ସ୍ଥାୟୀ ନିଯୁକ୍ତି ଦାବି, ସ୍ବାସ୍ଥ୍ୟ ବିଭାଗ ଠିକା କର୍ମଚାରୀ ମହାସଂଘର ଶୋଭାଯାତ୍ରା

ସୋନପୁର: ସ୍ଥାୟୀ ନିଯୁକ୍ତି ଦାବିରେ ଓଡ଼ିଶା ସ୍ବାସ୍ଥ୍ୟ ଠିକା କର୍ମଚାରୀ ସଂଘ ସୁବର୍ଣ୍ଣପୁର ଜିଲ୍ଲା ଶାଖା ପକ୍ଷରୁ ସ୍ଥାନୀୟ ମୁଖ୍ୟ ଚିକିତ୍ସାଳୟରୁ ଏକ ଶୋ‌ଭାଯାତ୍ରା ବାହାରିଥିଲା। ପରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲା ମୁଖ୍ୟ ଜନସ୍ବାସ୍ଥ୍ୟ ଅଧିକାରୀ ଏବଂ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ଦିଆଯାଇଥିଲା। ଦାବିପତ୍ର ଜିଲ୍ଲା ମୁଖ୍ୟ ଜନସ୍ବାସ୍ଥ୍ୟ ଅଧିକାରୀ ଡା. ବିଶ୍ବରଞ୍ଜନ ପତି ଏବଂ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶଙ୍କୁ ଦିଆଯାଇଥିଲା। ସେମାନଙ୍କ କହିବା ହେଲା, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଜାତୀୟ ସ୍ବାସ୍ଥ୍ୟ ମିସନ ଏବଂ ରାଜ୍ୟ ଏଡ୍‌ସ ନିୟନ୍ତ୍ରଣ ସୋସାଇଟି ଅଧୀନରେ ଜିଲ୍ଲାରେ ୧୫୦ରୁ ଅଧିକ ଠିକା କର୍ମଚାରୀ ଅନେକ ବର୍ଷ ହେଲା କାର୍ଯ୍ୟ କରୁଛନ୍ତି। କୋଭିଡ୍ ମୁକାବିଲା ସମୟରେ ମଧ୍ୟ ଏମାନେ ଜୀବନକୁ ବାଜି ଲଗାଇ ସ୍ବାସ୍ଥ୍ୟ ସେବା ଯୋଗାଇଛନ୍ତି।

ସରକାର ବିଭିନ୍ନ ବିଭାଗର ୫୭ ହଜାର ଠିକା କର୍ମଚାରୀଙ୍କୁ ନିୟମିତ କଲେ। କିନ୍ତୁ ସ୍ବାସ୍ଥ୍ୟ ବିଭାଗର ସମସ୍ତ ଠିକା କର୍ମଚାରୀଙ୍କୁ ଅଣଦେଖା କଲେ। ଏଣୁ ଆସନ୍ତା ୧୨ ତାରିଖରୁ ହଳଦିଆ ବ୍ୟାଜ୍ ପିନ୍ଧି ନିଜ ବିଭାଗର କାର୍ଯ୍ୟରେ ଅସହଯୋଗ କରିବେ ଏବଂ ଆସନ୍ତା ୨୧ ତାରିଖ ସୁଦ୍ଧା ସ୍ଥାୟୀ ନିଯୁକ୍ତି ପ୍ରତି ସରକାର ପଦକ୍ଷେପ ନନେଲେ ଆସନ୍ତା ୨୨ ତାରିଖରୁ ସାରା ରାଜ୍ୟର ୧୦ ହଜାର ସ୍ବାସ୍ଥ୍ୟକର୍ମୀ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ବାସ୍ଥ୍ୟସେବା ସମ୍ପୂର୍ଣ୍ଣ ବନ୍ଦ କରିବା ସହ ରାଜଧାନୀର ରାଜରାସ୍ତାରେ ଧାରଣା ଦେବାକୁ ଦିଆଯାଇଥିବା ଦାବିପତ୍ରରେ ଦର୍ଶାଯାଇଛି। ସଂଘର ସଭାପତି ସୁଜିତ ସାହୁ, ଉପସଭାପତି ଡା. ସରୋଜ ପଟେଲ, ସାଧାରଣ ସମ୍ପାଦକ ବିଶିକେଶନ ରଥ, ଆବାହକ ନାରାୟଣ ରଥ, ସହଆବାହକ ସନ୍ତୋଷ ସାହୁ, ଯୁଗ୍ମ ସମ୍ପାଦକ ସ୍ବାଗତିକା ସ୍ବାଇଁ, ଯୁଗ୍ମ ଆବାହକ ଗଦାଧର ସୁରୁଜାଲ, କୋଷାଧ୍ୟକ୍ଷ ବାସୁଦେବ ଜଗଦଲା, ଉପଦେଷ୍ଟା କମିଟିର ଡା. ବିକାଶ ବାବୁ, ଡା. ଶାଶ୍ବତୀ ଶତପଥୀ, ଡା.ବିଷ୍ଣୁ ଚରଣ ମାଝୀ, ସୁଧାଂଶୁ ଶେଖର ନାୟକ, ତରଣୀସେନ ପ୍ରଧାନ, ହିତେଶ ତ୍ରିପାଠୀ, ସୁଧାଂଶୁ ଶେଖର ସେଠୀ, ପ୍ରଫୁଲ୍ଲ ମଲ୍ଲିକ, ଦେବବ୍ରତ ନାଏକ, ଅଜିତ ହୋତା, ଡିପିଏମ ବିଶ୍ବମ୍ବର ବେହେରା, ଡିଡିଏମ୍‌ ପ୍ରଦୀପ ସାହୁ, ଅଭିନାଶ ହୋତା, ସୁଶାନ୍ତ ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମରେ ସାମିଲ ଥିଲେ।

ସମ୍ବନ୍ଧିତ ଖବର