ବର୍ଷତମାମ୍‌ ପର୍ଯ୍ୟଟକଙ୍କ ଭିଡ଼, ପେଣ୍ଠ ବେଳାଭୂମିକୁ ପର୍ଯ୍ୟଟନସ୍ଥଳୀ ମାନ୍ୟତା କେବେ?

ରାଜନଗର: ରାଜନଗର ବ୍ଲକର ପେଣ୍ଠ ବେଳାଭୂମି ଏବେ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ସୂର୍ଯ୍ୟ ଉଦୟରୁ ସୂର୍ଯ୍ୟାସ୍ତଯାଏ ଏଠାରେ ଗହଳି ଲାଗି ରହୁଛି। ଏହି ବେଳାଭୂମି ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିବାରୁ ପେଣ୍ଠରେ ଇକୋ ରିଟ୍ରିଟ୍‌ର ଆୟୋଜନ କରାଯାଇଛି। ପେଣ୍ଠ ଗାଁ ମୁଣ୍ତରୁ ଇକୋ ରିଟ୍ରିଟ୍‌ ସ୍ଥଳ ଯାଏ ବେଳାଭୂମି ଆଲୋକମାଳାରେ ଝଲସୁଛି। ଭିତରକନିକାରେ ନଳିତାପାଟିଆ ଇକୋ ରିଟ୍ରିଟ୍‌ ଅପେକ୍ଷା ପେଣ୍ଠ ବେଳାଭୂମିରେ ଇକୋ ରିଟ୍ରିଟ୍‌ ପର୍ଯ୍ୟଟକଙ୍କୁ ଅଧିକ ଆକୃଷ୍ଟ କରୁଛି। ମାତ୍ର ଆଜିଯାଏ ପେଣ୍ଠକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ମିଳିପାରି ନାହିଁ। ପର୍ଯ୍ୟଟକମାନେ ପେଣ୍ଠର ନିର୍ଜନ ବେଳାଭୂମିରେ ସମୁଦ୍ର ସ୍ନାନର ମଜା ନେବା ସହ ବଣଭୋଜି କରି ଆତ୍ମ ତୃପ୍ତିରେ ଫେରିଥାନ୍ତି। ଏଠାରେ ଥିବା ଝାଉଁ ଜଙ୍ଗଲ, ଜିଓ ଟ୍ୟୁବ୍‌ ସି ୱାଲ୍‌, ସମୁଦ୍ରରେ ଡଲଫିନ୍‌ଙ୍କ ଜଳକ୍ରୀଡ଼ା, ରଂଗବେରଂଗର ଦେଶୀ ଓ ବିଦେଶୀ ପକ୍ଷୀଙ୍କ କାକଳି ପର୍ଯ୍ୟଟକଙ୍କୁ ଭରପୁର ଆନନ୍ଦ ଦେଇଥାଏ। ପୁରୀ, ଚନ୍ଦ୍ରଭାଗା, ଗୋପାଳପୁର, ପାରାଦୀପ ବେଳାଭୂମି ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇଛି। ଏହି ସବୁ ବେଳାଭୂମି ପର୍ଯ୍ୟଟନଶିଳ୍ପର ମାନ୍ୟତା ପାଇବା ପରେ ରାଜ୍ୟ ପର୍ଯ୍ୟଟନ ଶିଳ୍ପ ପାଇଁ ରତ୍ନ ଭଣ୍ତାର ପାଲଟିଛି। ମାତ୍ର ସବୁତକ ସୌନ୍ଦର୍ଯ୍ୟ ଥାଇ ଅଲୋଡା ଓ ଅଖୋଜା ଭାବେ ରହିଯାଇଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ୍‌ର ପେଣ୍ଠ ବେଳାଭୂମି।

The New Indian Express

ଏହି ବେଳାଭୂମିର ଗୋଟିଏ ପଟେ ବରୁଣେଇ ମୁହାଣ ଥିବା ବେଳେ ଅପରପାର୍ଶ୍ବରେ ରହିଛି ଭିତରକନିକା ଜାତୀୟ ଉଦ୍ୟାନ ଦୀର୍ଘ ୩ କିମି ବ୍ୟାପି ବିସ୍ତୀର୍ଣ୍ଣ ବେଳାଭୂମି। ବେଳାଭୂମିରେ ନାଲି କଙ୍କଡ଼ାଙ୍କ କଉତୁକିଆ ଖେଳ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ। ବଙ୍ଗୋ‌ପସାଗରରେ ବିରଳ ଅଲିଭ୍‌ରିଡ୍‌ଲେ କଇଁଛଙ୍କ ଜଳକ୍ରୀଡ଼ା ଓ ବେଳାଭୂମିରେ ଅଣ୍ତା ଦେବାର ବିରଳ ଦୃଶ୍ୟ ଏଠାରେ ଦେଖିବାକୁ ମିଳେ। ଏହାବାଦ୍‌ ଏଠାରେ ୬ ପ୍ରକାରର ଡଲଫିନ୍‌ ଦେଖିବାକୁ ମିଳେ। ଚିଲିକା ଓ ପୁରୀରେ ୨ ପ୍ରକାରର ଡଲଫିନ୍‌ ଦେଖିବାକୁ ମିଳିଥିବା ବେଳେ ଏଠାରେ ୬ ପ୍ରକାରର ଡଲଫିନ୍‌ ଦେଖିବାକୁ ମିଳିଥାଏ। ବରୁଣେଇ ମୁହାଣ ଓ ପେଣ୍ଠ ବେଳାଭୂମି ବଣଭୋଜି ପାଇଁ ପ୍ରକୃଷ୍ଟ ସ୍ଥାନ। ପର୍ଯ୍ୟଟନ ଋତୁରେ ହଜାର ହଜାର ପର୍ଯ୍ୟଟକ ଦଳ ଦଳ ହୋଇ ଏଠାକୁ ବୁଲି ଆସି ବଣଭୋଜି କରିଥାନ୍ତି। ପେଣ୍ଠଠାରେ ଭାରତର ଦ୍ବିତୀୟ ଓ ଓଡ଼ିଶାର ପ୍ରଥମ ଜିଓ ସିନ୍ତ୍ରେଟିକ୍‌ ୱାଲ୍‌ ନିର୍ମାଣ କରାଯାଇଛି। ପେଣ୍ଠକୁ ବୁଲିବାକୁ ଆସୁଥିବା ପର୍ଯ୍ୟଟକମାନଙ୍କ ଅନ୍ୟତମ ଆକର୍ଷଣ ପାଲଟିଛି ଜିଓ ସିନ୍ତ୍ରେଟିକ୍‌ ୱାଲ୍‌।

ଏହାବାଦ୍‌ ପେଣ୍ଠର ପ୍ରବେଶ ପଥରେ ରହିଛି ପୁରାଣ ପ୍ରସିଦ୍ଧ ଶ୍ରୀ ଶ୍ରୀବନବିହାରୀଜିଉ ମନ୍ଦିର। ଏଠାକୁ ଆସୁଥିବା ପର୍ଯ୍ୟଟକମାନେ ପ୍ରଥମେ ଜଗନ୍ନାଥଙ୍କୁ ଦର୍ଶନ କରିବା ପରେ ବେଳାଭୂମିରେ ମଜା ଉଠାଇଥାନ୍ତି। ଏଠାରେ ବର୍ଷତମାମ ପର୍ଯ୍ୟଟକଙ୍କ ଭିଡ଼ ଲାଗି ରହିଥାଏ। ବେଳାଭୂମିକୁ ପର୍ଯ୍ୟଟନ ଶିଳ୍ପର ମାନ୍ୟତା ଦେଇ ଭିତ୍ତିଭୂମିର ବିକାଶ କରାଇଲେ, ଏହା ଅଧିକ ସଂଖ୍ୟାରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ସହ ରାଜ୍ୟ ପର୍ଯ୍ୟଟନ ଶିଳ୍ପ ପାଇଁ ରତ୍ନ ଭଣ୍ତାର ପାଲଟନ୍ତା। ରାଜଧାନୀ ଭୁବନେଶ୍ବରଠାରୁ ଏହି ବେଳାଭୂମିର ଦୂରତା ୧୪୦ କିମି। ରାଜନଗର ବ୍ଲକ ହେଡକ୍ବାର୍ଟର୍‌ରେ ପହଁଚିବା ପରେ କୁରୁଣ୍ଟି ଛକ ଦେଇ ପେଣ୍ଠ ବେଳାଭୂମିରେ ପହଁଚି ପାରିବେ। ବଙ୍ଗୋପସାଗର ଉପକୂଳରେ ଥିବା ଏହି ବେଳାଭୂମି ରାଜ୍ୟର ଅନ୍ୟ କୌଣସି ବେଳାଭୂମିଠାରୁ କମ୍‌ ନୁହେଁ। ଏହା ପର୍ଯ୍ୟଟନ ଶିଳ୍ପର ମାନ୍ୟତା ପାଇଲେ ରାଜ୍ୟ ସରକାରଙ୍କ ରାଜସ୍ବ ବଢିବା ସହିତ ସ୍ଥାନୀୟ ଲୋକେ ମଧ୍ୟ ଆର୍ଥକ ସ୍ବାବଲମ୍ବୀ ହୋଇପାରିବେ। ରାଜ୍ୟ ସରକାର ପର୍ଯ୍ୟଟନ ଶିଳ୍ପକୁ ଗୁରୁତ୍ବ ଦେଇ ପର୍ଯ୍ୟଟନ ଶିଳ୍ପର ବିକାଶ ପାଇଁ ଶହ ଶହ କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ପେଣ୍ଠ ବେଳାଭୂମି ସରକାରଙ୍କ ନଜର ଆଢୁଆଳରେ ରହିବା ରାଜନଗରବାସୀଙ୍କୁ ବ୍ୟଥିତ କରିଛି।

ସମ୍ବନ୍ଧିତ ଖବର