ଭୁବନେଶ୍ୱର : ସରକାରୀ ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ଲାଗି ଯେଉଁ ବଦଳି ନିୟମ ରହିଛି, ସେଥିରେ କେହି ଉପକୃତ ହେଉନାହାନ୍ତି। କେବଳ ନାଁକୁ ବଦଳି ପ୍ରକ୍ରିୟା ଚାଲୁଛି ବୋଲି ନୂତନ ପେନସନ୍‌ ଯୋଜନାଭୁକ୍ତ ମାଧ୍ୟମିକ ଶିକ୍ଷକ ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି। ସଂଘ ପକ୍ଷରୁ ଏକ ପ୍ରେସ୍‌ ବିବୃତିରେ କୁହାଯାଇଛି ଯେ ହଜାର ହଜାର ଶିକ୍ଷକ/ଶିକ୍ଷୟିତ୍ରୀ ମାନସିକ ସନ୍ତୁଳନ ହରାଉଛନ୍ତି। ପରିବାର ପ୍ରତିପୋଷଣ ପାଇଁ ଜିଲ୍ଲା ପାର ହୋଇ ସେମାନେ ଚାକିରି କରିବାକୁ ବାଧ୍ୟ ହେଉଛନ୍ତି। ବଦଳି ନିମନ୍ତେ ଯେଉଁ ନିୟମ କରାଯାଇଛି, ସେଥିରେ କେବଳ ଆପୋସ ବୁଝାମଣା(ମ୍ୟୁଚୁଆଲ୍‌ ଟ୍ରାନ୍ସଫର୍‌) ଓ ସାଂଘାତିକ ରୋଗରେ ପୀଡ଼ିତ ଥିଲେ ଯାଇ ଜଣେ ବଦଳି ହେଇପାରିବ।

Advertisment

ସଂସ୍କୃତ, ହିନ୍ଦୀ, ଶାରୀରିକ ଶିକ୍ଷା ଶିକ୍ଷକ ହୋଇଥିଲେ ଆପୋସ ବୁଝାମଣାରେ ମଧ୍ୟ ବର୍ଗ ସମାନ ହେବା ଦରକାର ବୋଲି ଅଜବ ନିୟମ ବାଧକ ସାଜୁଛି। ଯେଉଁଥିପାଇଁ ବହୁ ଶିକ୍ଷକ/ଶିକ୍ଷୟିତ୍ରୀଙ୍କର ବଦଳି ଆବଶ୍ୟକ ଥିଲେ ମଧ୍ୟ ଏହି ନିୟମ ପାଇଁ ସେଥିରୁ ବଞ୍ଚିତ ହେଉଛନ୍ତି। ଗତକାଲି ଝାରସୁଗୁଡ଼ାର ଜଣେ ଶିକ୍ଷୟିତ୍ରୀ ବଦଳି ପାଇଁ ସରକାରଙ୍କ ନିକଟ‌ରେ କିଭଳି କାନ୍ଦି କାନ୍ଦି ନିଜର କୋହ ବ୍ୟକ୍ତ କରୁଥିଲେ ତାହା ଏକ ଉଦାହରଣ ମାତ୍ର। ଶିକ୍ଷକ ମାନସିକ ଅଶାନ୍ତିରେ ରହିଲେ ତାହାର ପ୍ରଭାବ ଶିକ୍ଷାଦାନ ଉପରେ ପଡ଼ିବ। ତେଣୁ ବଦଳି ନିୟମକୁ ଯଥାଶୀଘ୍ର ପରିବର୍ତ୍ତନ କରି ସରଳୀକରଣ କରିବାକୁ ସଂଘ ସଭାପତି ପ୍ରଦୀପ୍ତ କୁମାର ପ୍ରଧାନ, ସମ୍ପାଦକ ଅମରେନ୍ଦ୍ର ସ୍ୱାଇଁ, ମହାସଚିବ ବିଶ୍ୱଜିତ ବିଶ୍ୱାଳ, ଚନ୍ଦ୍ରକାନ୍ତ ପଣ୍ଡା, ପଞ୍ଚାନନ ଜେନା, ନିରୋଦ ରଥ ପ୍ରମୁଖ ଦାବି କରିଛନ୍ତି।