ସମ୍ବଲପୁର: ଗଣପର୍ବ ନୂଆଁଖାଇ ଅବସରରେ ଭୁବନେଶ୍ବରରୁ ପଶ୍ଚିମ ଓଡ଼ିଶାକୁ ସ୍ବତନ୍ତ୍ର ଟ୍ରେନ୍ ଦାବି ଜୋର ଧରିବାରେ ଲାଗିଛି। ଆଜି ସାମାଜିକ ସଂଗଠନ ‘ଜାଗରଣ’ ପକ୍ଷରୁ ଏହି ମର୍ମରେ ଡିଆର୍‌ଏମ୍‌ ଜରିଆରେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଓ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଦାବିପତ୍ର ଦିଆଯାଇଛି।

Advertisment

ଆସାମର ଲୋକଙ୍କ ପାଇଁ ବିହୁ, ପଞ୍ଜାବ ଅଧିବାସୀଙ୍କ ନିମନ୍ତେ ବୈଶାଖୀ ଭଳି ପଶ୍ଚିମ ଓଡ଼ିଶାର ଲୋକଙ୍କ ପାଇଁ କୃଷିଭତ୍ତିକ ପର୍ବ ନୂଆଁଖାଇ ତା’ଠାରୁ ବି ଅଧିକ ଗୁରୁତ୍ବ ବହନ କରିଥାଏ। ଜୀବିକାର୍ଜନ ପାଇଁ ଦେଶର କୋଣଅନୁକୋଣ‌ରେ ବସବାସ କରୁଥିବା ପଶ୍ଚିମ ଓଡ଼ିଶାର ଲୋକେ ‌ଯେମିତି ହେଲେ ବି ନୂଆଁଖାଇରେ ନିଜ ନିଜ ଘରକୁ ଆସିଥାନ୍ତି। ଦୂରଦୂରାନ୍ତରେ ରହୁଥିବା ଲୋ‌କେ ପ୍ରାୟତଃ ବହୁଦିନ ବ୍ୟବଧାନରେ ଘରକୁ ଆସୁଥିବାରୁ ନୂଆଁଖାଇର ଅନ୍ତତଃ ୨/୩ ଦିନ ପୂର୍ବରୁ ସେମାନେ ବାହାରିଥାନ୍ତି।

ନୂଆଁଖାଇ ପାଳନ ସହିତ ଆତ୍ମୀୟ ସ୍ବଜନଙ୍କ ଗହଣରେ ୨/୩ ଦିନ ହସଖୁସିରେ ବିତାଇବା ପରେ ପୁଣି ଫେରିଯାଇଥାନ୍ତି। ରାଜଧାନୀ ଭୁବନେଶ୍ବର ସହିତ ପୂର୍ବ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପଶ୍ଚିମ ଓଡ଼ିଶାର ଲୋକ ରହୁଛନ୍ତି। ଏହା ବ୍ୟତୀତ ଦେଶର ବିଭିନ୍ନ ରାଜ୍ୟରେ ବସବାସ କରୁଥିବା ପଶ୍ଚିମ ଓଡ଼ିଶାର ଲକ୍ଷାଧିକ ଲୋକ‌ ପ୍ରାୟତଃ ଭୁବନେଶ୍ବରଦେଇ ନିଜ ଗାଁ ଓ ସହରକୁ  ଆସିଥାନ୍ତି। ଦେଶର ସବୁ ସହରରୁ ପଶ୍ଚିମ ଓଡ଼ିଶାର ସବୁ ସହରକୁ ସିଧାସଳଖ ଟ୍ରେନ୍ ସଂଯୋଗ ନଥିବାରୁ ସେମାନେ ଅଧିକାଂଶ ଲୋକ ଭୁବନେଶ୍ବର ରାସ୍ତାରେ ଆସିଥାନ୍ତି। ଭୁବନେଶ୍ବରରୁ ପଶ୍ଚିମ ଓଡ଼ିଶାକୁ ଅଳ୍ପ‌ କେ‌ତୋଟି ନିୟମିତ ‌ଟ୍ରେନ୍ ଚଳାଚଳ କରୁଛି। ସେସବୁ ଟ୍ରେନରେ ସାଧାରଣ ସମୟରେ ସିଟ୍/ଶଯ୍ୟା ମିଳିବା କଷ୍ଟକର ହୋଇପଡ଼ିଥାଏ।

ତେଣୁ, ଦଶହରା, ରଥଯାତ୍ରା ଆଦି ସମୟରେ‌ ଲୋକଙ୍କ ସୁବିଧା ଏବଂ ସମୟର ଆବଶ୍ୟକତାକୁ ଦୃଷ୍ଟିରେ ରଖି ରେଳବାଇ ପକ୍ଷରୁ ସ୍ବତନ୍ତ୍ର ଟ୍ରେନ୍ ବ୍ୟବସ୍ଥା କରାଯିବା ଭଳି ଅଗଷ୍ଟ ୨୮ରୁ ସେପ୍ଟେମ୍ବର ୫ ତାରିଖ ମଧ୍ୟରେ ଅନ୍ତତଃ ପକ୍ଷେ ଭୁବନେଶ୍ୱରରୁ ଟିଟିଲାଗଡ଼ ଏବଂ ଭୁବ‌ନେଶ୍ବର-ରାଉରକେଲା ମଧ୍ୟରେ ଦୁଇ ଯୋଡ଼ା ସ୍ୱତନ୍ତ୍ର ଟ୍ରେନ୍ ପ୍ରଚଳନ କରିବାକୁ ଅଗ୍ରଣୀ ସାମାଜିକ ସଂଗଠନ‘ଜାଗରଣ’ ପକ୍ଷରୁ ଦାବିପତ୍ର ଦିଆଯାଇଛି। ଆଜି ସୁଧୀର ରଂଜନ ବହିଦାରଙ୍କ ନେତୃ୍ତ୍ବରେ ଆଇନଜୀବୀ ରାଜୀବ ଶତପଥୀ, କ୍ଷୀତିଶ ନାୟକ, ସୌମିକ ବାବୁ, ଦେବରାଜ ପଟେଲ ପ୍ରମୁଖ ସମ୍ବଲପୁର ଡିଆର୍‌ଏମ୍‌କୁ ଭେଟି ଦାବିପତ୍ର ଦେଇଥିଲେ।