ଜିଲ୍ଲ‌ାରେ ସ୍ପୋର୍ଟସ୍ କମ୍ପ୍ଲେକ୍ସ ପାଇଁ ଦାବି ଉଠିଲା

ଭୁବନେଶ୍ବର : ବିଭିନ୍ନ ଜିଲ୍ଲାରେ କ୍ରୀଡ଼ାବିତ୍‌ମାନଙ୍କୁ ଉତ୍ସାହିତ କରିବା ପାଇଁ ଜିଲ୍ଲା ମୁଖ୍ୟାଳୟରେ ସ୍ପୋର୍ଟସ୍ କମ୍ପ୍ଲେକ୍ସ ପ୍ରତିଷ୍ଠା ନିମନ୍ତେ ଆଜି ବିଧାନସଭାରେ ଦାବି ଉଠିଛି। ଚଳିତ ବଜେଟ୍‌ରେ କୌଣସି ଜିଲ୍ଲାରେ ନୂଆ ସ୍ପୋର୍ଟସ୍ କମ୍ପ୍ଲେକ୍ସ ପ୍ରତିଷ୍ଠା ପାଇଁ ପ୍ରସ୍ତାବ ନାହିଁ ବୋଲି କ୍ରୀଡ଼ା ମନ୍ତ୍ରୀ କହିଥିଲେ ବି ବିଧାୟକମାନେ ଗ୍ରହଣ କରି ନ ଥିଲେ। ନୂଆ ସ୍ପୋର୍ଟସ୍ କମ୍ପ୍ଲେକ୍ସ ପାଇଁ ମନ୍ତ୍ରୀ ପଦକ୍ଷେପ ଗ୍ରହଣ କରିବାକୁ ସେମାନେ ଦାବି କରିଥିଲେ।

ରାଜେନ୍ଦ୍ର ଢୋଲକିଆ ନୂଆପଡ଼ା ଜିଲ୍ଲାରେ ସ୍ପୋର୍ଟସ୍ କମ୍ପ୍ଲେକ୍ସ ନିର୍ମାଣ ସମ୍ପର୍କରେ ମୂଳ ପ୍ରଶ୍ନ କରିଥିଲେ। ଭଦ୍ରକ ଜିଲ୍ଲାରେ ଜଳକ୍ରୀଡ଼ା ପ୍ରକଳ୍ପ ପ୍ରତିଷ୍ଠା ପାଇଁ ସରକାରଙ୍କ ପ୍ରସ୍ତାବ ସମ୍ପର୍କରେ ସଞ୍ଜୀବ କୁମାର ମଲ୍ଲିକ ଆଉ ଏକ ମୂଳ ପ୍ରଶ୍ନ କରିଥିଲେ।

ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଥିଲେ, ଯେଉଁ ଜିଲ୍ଲାମାନଙ୍କରେ ସ୍ପୋର୍ଟସ୍ କମ୍ପ୍ଲେକ୍ସ ନାହିଁ, ସେହି ଜିଲ୍ଲାରେ ସ୍ପୋର୍ଟସ୍ କମ୍ପ୍ଲେକ୍ସ କରିବା ପାଇଁ ବଜେଟ୍‌ରେ ପ୍ରସ୍ତାବ ରଖାଯାଇ ନାହିଁ। ନୂଆପଡ଼ା ଜିଲ୍ଲାରେ ଜିଲ୍ଲା ସ୍ତରୀୟ ସ୍ପୋର୍ଟସ୍ କମ୍ପ୍ଲେକ୍ସ କରିବା ପାଇଁ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ ଠାରୁ ଆବଶ୍ୟକ ଜମି ଚିହ୍ନଟ କରି ବିଧିବଦ୍ଧ ପ୍ରସ୍ତାବ ହସ୍ତଗତ ହେଲେ ସରକାର ବିଚାର କରିବେ। ସେହିପରି ଭଦ୍ରକ ଜିଲ୍ଲାରେ ଜଳକ୍ରୀଡ଼ା ପ୍ରକଳ୍ପ ପ୍ରତିଷ୍ଠା ପାଇଁ ବର୍ତ୍ତମାନ ପ୍ରସ୍ତାବ ନାହିଁ। ତେବେ ଭଦ୍ରକ ଜିଲ୍ଲା ସଦର ମହକୁମାରେ ଏକ ସ୍ବିମିଂ ପୁଲ୍‌ ନିର୍ମାଣ ନିମନ୍ତେ ଆବଶ୍ୟକ ଜମି ଚିହ୍ନଟ ପାଇଁ ଜିଲ୍ଲାପାଳଙ୍କୁ କୁହାଯାଇଛି।

ମୂଳ ପ୍ରଶ୍ନକର୍ତ୍ତା ଶ୍ରୀ ଢୋଲକିଆ କହିଥିଲେ, ଯେଉଁ ଜିଲ୍ଲାରେ ସ୍ପୋର୍ଟସ୍ କମ୍ପ୍ଲେକ୍ସ ନାହିଁ, ସେଠାରେ ତାହା କରିବା ପାଇଁ ବଜେଟ୍‌ରେ ପ୍ରସ୍ତାବ ଥିଲା। କିନ୍ତୁ ମନ୍ତ୍ରୀ ଏବେ ମନା କରୁଛନ୍ତି। କଂଗ୍ରେସ ସଭ୍ୟ ସୁରେଶ ରାଉତରାୟ କହିଥିଲେ, ଯେଉଁ ଜିଲ୍ଲାରେ ଯେଉଁ ନିର୍ଦ୍ଦିଷ୍ଟ ଖେଳ ପାଇଁ ଆଗ୍ରହ ଅଛି ତାହାକୁ ସରକାର ଚିହ୍ନଟ କରି ସେଠାରେ ସେହି ଖେଳର ବିକାଶ ପାଇଁ ପଦକ୍ଷେପ ନିଅନ୍ତୁ। କିଶୋର ମହାନ୍ତି ଝାରସୁଗୁଡ଼ାରେ ସମନ୍ବିତ ସ୍ପୋର୍ଟସ୍ କ‌େମ୍ପ୍ଲକ୍ସ ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ। ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ଆନ୍ତଃଜିଲ୍ଲା ହକି ଟୁର୍ଣ୍ଣାମେଣ୍ଟ୍‌ ଆଷ୍ଟ୍ରୋ ଟର୍ଫରେ କରିବା ପାଇଁ ଦାବି କରିଥିଲେ। ତାରା ପ୍ରସାଦ ବାହିନୀପତି ଜୟପୁର ସ୍ପୋର୍ଟସ୍ କମ୍ପ୍ଲେକ୍ସ ପ୍ରସଙ୍ଗ ଉଠାଇବା ସହ ଜିଲ୍ଲାରେ ଫୁଟ୍‌ବଲ୍‌କୁ ପ୍ରୋତ୍ସାହନ ଦେବାକୁ ଦାବି କରିଥିଲେ। ଭଦ୍ରକ ଜିଲ୍ଲାରେ ଜଳ କ୍ରୀଡ଼ା ପାଇଁ ବ୍ୟାପକ ସୁଯୋଗ ରହିଛି ବୋଲି ପ୍ରଫୁଲ୍ଲ ସାମଲ କହିଥିଲେ।

ସମ୍ବନ୍ଧିତ ଖବର