ଘଣ୍ଟାପଡ଼ା: କଣ୍ଟାମାଳ ବ୍ଲକ୍ ଖଲିଆପାଲି ପଞ୍ଚାୟତର ଶତାଧିକ ଚାଷୀ ଆର୍ଏମ୍ସି ପ୍ରାଙ୍ଗଣରେ ଧାନମଣ୍ଡି ଖୋଲିବା ଦାବି କରି ସୋମବାର କଣ୍ଟାମାଳ ତହସିଲ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ କିଛି ସମୟ ପାଇଁ ରାସ୍ତାରୋକ କରିଥିଲେ। ସେମାନଙ୍କ ଦାବି ଅନୁସାରେ, ଖଲିଆପାଲି ପଞ୍ଚାୟତ ଭାଲିଆପଦର ନବନିର୍ମିତ ବଜାର ପ୍ରାଙ୍ଗଣରେ ଧାନମଣ୍ଡି କରିବାକୁ ଜିଲ୍ଲାପାଳଙ୍କୁ କିଛି ଦିନ ପୂର୍ବରୁ ଲିଖିତ ଭାବେ ଜଣାଇଥିଲେ।
କିନ୍ତୁ ଏ ଦିଗରେ ପ୍ରଶାସନ କୌଣସି ପଦକ୍ଷେପ ନ ନେବାରୁ ଆଜି ତହସିଲ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପରେ ସେମାନେ ୪୧ ନମ୍ବର ରାଜ୍ୟ ରାଜପଥକୁ ଅବରୋଧ କରିଥିଲେ। ଖବର ପାଇ କଣ୍ଟାମାଳ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ବିକ୍ଷୋଭକାରୀଙ୍କୁ ରାସ୍ତାରୋକ ପ୍ରତ୍ୟାହାର କରି ଶାନ୍ତିପୂର୍ଣ୍ଣ ଆଲୋଚନା ପାଇଁ ପରାମର୍ଶ ଦେଇଥିଲା। କଣ୍ଟାମାଳ ଆଇଆଇସି ନଳିନୀକାନ୍ତ ଦାଶ ଏବଂ ତହସିଲଦାର କର୍ଣ୍ଣ ମଲ୍ଲିକ କିଛି ଅଗ୍ରଣୀ ଚାଷୀଙ୍କ ସହ ଆଲୋଚନା ପରେ ଧାନ ମଣ୍ଡି ପାଇଁ ଥିବା ସ୍ଥାନ ପରିଦର୍ଶନ କରିଥିଲେ। ଜିଲ୍ଲାପାଳଙ୍କୁ ଏ ସଂପର୍କରେ ରିପୋର୍ଟ ପ୍ରଦାନ ପରେ ଅନୁମତି ଦିଆଯିବ ବୋଲି କହିଥିଲେ। ଫଳରେ ଚାଷୀମାନେ ରାସ୍ତାରୋକରୁ ହଟିଥିଲେ। ସୂଚନାଯୋଗ୍ୟ ଗତ କିଛି ଦିନ ହେବ କଣ୍ଟାମାଳ, ବରଗାଁ ପଞ୍ଚାୟତର ଚାଷୀ କଣ୍ଟାମାଳ ସେବା ସମବାୟ ସମିତିରେ ଧାନ ମଣ୍ଡି ଖୋଲିବା ପାଇଁ ଦାବି କରିଥିଲେ। ପ୍ରଶାସନ ସେମାନଙ୍କ ଦାବି ମାନି ନେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/12/24-3.jpg)