ଶିକ୍ଷକ ନିଯୁକ୍ତି ଦାବିରେ ରାସ୍ତାରୋକ

ବିଂଝାରପୁର: ସ୍ମାର୍ଟ ସ୍କୁଲରେ ଶିକ୍ଷକ ନାହାନ୍ତି। ଭିତ୍ତିଭୂମି ଚକାଚକ୍ ହେଲେ ପାଠପଢ଼ା ବ୍ୟାହତ। ଏଭଳି ସମସ୍ୟାକୁ ନେଇ ଆଜି ବିଂଝାରପୁର ହାଇସ୍କୁଲର ଶତାଧିକ ଛାତ୍ରଛାତ୍ରୀ ରାସ୍ତାକୁ ଓହ୍ଲାଇଛନ୍ତି। ଛାତ୍ରଛାତ୍ରୀମାନେ ଯାଜପୁର-ସିଂହପୁର ମୁଖ୍ୟରାସ୍ତା ଟ୍ରେଜେରି ଛକଠାରେ ଅବରୋଧ କରିଥିଲେ। ପ୍ରାୟ ୩ ଘଣ୍ଟା ପରେ ବିଡିଓ ମିନତି ଜଗଦେବ, ବିଇଓ ମହମ୍ମଦ ହୁମାୟୁନ ଓ ଆଇଆଇସି ରଂଜିତ ମହାନ୍ତି ପହଞ୍ଚି ଆବଶ୍ୟକ ଶିକ୍ଷକ ଓ କର୍ମଚାରୀ ନିଯୁକ୍ତି ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।

ଛାତ୍ରଛାତ୍ରୀଙ୍କ କହିବା ଅନୁସାରେ ବିଦ୍ୟାଳୟରେ ଦୀର୍ଘଦିନ ହେଲା ଗଣିତ ଶିକ୍ଷକ, ଖେଳ ଶିକ୍ଷକ ଓ କିରାଣି ନାହାନ୍ତି। ସେହିପରି ଚତୁର୍ଥ ଶ୍ରେଣୀ କର୍ମଚାରୀ ନାହାନ୍ତି। ବିଦ୍ୟାଳୟରେ କଳାପଟା ନାହିଁ। ସ୍ମାର୍ଟ ସ୍କୁଲ ହେବା ପରେ ଲାଗିଥିବା ପ୍ରୋଜେକ୍ଟର ଚାଲୁନାହିଁ। ପାଠପଢ଼ାରେ ବାଧା ସୃଷ୍ଟି ହେଉଛି। ଶିକ୍ଷକ ନଥାଇ ଖାଲି ସ୍ମାର୍ଟ ସ୍କୁଲ କରିଦେଲେ ଚଳିବ ନାହିଁ ବୋଲି ସେମାନେ ଅଭିଯୋଗ କରିଥିଲେ। ୨୪ ଘଣ୍ଟା ମଧ୍ୟରେ ଶିକ୍ଷକ ଓ କର୍ମଚାରୀ ନିଯୁକ୍ତି କରିବା ସହିତ କଳାପଟା ଓ ପ୍ରୋଜେକ୍ଟର ଲଗାଇବାକୁ ଦାବି କରିଥିଲେ ଛାତ୍ରଛାତ୍ରୀ।

ସମ୍ବନ୍ଧିତ ଖବର