ୱାସିଂଟନ୍ ପୋଷ୍ଟରେ ବିବାଦୀୟ ପୋଷ୍ଟ୍‌

ଝାରସୁଗୁଡ଼ା ବନ୍ଦରକୁ ଶୀଘ୍ର ବିମାନ ଚଳାଚଳ ଦାବି

ସମ୍ବଲପୁର : ଅନ୍ତର୍ଜାତୀୟ ସମ୍ବାଦପତ୍ର ‘ୱାସିଂଟନ୍ ପୋଷ୍ଟ’ ଓ ଏହାର ୱେବ୍‌ସାଇଟ୍‌ରେ ଭାରତର ସବୁ ଅଞ୍ଚଳରେ ବିମାନବନ୍ଦର ସ୍ଥାପନ ଓ ଦେଶରେ ବିମାନ ଉଦ୍ୟୋଗର ଅଭିବୃଦ୍ଧି ସଂପର୍କରେ ବିଧି ଦୋଶୀଙ୍କ ଲିଖିତ ଏକ ରିପୋର୍ଟ ଗତ ୫ ତାରିଖ ଦିନ ପ୍ରକାଶିତ ହୋଇଛି। ତେବେ ଏହି ସକାରାତ୍ମକ ରିପୋର୍ଟରେ ବ୍ୟତିକ୍ରମଭାବେ ଝାରସୁଗୁଡ଼ା ବିମାନବନ୍ଦରକୁ ନକାରାତ୍ମକ ଢଙ୍ଗରେ ଉପସ୍ଥାପିତ କରାଯାଇଛି। ରିପୋର୍ଟରେ ଉଲ୍ଲେଖ ରହିଛି, ‘୨୦୧୮ ଅକ୍ଟୋବର ସୁଦ୍ଧା ଲଗାତାର ୪୮ ମାସ ଧରି ଭାରତରେ ବିମାନଯାତ୍ରୀ ସଂଖ୍ୟାରେ ଅଭିବୃଦ୍ଧି ହାର ଦୁଇଅଙ୍କ ବିଶିଷ୍ଟ ରହିଛି। ଅନ୍ତର୍ଜାତୀୟ ବିମାନ ଚଳାଚଳ ସଂଘର ଆକଳନ ଅନୁଯାୟୀ ୨୦୨୪ ସୁଦ୍ଧା ଭାରତ ଘରୋଇ ଓ ଅନ୍ତର୍ଜାତୀୟ ଏୟାର୍ ଟ୍ରାଫିକ୍‌ରେ କେବଳ ଚୀନ ଓ ୟୁଏସ୍‌ ତଳକୁ ତୃତୀୟ ସ୍ଥାନରେ ରହିବ। ରିପୋର୍ଟରେ ଆହୁରି ମଧ୍ୟ ଉଲ୍ଲେଖ ରହିଛି ଯେ ଗତ ୧୮ ମାସ ମଧ୍ୟରେ ଭାରତରେ ୩୪ଟି ନୂଆ ବିମାନବନ୍ଦର ଉଦ୍‌ଘାଟିତ ହୋଇଛି। ଏହି ନୂଆ ବିମାନବନ୍ଦର ଗୁଡ଼ିକରେ ଯାତ୍ରୀଙ୍କ ଆଖିଦୃଶିଆ ଭିଡ଼ ହେଉଛି। ହେଲେ ଗତ ସେପ୍‌ଟେମ୍ବର ୨୫ ତାରିଖରେ ବହୁ ଜାକଜମକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ବାରା ଉଦ୍‌ଘାଟିତ ଝାରସୁଗୁଡ଼ା ବିମାନବନ୍ଦରରୁ ମାତ୍ର ୨ ସପ୍ତାହ ପରେ ବିମାନ ଚଳାଚଳ ବନ୍ଦ ହୋଇଯାଇଛି।’ ଏ ନେଇ ପ୍ରବାସୀ ଓଡ଼ିଆମାନେ ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି।

‘ସମ୍ବାଦ’କୁ ଦେଇଥିବା ଏକ ବିବୃତ୍ତି ଦେଇ ଦୁବାଇରେ ରହୁଥିବା ବିଶିଷ୍ଟ ଓଡ଼ିଆ ବ୍ୟକ୍ତିଗଣ କ୍ୟାପ୍‌ଟେନ ସୌମ୍ୟରଂଜନ ପଟ୍ଟନାୟକ, ମାନସ ପଣ୍ଡା, ରାଜେଶ ତ୍ରିପାଠୀ, ପ୍ରିୟଦର୍ଶୀ ପାଣିଗ୍ରାହୀ, ଅରବିନ୍ଦ ବିଶ୍ବାଳ, ରଜତ ରଥ ପ୍ରମୁଖ ଜଣାଇଛନ୍ତି ଯେ ଦୀର୍ଘ ପ୍ରତୀକ୍ଷା ପରେ ଉଦ୍‌ଘାଟିତ ହୋଇଥିବା ଝାରସୁଗୁଡ଼ା ବିମାନବନ୍ଦର ମାତ୍ର କିଛି ଦିନ ପରେ ବନ୍ଦ ପଡ଼ିବା ରାଜ୍ୟବାସୀ ଓ ବିଶେଷ କରି ପ୍ରବାସୀ ଓଡ଼ିଆଙ୍କ ପାଇଁ ଅତ୍ୟନ୍ତ ନିରାଶଜନକ। ୱାସିଂଟନ ପୋଷ୍ଟ ଭଳି ଏକ ଅନ୍ତର୍ଜାତୀୟ ସମ୍ବାଦପତ୍ର/ୱେବ୍‌ସାଇଟ୍‌ରେ କେବଳ ଝାରସୁଗୁଡ଼ା ବିମାନବନ୍ଦର ସଂପର୍କରେ ଏପରି ନକାରାତ୍ମକ ମନ୍ତବ୍ୟ ନିଶ୍ଚିତଭାବେ ଚିନ୍ତାଜନକ। ଏ ଦିଗରେ ତ୍ବରିତ ପଦକ୍ଷେପ ନେବା ଜରୁରୀ। ତେଣୁ ଝାରସୁଗୁଡ଼ାରୁ ସମସ୍ତ ପ୍ରମୁଖ ବିମାନବନ୍ଦରକୁ ବିମାନ ଚଳାଚଳ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଆବଶ୍ୟକ ପଦକ୍ଷେପ ନେବାକୁ ୟୁଏଇରେ ରହୁଥିବା ବରିଷ୍ଠ ଓଡ଼ିଆମାନେ ଆବେଦନ କରିଛନ୍ତି।

ସମ୍ବନ୍ଧିତ ଖବର