କଳାବାଡ଼ିଆ: ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବ୍ଲକ୍ ବୁଢ଼ାମରାଠାରେ ଥିବା ରେଳଷ୍ଟେସନକୁ ଷ୍ଟେସନ୍ର ମାନ୍ୟତା ଦେବା, ସେଠାରେ ବାଙ୍ଗିରିପୋଷି-ଭୁବନେଶ୍ବର ସୁପରଫାଷ୍ଟ ଟ୍ରେନ୍ ରହିବା ଏବଂ ଟିକେଟ୍ ବୁକିଂ କାଉଣ୍ଟର ଖୋଲିବା ଆଦି ଦାବି ହେଉଛି। ବୁଢ଼ାମରା ଷ୍ଟେସନ୍ରେ ସୁପରଫାଷ୍ଟ ଟ୍ରେନ୍ ରହଣି ନେଇ ୨୦୧୨ ମସିହା ସେପ୍ଟେମ୍ବର ମାସରେ ପ୍ରଥମ ରେଳରୋକ କରାଯାଇଥିଲା। ରାଜପଥ ଲେଭେଲ୍ କ୍ରସିଂ ପୂର୍ବରୁ ଷ୍ଟେସନ୍ଟି ଥିବାରୁ ସୁପରଫାଷ୍ଟ ଟ୍ରେନ୍ଟି ସେଠାରେ କିଛି ସମୟ ରହୁଥିଲା।
ତେବେ ବର୍ତ୍ତମାନ ରାଜପଥର ଦିଗ ପରିବର୍ତ୍ତନ ହୋଇଛି ଏବଂ ରେଳ ବିଭାଗ ଲେଭେଲ୍ କ୍ରସିଂଠାରେ ଥିବା ଫାଟକୁ ସମ୍ପୂର୍ଣ୍ଣ ବନ୍ଦ କରିଦେଇଛନ୍ତି। ଫଳରେ ସୁପରଫାଷ୍ଟ ଟ୍ରେନ୍ଟି ଏବେ ଆଉ ସେଠାରେ ରହୁନାହିଁ। ଦାବି ପୂରଣ ପାଇଁ ରେଳ ବିକାଶ ମଞ୍ଚ ପକ୍ଷରୁ ୩ ଥର ରେଳରୋକ ହୋଇସାରିଛି। ରେଳରୋକରେ ହଜାର ହଜାର ଲୋକ ସାମିଲ ହୋଇଛନ୍ତି। ପ୍ରତିଥର ଦାବି ପୂରଣ ନେଇ ପ୍ରତିଶ୍ରୁତି ମିଳୁଛି, ହେଲେ ପୂରା ହେଉନି। ନେତା ଓ ମନ୍ତ୍ରୀମାନେ ମଧ୍ୟ ଚୁପ୍ ବସିଛନ୍ତି। ଏପରି ସମୟରେ ଆନ୍ଦୋଳନକୁ ଜୋରଦାର କରିବା ପାଇଁ ପୁଣି ଅଣ୍ଟା ଭିଡ଼ିଛି ବୁଢ଼ାମରା ରେଳ ବିକାଶ ମଞ୍ଚ। ମଞ୍ଚର ସଦସ୍ୟ ଏବଂ ପଞ୍ଚାୟତର ଶତାଧିକ ଲୋକ ବୈଠକ କରିଛନ୍ତି। ଦୁର୍ଗାପୂଜା ପରେ ୧୮ ନମ୍ବର ଜାତୀୟ ରାଜପଥ ଅବରୋଧ ସହ ରେଳରୋକ କରାଯିବ ବୋଲି ରେଳ ବିକାଶ ମଞ୍ଚର ସମ୍ପାଦକ ଅମୃତ କୁମାର ପାଣି ସୂଚନା ଦେଇଛନ୍ତି।