଲି ସମନ୍ବୟ ସମିତି ଚେତାବନୀ ଦେଇଛି।

ଏହି ସାମ୍ବାଦିକ ସମ୍ମିଳନୀରେ ସମନ୍ବୟ ସମିତିର ପ୍ରକାଶ ଚନ୍ଦ୍ର ମହାନ୍ତି, ଭିକାରି ଚରଣ ସାହୁ, ପବିତ୍ର ମହାଲା, ରଞ୍ଜନ କୁମାର ଦାଶ, ସୁକାନ୍ତ ବେହେରା, ଅଟଳ ବିହାରୀ ବଳ, ଏମ୍‌ ଏ କାସିମ୍‌ ବେଗ୍‌, ପ୍ରଶାନ୍ତ ତ୍ରିପାଠୀ, ପ୍ରମୋଦ ହୋତା, ଅଶୋକ ମହାପାତ୍ର, ଶଙ୍କର ସୁବୁଦ୍ଧି, ବିଜୟ କୋଦାମ ସିଂ, ହରେକୃଷ୍ଣ ପାଣିଗ୍ରାହୀ, ମଧୁସୂଦନ ଦେ, ରମାକାନ୍ତ ମହାପାତ୍ର, ମାଣିକେଶ୍ବର ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ।