ଖୋର୍ଦ୍ଧା: ଖୋର୍ଦ୍ଧାର ପୁରାତନ ପ୍ରାଣନାଥ ସ୍ୱୟଂଶାସିତ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ପ୍ରଦାନ କରିବାକୁ ଆଜି ଛାତ୍ର କଂଗ୍ରେସ ପକ୍ଷରୁ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି।
ମଙ୍ଗଳବାର ପୂର୍ବାହ୍ଣରେ ଜିଲ୍ଲା ଛାତ୍ର କଂଗ୍ରେସର ସଭାପତି ସୌମ୍ୟରଂଜନ ବରାଳଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଏକ ଦାବିପତ୍ର ଦେଇଥିଲେ। ଦାବିପତ୍ର ସମ୍ପର୍କରେ ସୌମ୍ୟରଂଜନ କହିଛନ୍ତି ଯେ ୧୬ ନମ୍ବର ଜାତୀୟ ରାଜପଥ ଛ’ ଥାକିଆ ହେବା ପରେ ପ୍ରାଣନାଥ ମହାବିଦ୍ୟାଳୟ ସହ ଜାତୀୟ ରାଜପଥର ସଂଯୋଗ ପ୍ରାୟତଃ ବିଚ୍ଛନ୍ନ ହୋଇଯାଇଛି। ଛାତ୍ରଛାତ୍ରୀମାନେ ଯାତ୍ରୀବାହୀ ବସ୍ ନିମନ୍ତେ ରାଜପଥ ଅତିକ୍ରମ କରି ଅପରପାଶ୍ୱର୍କୁ ଯାଇ ଅପେକ୍ଷା କରିବାକୁ ପଡ଼ୁଛି। ଏଭଳି ସ୍ଥିତିରେ ସେଠାରେ ଏକ ଯାତ୍ରୀ ରହଣି ସ୍ଥଳ ନିର୍ମାଣ କରାଯାଉ। ଏହା ସହ ସ୍ଥାନୀୟ ଅଂଚଳରେ ଶିକ୍ଷାର ବିକାଶ ପାଇଁ ପ୍ରାଣନାଥ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟର ମାନ୍ୟତା ପ୍ରଦାନ କରାଯାଉ। ଯଦି ସେମାନଙ୍କ ଏହି ଦୁଇଟି ପ୍ରମୁଖ ଦାବି ସମ୍ପର୍କରେ ଆଗାମୀ ୧୦ ଦିନ ମଧ୍ୟରେ କୌଣସି ପଦକ୍ଷେପ ନିଆନଯାଏ ତେବେ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଛାତ୍ର କଂଗ୍ରେସ ଧାରଣାରେ ବସିବ। ଆଜିର ଏହି ଦାବିପତ୍ର ପ୍ରଦାନ ବେଳେ ଅନ୍ୟମାନଙ୍କ ମଧ୍ୟରେ ଗୋପନ ମାର୍ଥା, ପ୍ଲାବନ ପଟ୍ଟନାୟକ, ଜିଲ୍ଲା କଂଗ୍ରେସ ଉପସଭାପତି ପଦ୍ମଚରଣ ରାୟ, ସ୍ୱୟଂ ସ୍ୱାଇଁ, ଜୀବନ ରାଉତରାୟ, ଅଙ୍କିତ ସ୍ୱାଇଁ, ବିକାଶ ରାଉତ, ପବିତ୍ର ପାଟ୍ଟଷାଣୀ ପ୍ରମୁଖ ଉପସ୍ଥିତ ଥିଲେ।