ସମ୍ବଲପୁର: ପ୍ରତିଦିନ ଭୁବନେଶ୍ୱରରୁ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିବା ରାଜଧାନୀ ଏକ୍ସପ୍ରେସ ଟ୍ରେନ ସମ୍ବଲପୁର, ବରଗଡ଼, ବଲାଙ୍ଗୀର, ରାୟପୁର ଦେଇ ଚଳାଚଳ କରିବାକୁ ସାଂସଦଙ୍କ ଜରିଆରେ ରେଳମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରେରଣ କରାଯାଇଛି। ଏଥି ସହିତ ବନ୍ଦେ ଭାରତ ଏକ୍ସପ୍ରେସ୍ ରାଉରକେଲାରୁ ଝାରସୁଗୁଡ଼ା, ସମ୍ବଲପୁର ଜଙ୍କସନ୍, ଅନୁଗୋଳ, ଢେଙ୍କାନାଳ, ଭୁବନେଶ୍ୱର ଦେଇ ପ୍ରତିଦିନ ପୁରୀକୁ ଟ୍ରେନ ଚଳାଚଳ କରିବାକୁ ଦାବି କରାଯାଇଛି।

Advertisment

ବାମରା ଷ୍ଟେସନରେ ରାଉରକେଲା-ଭୁବନେଶ୍ୱର ଇଣ୍ଟଇସିଟି ସୁପରଫାଷ୍ଟ ଟ୍ରେନର ରହଣି, ଝାରସୁଗୁଡ଼ା-ସମ୍ବଲପୁର ଦ୍ବୈତ ସହର ପାଇଁ ମେଟ୍ରୋ ରେଳ ସୁବିଧା କରିବାକୁ ଦାବି କରାଯାଇଛି। ସମ୍ବଲପୁରକୁ ରେଳ ଜୋନ କରିବାକୁ ବି ସ୍ବେଚ୍ଛାସେବୀ ସଂଗଠନ ‘ଏକ୍‌ଜିଓମ୍‌’ ପକ୍ଷରୁ ଦାବି କରାଯାଇଛି। ସମ୍ବଲପୁର ଗସ୍ତରେ ଥିବା ପୂର୍ବତଟ ରେଳବାଇର ମହାପ୍ରବନ୍ଧକ, ବରଗଡ଼ ସାଂସଦ ସୁରେଶ ପୂଜାରୀ, ସମ୍ବଲପୁର୍ ଲୋକସଭା ସାଂସଦ ନୀତେଶ ଗଙ୍ଗଦେବ, କଳାହାଣ୍ଡି ଲୋକସଭା ସାଂସଦ ବସନ୍ତ କୁମାର ପଣ୍ଡା, କୋରାପୁଟ ସାଂସଦ ସପ୍ତଗିରି ଉଲାକା ଓ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶିଙ୍କୁ ଏ ସଂପର୍କିତ ଦାବିପତ୍ର ଦିଆଯାଇଛି। ଅଶ୍ଵିନୀ କୁମାର ସ୍ୱାଇଁ, ଶୈଳରାଜ୍ ମହାରଣା, ଦେବରାଜ ପଟେଲ, ସନ୍ତୋଷ ପଟେଲ ଓ ସୁଧାଂଶୁ ଦୋରା ଦାବିପତ୍ର ଦେଇଥିଲେ।